ମୁମ୍ବାଇ : ବଲିଉଡରେ ଯେତେବେଳେ ପ୍ରେମ, ସମ୍ପର୍କ ଏବଂ ଯୁବପିଢ଼ିଙ୍କ ମାନସିକତାକୁ ନେଇ କିଛି ନିଆରା କାହାଣୀ ପ୍ରସ୍ତୁତ ହୁଏ, ସେତେବେଳେ ନିର୍ମାତା ଲଭ୍ ରଞ୍ଜନଙ୍କ ନାଁ ସବୁଠାରୁ ଆଗରେ ଆସେ । ‘ପ୍ୟାର କା ପଞ୍ଚନାମା’, ‘ସୋନୁ କେ ଟିଟୁ କି ସୁଇଟି’ ଏବଂ ‘ତୁ ଝୁଠି ମୈ ମକ୍କାର' ଭଳି ସୁପରହିଟ୍ ଫିଲ୍ମ ଭେଟି ଦେଇଥିବା ଲଭ୍ ରଞ୍ଜନ ପୁଣି ଏକ ରୋମାଣ୍ଟିକ୍ ଫିଲ୍ମ ନେଇ ଆସୁଛନ୍ତି । ତାଙ୍କର ଆଗାମୀ ଫିଲ୍ମର ଟାଇଟଲ୍ ରହିଛି ‘ପହଲା ପ୍ୟାର ଦୁସରି ବାର’ । ଆସନ୍ତା ୨୩ ଅକ୍ଟୋବରରେ ଏହା ମୁକ୍ତିଲାଭ କରିବ।

ଏହି ଚଳଚ୍ଚିତ୍ରର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଏହାର ଷ୍ଟାର କାଷ୍ଟ । ବଲିଉଡ୍ର ନାମୀଦାମୀ ପ୍ରଯୋଜକମାନେ ଫିଲ୍ମକୁ ହିଟ୍ କରିବା ପାଇଁ ବଡ଼ ବଡ଼ କଳାକାରଙ୍କୁ ଫିଲ୍ମରେ ନେଉଥିବାବେଳେ ଲଭ୍ ରଞ୍ଜନ କିନ୍ତୁ ଏକ ବଡ଼ ରିସ୍କ ନେଇଛନ୍ତି । ଏହି ଫିଲ୍ମ ଜରିଆରେ ସେ ଛଅ ଜଣ ନୂଆ କଳାକାରଙ୍କୁ ବଲିଉଡ୍ରେ ଏକାସାଙ୍ଗେ ଡେବ୍ୟୁ କରାଇବାକୁ ଯାଉଛନ୍ତି । ନିକଟରେ ରିଲିଜ୍ ହୋଇଥିବା ଏହାର ପ୍ରଥମ ପୋଷ୍ଟରରେ ଏହି ନୂଆ ଚେହେରାମାନଙ୍କ ଝଲକ ଦେଖିବାକୁ ମିଳିଛି, ଯାହା ସିନେପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ସୃଷ୍ଟି କରିଛି । ଫିଲ୍ମର ଟାଇଟଲ୍ରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏହା ଯୁବପିଢ଼ିଙ୍କ ପ୍ରେମ, ବ୍ରେକଅପ୍ ଏବଂ ପ୍ରେମରେ ଦ୍ଵିତୀୟ ସୁଯୋଗର ଏକ ରୋମାଞ୍ଚକର ଯାତ୍ରା ହେବ ।

ଲଭ୍ ରଞ୍ଜନ ସର୍ବଦା ନିଜ ଫିଲ୍ମରେ କମେଡିର ତଡ଼କା ସହ ଯୁବପିଢ଼ିଙ୍କ ବାସ୍ତବିକ ସମ୍ପର୍କର କାହାଣୀକୁ ଖୁବ୍ ସୁନ୍ଦର ଭାବେ ଉପସ୍ଥାପନ କରନ୍ତି । ଏହି ଚଳଚ୍ଚିତ୍ରଟି ମଧ୍ୟ ସେହିଭଳି ଏକ ରୋମାଣ୍ଟିକ- କମେଡି ଡ୍ରାମା ହେବ ବୋଲି ଆଶା କରାଯାଉଛି । ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଆସିବା ପରଠାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାର୍ତ୍ତିକ ଆର୍ୟନଙ୍କ ଭଳି ତାରକାଙ୍କୁ ବଲିଉଡ୍ରେ ପ୍ରତିଷ୍ଠିତ କରିଥିବା ଲଭ୍ ରଞ୍ଜନଙ୍କ ନୂଆ କଳାକାରମାନେ କିଭଳି କମାଲ୍ କରୁଛନ୍ତି, ତାହା ଦେଖିବା ପାଇଁ ଏବେ ଦର୍ଶକେ ଚାହିଁ ରହିଛନ୍ତି।