ନୂଆଦିଲ୍ଲୀ: ୭ ମାସର ଗର୍ଭବତୀ ଥାଇ ମଧ୍ୟ ଜଣେ ଭାରତୀୟ ମହିଳା ବିଶ୍ୱପ୍ରସିଦ୍ଧ 'ହାଇରକ୍ସ' (HYROX) ଫିଟନେସ୍ ପ୍ରତିଯୋଗୀତା ସଫଳତାର ସହ ଶେଷ କରି ଉଦହାରଣ ସାଜିଛନ୍ତି । ଗର୍ଭାବସ୍ଥାର ଏହି ଜଟିଳ ସମୟରେ ତାଙ୍କର ଏହି ଅସାଧାରଣ କାମ ଏବଂ ମନୋବଳକୁ ନେଇ ଚାରିଆଡ଼େ ପ୍ରଶଂସାର ସୁଅ ଛୁଟିଛି। 'ହାଇରକ୍ସ ୱାର୍ଲ୍ଡ'ର ଚୀନ୍ ଆଞ୍ଚଳିକ ରେସ୍ ନିର୍ଦ୍ଦେଶିକା ଭାବରେ କାର୍ଯ୍ୟରତ ଜେନ୍ ଜଣେ ଭାରତୀୟ । ଜାପାନର ଚିବା ଠାରେ ଆୟୋଜିତ ପ୍ରତିଯୋଗୀତାରେ ସେ ଅଂଶଗ୍ରହଣ କରିଥିଲେ । 

ଗର୍ଭବତୀ ଥିବା ସତ୍ତ୍ୱେ ସେ ସ୍ୟାଣ୍ଡବ୍ୟାଗ୍ ଲଙ୍ଗେସ୍ , ୱାଲ୍ ବଲ୍ସ , ବର୍ପି ବ୍ରୋଡ୍ ଜମ୍ପସ (Burpee broad jumps), ସ୍ଲେଜ୍ ପୁସ୍ , ଫାର୍ମରସ କ୍ୟାରୀ ଏବଂ ଦୌଡ଼ିବା ଭଳି କଠିନ ଆଥଲେଟିକ୍ ଚ୍ୟାଲେଞ୍ଜ ସଫଳତାର ସହ ପୂରଣ କରିଥିଲେ।

ଜେନ୍‌ଙ୍କ ଅନୁଭୂତି 
ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଅନୁଭୂତି ସେୟାର କରି ଜେନ୍ ଲେଖିଛନ୍ତି ଯେ, ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ପ୍ରତିଯୋଗୀତାରୁ ଦୂରରେ ରହିବା ଏବଂ ଗର୍ଭାବସ୍ଥା ହେତୁ ସେ ନିଜର ଶାରୀରିକ ଦକ୍ଷତାକୁ ନେଇ ସନ୍ଦେହରେ ଥିଲେ। ମାତ୍ର ସେ ଏହି ଚ୍ୟାଲେଞ୍ଜର ପ୍ରତ୍ୟେକ ମୁହୂର୍ତ୍ତକୁ ଜିଇଁବାକୁ ଚାହୁଁଥିଲେ।

ସେ ନିଜ ପୋଷ୍ଟରେ ଲେଖିଛନ୍ତି, ‘ମୋ ଚାରିପାଖରେ ଥିବା ଲୋକମାନେ ମୋତେ ବହୁତ ଉତ୍ସାହିତ କରିଥିଲେ। ଅଜଣା ଲୋକମାନେ ମଧ୍ୟ ମୋ ପାଇଁ ପ୍ରାର୍ଥନା କରୁଥିଲେ। ସବୁଠାରୁ ବଡ଼ କଥା ହେଉଛି ମୋ ସ୍ୱାମୀ ମୋତେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ, ଫଳରେ ମୁଁ ଏହି ରେସ୍‌କୁ ପୁଣି ଥରେ ନିଜର ପୁରୁଣା ଆତ୍ମବିଶ୍ୱାସ ସହ ଶେଷ କରିପାରିଲି। ଜୀବନର କିଛି ମୁହୂର୍ତ୍ତ ଆପଣଙ୍କୁ ଅପାର ଆନନ୍ଦ ଦେଇଥାଏ, ଏହା ମୋ ପାଇଁ ସେହିଭଳି ଏକ ମୁହୂର୍ତ୍ତ ଥିଲା।’

ସୋସିଆଲ ମିଡିଆରେ ନାରୀଶକ୍ତିର ପ୍ରଶଂସା
ଜେନଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ୨୦ ଲକ୍ଷରୁ ଅଧିକ (୨ ମିଲିୟନ୍‌) ଲୋକ ଦେଖିସାରିଛନ୍ତି। ପ୍ରଶଂସକମାନେ ତାଙ୍କୁ 'ସୁପରୱୁମ୍ୟାନ୍' (Superwoman) ଏବଂ ପ୍ରକୃତ 'ନାରୀଶକ୍ତି'ର ପ୍ରତୀକ ଭାବରେ ଅଭିହିତ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଏହି ଭିଡିଓ ଦେଖି ମୋ ଆଖିରେ ଲୁହ ଆସିଗଲା। ମୁଁ ନିଜେ ୭ ମାସର ଗର୍ଭବତୀ ଏବଂ ସକାଳୁ ବିଛାଣାରୁ ଉଠି ଜିମ୍ ଯିବା କେତେ କଷ୍ଟକର ମୁଁ ଜାଣିଛି। ଆପଣ ସତରେ ଜଣେ ସୁପରୱୁମ୍ୟାନ୍।’

​​​​​​​

ଅନ୍ୟ ଜଣେ ଲେଖିଛନ୍ତି, ‘ଏହା ହେଉଛି ପ୍ରକୃତ ନାରୀଶକ୍ତି। ଭାରତ ପାଇଁ ଏହା ଏକ ବଡ଼ ଉଦାହରଣ, ଯେଉଁଠାରେ ଗର୍ଭାବସ୍ଥାରେ ତଳକୁ ନଇଁବାକୁ ମଧ୍ୟ ବାରଣ କରାଯାଇଥାଏ।’ ସୂଚନାଯୋଗ୍ୟ, ଏହି ଖବରଟି କେବଳ ତଥ୍ୟାତ୍ମକ ଜାଣିବା ପାଇଁ ଉଦ୍ଦିଷ୍ଟ। ଗର୍ଭାବସ୍ଥା ସମୟରେ କୌଣସି ପ୍ରକାରର କଠିନ କସରତ କିମ୍ବା ଫିଟନେସ୍ ଷ୍ଟଣ୍ଟ କରିବା ପୂର୍ବରୁ ଅଭିଜ୍ଞ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ।