ମୁମ୍ବାଇ: ଭାରତୀୟ ସେୟାର ବଜାର ଚଳିତ ସପ୍ତାହରେ ବେଶ୍ ବୃଦ୍ଧିର ସହ ବନ୍ଦ ହୋଇଛି। ଦୀପାବଳି ପୂର୍ବରୁ ସେୟାର ମାର୍କେଟରେ ଏପରି ଅଭିବୃଦ୍ଧି ନିବେଶକଙ୍କ ମଧ୍ୟରେ ଭିନ୍ନ ରକମର ଉତ୍ସାହ ସୃଷ୍ଟି କରିଛି। ଏଣୁ ନିବେଶକ ଆଶା କରୁଛନ୍ତି ଦୀପାବଳିର ମୁହୂର୍ତ୍ତ ଟ୍ରେଡିଂରେ ମଧ୍ୟ ଏହି ଅଭିବୃଦ୍ଧି ଜାରି ରହିପାରେ। ତେବେ ମୁହୂର୍ତ୍ତ ଟ୍ରେଡିଂର ଟାଇମିଂ ଓ ମୁହୂର୍ତ୍ତଟ୍ରେଡିଂରେ ଆପଣ ଏସଆଇପି କରିପାରିବେ କି ନା ତାହା ଆସନ୍ତୁ ଜାଣିବା।

ଚଳିତବର୍ଷ ନଭେମ୍ବର ୮ ତାରିଖରେ ସାରା ଦେଶରେ ଦୀପାବଳି ପାଳିତ ହେବ। ଏହି ଦିନଟି ରବିବାର ଓ ରବିବାର ସେୟାର ବଜାର ବନ୍ଦ ରହେ। ତେବେ ଦୀପାବଳି ଯୋଗୁ ବଜାର କିଛି ଘଣ୍ଟା ପାଇଁ ଖୋଲିବ ଓ ଏହି ସମୟରେ ମୁହୂର୍ତ୍ତ ଟ୍ରେଡିଂ ହେବ। ଏହି ପାରମ୍ପରିକ କାର୍ଯ୍ୟକ୍ରମ ଉଭୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ)ରେ ହେବ। ଦୀପାବଳିରେ ମୁହୂର୍ତ୍ତ ଟ୍ରେଡିଂ ମଧ୍ୟାହ୍ନ ୨ଟା ବାଜି ୫ ମିନିଟ୍ ରେ ଆରମ୍ଭ ହେବ ଓ ଅପରାହ୍ନ ୩ଟା ୩୦ମିନିଟ୍ ରେ ସମାପ୍ତ ହେବ। ଲାଇଭ ଟ୍ରେଡିଂ ଅଧିବେଶନ ସହିତ ମଧ୍ୟାହ୍ନ ଗୋଟାଏ ୫୦ ମିନିଟ୍ ରୁ ୨ଟା ୫ ମିନିଟ୍ ମଧ୍ୟରେ ଏକ ବଲ୍କ ଡିଲ ଅଧିବେଶନ ମଧ୍ୟ ଅନୁଷ୍ଠିତ ହେବ।

ପ୍ରି-ଓପନ ଅର୍ଡର ଏଣ୍ଟ୍ରି ଅଧିବେଶନ ୨ଟା ବାଜି ୫ ମିନିଟ୍ ରୁ ଆରମ୍ଭ ହୋଇ ୨ଟା ୧୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ପ୍ରି-ମାର୍କେଟ୍ ସେସନରେ ଲିମିଟ୍ ଓ ମାର୍କେଟ ଉଭୟ ପ୍ରକାରର ଅର୍ଡର ପାଇଁ ଅର୍ଡର ଏଣ୍ଟ୍ରି, ଏଥିରେ ପରିବର୍ତ୍ତନ (ମୋଡିଫିକେସନ) ଓ ଏହାକୁ ରଦ୍ଦ (କ୍ୟାନସଲ) କରିବାର ସୁବିଧା ମଧ୍ୟ ରହିବ। ଏହା ପରେ ୨ଟା ୧୫ ମିନିଟ୍ ରୁ ୨ଟା ୧୭ ମିନିଟ୍ ପର୍ଯ୍ୟନ୍ତ ପ୍ରି-ଓପନ (ଅର୍ଡର ମ୍ୟାଚିଂ ଓ ଟ୍ରେଡ କନଫର୍ମେସନ)ର ସମୟ ରହିବ। ଏହା ପରେ ୨ଟା ୧୭ ମିନିଟ୍ ରୁ ୨ଟା ୨୦ ମିନିଟ୍ ପର୍ଯ୍ୟନ୍ତ ପ୍ରି-ଓପନ ବଫର ପିରିୟଡ ରହିବ। ମଧ୍ୟାହ୍ନ ୨ଟା ୨୦ ମିନିଟ୍ ରୁ ଅପରାହ୍ନ ୩ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଟ୍ରେଡିଂ ହେବ।

ଏଥିରେ ଆପଣ ଯଦି ଦୀପାବଳି ଦିନ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାକୁ ଚାହିଁବେ ତେବେ କରିପାରିବେ। ହେଲେ ଏହା ଜରୁରି ନୁହେଁ ଯେ ଆପଣ ନିବେଶ କରିଦେଲେ ଓ ତାହା ହୋଇ ଗଲା। କାରଣ ଆପଣ ଯେତେବେଳେ ନିବେଶ ପାଇଁ ଅଗ୍ରସର ହୁଅନ୍ତି ଏଥି ପାଇଁ ଆପଣଙ୍କୁ ଅର୍ଡର ଲଗାଇବାକୁ ପଡେ। ଅନେକ ଟ୍ରେଡିଂ ପ୍ଲାଟଫର୍ମ ଦୀପାବଳି ଦିନ ଏସଆଇପି ଆରମ୍ଭ କରିବାକୁ ଅଥବା ଫଣ୍ଡ କ୍ରୟ ନିମନ୍ତେ ବିକଳ୍ପ ଦେଇ ଥାନ୍ତି। ଅର୍ଥାତ ଆପଣ ଅର୍ଡର ସବମିଟ କରିପାରିବେ। ତେବେ ଏହି ଅର୍ଡର ସେବେଠୁ ଆରମ୍ଭ ହେବ ଯେବେ ଆପଣଙ୍କ ନିବେଶ ମ୍ୟୁଚୁଆଲ ଫଣ୍ଡ ପର୍ଯ୍ୟନ୍ତ ପହଞ୍ଚିବ। ସେହି ବିଜନେସ୍ ଡେ ଆଧାରର ଏନଏଭି ଆଲଟ ହେବ।