ଭୁବନେଶ୍ଵର: ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ପୁଣି ଥରେ ସାମ୍ନାକୁ ଆସିଛି ଦଳୀୟ ଏକତାର ପ୍ରସଙ୍ଗ । ନେତାଙ୍କ ଭାଷଣରେ ଗୋଟିଏ କଥା ବାରମ୍ବାର ଶୁଣିବାକୁ ମିଳିଛି‘ ମୁଁ ନୁହେଁ, ଆମେ’।  ନିରଞ୍ଜନ ପଟ୍ଟନାୟକଙ୍କ କହିଲେ ଦଳରେ ସ୍ନେହ, ଶ୍ରଦ୍ଧା, ତ୍ୟାଗ ଓ ଭାଇଚାରାର ଆବଶ୍ୟକତା ରହିଛି । ପୁରୁଣା ନେତାଙ୍କୁ ଭୁଲି ନଯାଇ ଯୁବବର୍ଗକୁ ଆଗକୁ ଆଣିବାର କଥା ମଧ୍ୟ ସେ ଉଠାଇଛନ୍ତି। ପିସିସିର ନବଗଠିତ କାର୍ଯ୍ୟକାରୀ କମିଟି ଓ କର୍ମକର୍ତ୍ତାଙ୍କର ପ୍ରଥମ ବୈଠକରେ ଏମିତି ଚିତ୍ର ସାମ୍ନାକୁ ଆସିଛି। ଏହା ସହିତ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବୈଠକରେ ଆଲୋଚନା ହୋଇଛି।

ଏକ ହୋଇ ଲଢିବାକୁ ଆହ୍ଵାନ

ପିସିସିର ନବଗଠିତ କାର୍ଯ୍ୟକାରୀ କମିଟି ଓ କର୍ମକର୍ତ୍ତାଙ୍କର ପ୍ରଥମ ବୈଠକରେ ଆଲୋଚନା ହେଲା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ । କୃଷକ ମହିଳା ଆଉ ଯୁବକଙ୍କୁ ଗୁରୁତ୍ୱ ଦେବାକୁ ହେଲା ଆଲୋଚନା । GenZ ଆଉ Gen ଆଲଫାକୁ ସୁଯୋଗ ଦିଆଯିବ । ଏଣିକି ମୁଁ ରେ ନୁହେଁ ଆମେ ରେ ବିଶ୍ବାସ କରି କାର୍ଯ୍ୟ କରିବ ପ୍ରଦେଶ କଂଗ୍ରେସ । ୨୦୨୯ ସାଧାରଣ ନିର୍ବାଚନ ଆଗରୁ କଂଗ୍ରେସକୁ ସୁଦୃଢ଼ ହେବାକୁ ପଡ଼ିବ । ପଞ୍ଚାୟତ ଏବଂ ପୌର ନିର୍ବାଚନ ବେଳକୁ କଂଗ୍ରେସକୁ ଏକ ହୋଇ ଲଢ଼ିବାକୁ ପଡିବ । ତୃଣମୂଳ ସ୍ତରରେ କଂଗ୍ରେସକୁ ସାଂଗଠନିକ ଭାବେ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ଆଉ ତାହାକୁ କରାଯିବ । ନୂଆ ମୁହଁକୁ ଅଧିକ ସୁଯୋଗ ଦିଆଯିବ । ଏହି ତମାମ ବିଷୟ ଉପରେ ବୈଠକରେ ମାନସମନ୍ଥନ ହୋଇଛି ।

ସାମିଲ୍ ହେଲେ ବରିଷ୍ଠ

ବୈଠକରେ ଭାଗ ନେଇଛନ୍ତି ରାଜ୍ୟ ପ୍ରଭାରୀ ଲାଲଜି ଦେଶଇ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ସହପ୍ରଭାରୀ ଜେଟ୍ଟି କୁସୁମ ପ୍ରମୁଖ ଯୋଗ ଦେଇଛନ୍ତି । ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସହ କଂଗ୍ରେସ ବିଧାୟକ ପବିତ୍ର ସୌନ୍ତିଆ, ଅଶୋକ ଦାସ, ସାଗର ଦାସ, ସି ଏସ୍ ରାଜେନ୍ ଏକ୍କା ପ୍ରମୁଖ ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି । ଅନ୍ୟପଟେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ମଧ୍ୟ ଏହି ଉଚ୍ଚସ୍ତରୀୟ ବୈଠକରେ ସାମିଲ ହୋଇ ନିଜର ମନ୍ତବ୍ୟ ଦେଇଛନ୍ତି ।

ସେହିଭଳି ବରିଷ୍ଠ କଂଗ୍ରେସ ନେତା, ପୂର୍ବତ୍ତନ ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ମଧ୍ୟ ଏହି ବୈଠକରେ ସାମିଲ ହୋଇଛନ୍ତି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ରହିଥିବାରୁ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ବୈଠକରେ ଅଲୋଚନା ହୋଇଛି । ପାଠ୍ୟପୁସ୍ତକରେ ତ୍ରୁଟି ସହ MMDR କୁ ନେଇ ଲୋକଙ୍କ ପାଖରେ ପହଞ୍ଚିବ କଂଗ୍ରେସ । ଖାଲି ସେତିକି ନୁହେଁ, ବରଂ ତୃଣମୂଳ ସ୍ତରରେ କିଭଳି କଂଗ୍ରେସର ସଂଗଠନ ସୁଦୃଢ଼ ହେବ ଏବେ ଏହାସହ କିଭଳି ପ୍ରତି ଲୋକଙ୍କ ପାଖରେ ପହଞ୍ଚିବ ତାହାକୁ ନେଇ ହେବ ଆଲୋଚନା । ଲୋକଙ୍କ ପାଖରେ ସରକାରଙ୍କ ବିଫଳତା କୁ ପହଞ୍ଚିବାକୁ କଂଗ୍ରେସ ପ୍ରସ୍ତୁତ କରିବ ବ୍ଲୁ ପ୍ରିଣ୍ଟ ।