ମୁମ୍ବାଇ, ୦୩/୦୫ : ଚେନ୍ନାଇଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଦଳର ପ୍ଲେ-ଅଫ୍ ଖେଳିବା ସ୍ୱପ୍ନ ଭାଙ୍ଗିଯାଇଛି । ଲଗାତାର ଖରାପ ପ୍ରଦର୍ଶନ ଏବଂ ଶୋଚନୀୟ ପରାଜୟ ପରେ ଟିମ୍ ପ୍ଲେ-ଅଫ୍ ରେସରୁ ଏକ ପ୍ରକାର ବାଦ୍ ପଡିଛି । କେବଳ ଔପଚାରିକ ଘୋଷଣାକୁ ବାକି ରହିଛି । ତେବେ ଦଳର ଏପରି ଅବସ୍ଥାକୁ ନେଇ ନେଟିଜେନ୍ସ୍ ପ୍ରଶ୍ନ ଉଠାଇଛନ୍ତି । ମୁମ୍ବାଇର ଫ୍ୟାନ୍ସ ମ୍ୟାନେଜମେଣ୍ଟକୁ ଜସପ୍ରିତ ବୁମରା, ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମାଙ୍କ ଫର୍ମକୁ ନେଇ ଅଡୁଆରେ ପକାଇଛନ୍ତି ।

ମୁମ୍ବାଇ ଚଳିତ ଟୁର୍ଣ୍ଣାମେଣ୍ଟରେ ୯ଟି ମ୍ୟାଚ୍ ଖେଳିଛି । ଏସମସ୍ତ ମୁକାବିଲା ଖେଳିଛନ୍ତି ବୁମରା । କିନ୍ତୁ ସେ ମାତ୍ର ତିନୋଟି ଓ୍ୱିକେଟ୍ ହାସଲ କରିଛନ୍ତି । ସେହିପରି ସୂର୍ଯ୍ୟକୁମାର ଯାଦବଙ୍କ ଆଭରେଜ ରହିଛି ୨୦ । ଅନ୍ୟ ଦିଗରେ ତିଲକ ହାରାହାରି ଭାବେ ଗୋଟିଏ ମୁକାବିଲାରେ ମାତ୍ର ୨୪ ରନ୍ ହିଁ କରିଛନ୍ତି ।

ଏହାକୁ ନେଇ ଦଳର କୋଚ୍ ମାହେଲା ଜୟବର୍ଧନେ କହିଛନ୍ତି ଯେ, ଦଳର ଟପ୍ ପ୍ଲେୟାରଙ୍କ କୌଣସି ଦୋଷ ନାହିଁ । ଏହା କେବଳ ସମୟର କଥା । ସୂର୍ଯ୍ୟ ଆଉଟ୍ ଅଫ୍ ଫର୍ମରେ ଥିବା କହିହେବନି । ସେ ଶନିବାର ଭଲ ଖେଳିଛନ୍ତି । ଯଦି ସେ ଆଉ କିଛି ଓଭର ଖେଳିଥାନ୍ତେ ତାହାଲେ ଦଳ ଭଲ ସ୍କୋର୍ କରିପାରିଥାନ୍ତା ।

ଏତତ୍ ବ୍ୟତୀତ ତିଲକଙ୍କୁ ନେଇ କୋଚ୍ କହିଛନ୍ତି ଯେ, ଏବେବି ସେ ଅନେକ କିଛି ଶିଖୁଛନ୍ତି । ଟି୨୦ରେ କିପରି ଖେଳାଯାଏ ସେବାବଦରେ ଅନେକ କିଛି ଶିଖିବାକୁ ବାକି ରହିଛି । ଅନେକ ସମୟରେ ସେ ବଡ ବଡ ମୁକାବିଲାରେ ଭଲ ପ୍ରଦର୍ଶନ କରିଛନ୍ତି । ସେହିପରି ବୋଲିଂ ବିଭାଦରେ ଦଳ ଦୁର୍ବଳ ରହିଛି । ଖାଲି ବୁମରା ନୁହେଁ ଦଳର ଅନେକ ବୋଲର ଫ୍ଲପ୍ ହୋଇଛନ୍ତି । ଆଶାନୁରୂପ ଓ୍ୱିକେଟ୍ ନେଇନାହାଁନ୍ତି ବୋଲି ଜୟବର୍ଧନେ ପ୍ରକାଶ କରିଛନ୍ତି ।