ହାଇଦ୍ରାବାଦ, ୦୩/୦୫: ରବିବାର ଅପରାହ୍ନରେ ଚଳିତ ଆଇପିଏଲରେ ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ । କ୍ରମାନ୍ୱୟରେ ୫ଟି ମ୍ୟାଚ ଜିତି ଥିବା ହାଇଦ୍ରାବାଦ ଆଜି ବିଜୟ ଜାରି ରଖି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାକୁ ଚେଷ୍ଠା କରିବ । ଅବଶ୍ୟ ରାତ୍ରି ମ୍ୟାଚରେ ପଞ୍ଜାବ ବିଜୟ ହାସଲ କଲେ ପୁନର୍ବାର ଶୀର୍ଷ ସ୍ଥାନ ଫେରି ପାଇବ । 

କୋଲକାତା ପ୍ରଥମ ୬ଟି ମ୍ୟାଚରୁ ୫ଟି ପରାଜୟ ଓ ଗୋଟିଏ ବାତିଲ ବଳରେ ୧ ପଏଣ୍ଟ ହାସଲ କରିଥିଲା । ବିଳମ୍ବରେ ହେଉ ପଛେ କୋଲକାତା ଲୟକୁ ଫେରିଛି । କ୍ରମାନ୍ୱୟରେ ୨ଟି ମ୍ୟାଚରେ କୋଲକାତା ଯଥାକ୍ରମେ ରାଜସ୍ଥାନ ଓ ଲକ୍ଷ୍ନୌକୁ ପରାସ୍ତ କରିଛି । ଏହି ବିଜୟଧାରାକୁ ଜାରି ରଖିବାକୁ କୋଲକାତା ପ୍ରୟାସ କରିବ । ଉଭୟ ମ୍ୟାଚରେ ରିଙ୍କୁ ସିଂଙ୍କ ପ୍ରଦର୍ଶନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା । ତେଣୁ ତାଙ୍କୁ ଅଟକାଇବା ପାଇଁ ହାଇଦ୍ରାବାଦ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବ । କୋଲକାତାକୁ ବ୍ୟାଟିଂ ବିଭାଗରେ ସୁଧାର ଆଣିବାର ଯଥେଷ୍ଟ ଆବଶ୍ୟକତା ରହିଛି । ବିଶେଷ କରି ଓପନିଂ ବିଭାଗର ପ୍ରଦର୍ଶନ ଏପର୍ଯ୍ୟନ୍ତ ନିରାଶ କରିଛି । ଟିମ୍ ସାଇଫର୍ଟ ଲାଗାତର ୨ଟି ମ୍ୟାଚରେ ଖାତା ଖୋଲି ନାହାନ୍ତି । ତାଙ୍କୁ ବସାଇ ପୁଣି ଥରେ ଫିନ ଆଲେନଙ୍କୁ ଏକାଦଶରେ ସାମିଲ କରିବା ଆଶା କରାଯାଉଛି । ମଥିଶା ପତିରଣା ଫିଟ ହୋଇ ଦଳ ସହ ଅଭ୍ୟାସ ଜାରି ରଖିଥିଲେ ହେଁ ତାଙ୍କୁ ଖେଳାଇବା ସମ୍ଭାବନା ନାହିଁ ।

​​​​​​​Also Read :-ମୁମ୍ବାଇକୁ ହରାଇଦେଲେ ବୁମରା-ସୂର୍ଯ୍ୟ-ତିଲକ ! କିନ୍ତୁ କୋଚ୍ କହିଲେ...

କୋଲକାତା ବିଜୟୀ ବୋଲିଂ ବିଭାଗରେ ପରିବର୍ତ୍ତନ କରିବାକୁ ଚାହୁଁନାହିଁ । ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଫଳରେ ସୁପର୍ ସଣ୍ଡେରେ ବିଶାଳ ସ୍କୋର ଦେଖିବାକୁ ମିଳିବ । ଦିନ ବେଳା ମ୍ୟାଚ ଖେଳାଯାଉଥିବାରୁ ଟସ ସେଭଳି ଗୁରୁତ୍ୱ ରଖିବ ନାହିଁ ।

ସମ୍ଭାବ୍ୟ ଏକାଦଶ-

ହାଇଦ୍ରାବାଦ - ଟ୍ରାଭିସ ହେଡ୍, ଅଭିଷେକ ଶର୍ମା, ଇଶାନ କିଷନ, ହେନରିକ କ୍ଲାସେନ, ନୀତିଶ କୁମାର ରେଡ୍ଡୀ, ସଲିଲ ଆରୋରା, ଅନିକେତ ବର୍ମା, ପ୍ୟାଟ୍ କମିନ୍ସ(ଅଧିନାୟକ), ହର୍ଷ ଦୁବେ, ଇଶାନ ମାଲିଙ୍ଗା, ପ୍ରଫୁଲ ହିଙ୍ଗେ, ସାକିବ ହୁସେନ ।

କୋଲକାତା- ଅଜିଙ୍କ୍ୟ ରାହାଣେ(ଅଧିନାୟକ), ଟିମ ସାଇଫର୍ଟ/ଫିନ ଆଲେନ, ଅଙ୍ଗକ୍ରୀଶ ରଘୁବଂଶୀ, କାମେରନ ଗ୍ରୀନ, ରୋଭମାନ ପାୱେଲ, ରିଙ୍କୁ ସିଂହ, ସୁନୀଲ ନରାଏନ, ଅନୁକୂଳ ରୟ, ରମଣଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, କାର୍ତ୍ତିକ ତ୍ୟାଗୀ, ବୈଭବ ଆରୋରା