ଟୋକିଓ: ବର୍ଷା ବାଧାପ୍ରାପ୍ତ ଏକ ହାଇଡ୍ରାମା ମ୍ୟାଚରେ ଜାପାନ ବିପକ୍ଷରେ କୌଣସି ପ୍ରକାରେ ପରାଜୟ ଏଡାଇଛି ଟିମ୍ ଇଣ୍ଡିଆ। ଶେଷ ବଲ୍ ପର୍ଯ୍ୟନ୍ତ ଚାଲିଥିବା ଏହି ରୋମାଞ୍ଚକର ମୁକାବିଲାରେ ଭାରତ ମାତ୍ର ୨ ରନରେ ବିଜୟୀ ହୋଇଛି। ୧୨ଟି ବଲରୁ ୧୬ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ଶ୍ରେୟସ ଆୟରଙ୍କୁ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ପୁରସ୍କାର ମିଳିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫ ଓଭରରେ ୪ ଓ୍ଵିକେଟ୍ ହରାଇ ୩୨ ରନ କରିଥିଲା। ଜବାବରେ ଘରୋଇ ଜାପାନ ୩୦ ରନ କରିବାକୁ ସକ୍ଷମ ହୋଇଥିଲା।

ଓଦା ଆଉଟଫିଲ୍ଡ ଓ ଲଗାଣ ବର୍ଷା ଯୋଗୁଁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ଖେଳ ହେବା ନେଇ ଆଶଙ୍କା ଥିଲେ ମଧ୍ୟ ଓଭର ସଂଖ୍ୟା କମାଇ ପ୍ରତ୍ୟେକ ଦଳ ପାଇଁ ୫-୫ ଓଭର ବିଶିଷ୍ଟ ମ୍ୟାଚ୍ ଧାର୍ଯ୍ୟ କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ସ୍କୋରବୋର୍ଡରେ ମାତ୍ର ୩୨ ରନ୍ ଯୋଡ଼ିବାକୁ ସକ୍ଷମ ହୋଇଥିଲା। ଓପନର ଅଭିଷେକ ଶର୍ମା ଶୂନରେ (ଗୋଲ୍ଡେନ୍ ଡକ୍) ଆଉଟ୍ ହୋଇ ନିରାଶ କରିଥିବା ବେଳେ ସଞ୍ଜୁ ସାମସନ୍ ୯ ରନ୍, ଇଶାନ କିଷାନ ୩ ରନ୍ ଓ ତିଲକ ବର୍ମା ମାତ୍ର ୧ ରନ୍ କରି ପାଭିଲିୟନ ଫେରିଥିଲେ। ହେଲେ ଅଧିନାୟକ ଶ୍ରେୟସ ଆୟର ୧୬ ରନ କରି ଦଳର ସମ୍ମାନ ରଖିଥିଲେ।

Also Read: ଜାହିର ଖାନଙ୍କୁ ଆଣିଛନ୍ତି ମହେନ୍ଦ୍ର ସିଂ ଧୋନୀ ! ନୂଆ କୋଚ୍ ନିଯୁକ୍ତି ପଛରେ ମାହିଙ୍କ ହାତ

ଅନ୍ୟପଟେ ୩୩ ରନର ସହଜ ଲକ୍ଷ୍ୟ ପିଛା କରୁଥିବା ଜାପାନ ଦଳ ଆରମ୍ଭରୁ ହିଁ ଭଲ ବ୍ୟାଟିଂ ପ୍ରଦର୍ଶନ କରି ଭାରତୀୟ ବୋଲରଙ୍କୁ ଚାପରେ ରଖିଥିଲା। ଜାପାନ ଅଧିନାୟକ କେଣ୍ଡେଲ କାଡୋୱାକି-ଫ୍ଲେମିଂ ୧୨ ବଲରୁ ୧୨ ରନ୍ ସଂଗ୍ରହ କରି ଦଳକୁ ଜିତାଇବା ପାଇଁ ପୂରା ପ୍ରୟାସ କରିଥିଲେ। ୩ ଓଭର ଶେଷ ସୁଦ୍ଧା ଜାପାନ ୧୮ ରନ୍ କରିସାରିଥିବା ବେଳେ ଜିତିବା ପାଇଁ ଶେଷ ୧୨ ବଲରୁ ୧୫ ରନର ଆବଶ୍ୟକତା ଥିଲା।

ଚତୁର୍ଥ ଓଭରରେ ୱାଶିଂଟନ୍ ସୁନ୍ଦର ମାତ୍ର ୭ ରନ୍ ଦେଇ ଜାପାନ ଅଧିନାୟକଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇ ଭାରତକୁ ମ୍ୟାଚକୁ ଫେରାଇଥିଲେ। ଏହାପରେ ଶେଷ ଓଭରରେ ଜାପାନକୁ ଜିତିବା ପାଇଁ ୮ ରନ୍ ଦରକାର ଥିବା ବେଳେ ବୋଲିଂ ଭାର ସମ୍ଭାଳିଥିଲେ ଅକ୍ଷର ପଟେଲ।

Also Read: ଏସୀୟ କ୍ରୀଡ଼ା ୨୦୨୬ରେ ଶେଫାଳି ବର୍ମାଙ୍କ ଐତିହାସିକ ଶତକ, ନିଜ ନାଁରେ ରଚିଲେ ଅନେକ କିର୍ତ୍ତୀମାନ

ଅକ୍ଷରଙ୍କ ପ୍ରଥମ ବଲ୍ ଡଟ୍ ହୋଇଥିବା ବେଳେ ଦ୍ୱିତୀୟ ବଲରେ ୧ ରନ୍ ମିଳିଥିଲା। ତୃତୀୟ ବଲ୍ଟି ୱାଇଡ୍ ହେବାରୁ ଜାପାନକୁ ୪ ବଲରୁ ୬ ରନର ଆବଶ୍ୟକତା ପଡ଼ିଥିଲା। ଏହାପରେ ଚତୁର୍ଥ ବଲ୍ଟି ପୁଣି ଡଟ୍ ହୋଇଥିଲା ଏବଂ ପଞ୍ଚମ ବଲରେ ୨ ରନ୍ ଆସିଥିଲା। ଜିତିବା ପାଇଁ ଶେଷ ବଲରେ ୪ ରନ୍ ଦରକାର ଥିବା ବେଳେ ଜାପାନ ମାତ୍ର ୧ ରନ୍ କରିବାକୁ ସକ୍ଷମ ହୋଇଥିଲା, ଯାହା ଫଳରେ ଭାରତୀୟ ଦଳ ଏହି ରୋମାଞ୍ଚକର ମ୍ୟାଚକୁ ୨ ରନରେ ନିଜ ନାମରେ କରିନେଇଥିଲା।