ନୂଆଦିଲ୍ଲୀ: ଟାଟା ଗ୍ରୁପର କୁଲିଂ ପ୍ରଡକ୍ଟ ତିଆରି କରୁଥିବା କମ୍ପାନୀ ଭୋଲ୍‌ଟାସ୍‌ର ଚେୟାରମ୍ୟାନ ଓ ଡାଇରେକ୍ଟର ପଦରୁ ଅବସର ନେବେ ନୋଏଲ ଏନ ଟାଟା। ତାଙ୍କୁ ୭୦ ବର୍ଷ ପୂରି ଯାଉଥିବାରୁ ଟାଟା ଗ୍ରୁପର ଗାଇଡଲାଇନ୍ସ ଅନୁସାରେ ସେ ୧୧ ନଭେମ୍ବର ୨୦୨୬ରେ ଅବସର ଗ୍ରହଣ କରିବେ। ଅବସର ପରେ କମ୍ପାନୀର ବୋର୍ଡ ତାଙ୍କୁ ୧୨ ନଭେମ୍ବର ୨୦୨୬ରେ ଚେୟାରମ୍ୟାନ ଏମିରେଟ୍ସ ପଦରେ ନିଯୁକ୍ତି ଦେବ।

ଚେୟାରମ୍ୟାନ ଏମିରେଟ୍ସ ପଦ ଏକ ପରାମର୍ଶଦାତାର ପଦବୀ। ବ୍ୟକ୍ତିଙ୍କର ଲମ୍ଭା ଅନୁଭବ ପାଇଁ ତାଙ୍କୁ ସମ୍ମାନର ସହ ଏହି ପଦରେ ନିଯୁକ୍ତି ଦିଆଯାଏ। ସେ କମ୍ପାନୀର ଦୌନନ୍ଦିନ କାର୍ଯ୍ୟରେ ସାମିଲ ହେବେ ନାହିଁ। କିନ୍ତୁ ଦରକାର ପଡ଼ିଲେ ପରାମର୍ଶ ଦେଇପାରିବେ।

ସୁନୀଲ ଡିସୁଜା ହେବେ ଭୋଲ୍‌ଟାସର ନୂଆ ଚେୟାରମ୍ୟାନ୍

ନୋଏଲ ଟାଟାଙ୍କ ଅବସର ପରେ ସୁନୀଲ ଜିସୁଜାଙ୍କୁ ଭୋଲ୍‌ଟାସ୍‌ର ଚେୟାରମ୍ୟାନ୍‌ ପଦରେ ନିଯୁକ୍ତି ଦିଆଯିବ। ସୁନୀଲ ବର୍ତ୍ତମାନ ଟାଟା ଗ୍ରୁପର ଏଫ୍‌ଏମ୍‌ସିଜି କମ୍ପାନୀ ଟାଟା କଞ୍ଜ୍ୟୁମର ପ୍ରଡକ୍ଟ୍ସ ଲିମିଟଡେ୍(TCPL)ର ଡାଇରେକ୍ଟର ଓ ସିଇଓ ଅଛନ୍ତି। ତାଙ୍କ ନେତୃତ୍ୱରେ ଟାଟାର ଏଫ୍‌ଏମ୍‌ସିଜି କମ୍ପାନୀ ଟାଟା ସଲ୍ଟ, ଟାଟା ଟି, ଟେଟଲୀ ଓ ଟାଟା ସମ୍ପନ୍ନ ଭଳି ବ୍ରାଣ୍ଡରେ ଲୁଣ, ଚା’ କଫି, ପ୍ୟାକେଜ୍ଡ ଫୁଡ୍ ଓ ବେଭରେଜ୍‌ ଭଳି ବ୍ୟବସାୟ କରୁଛି। ହେଲେ ନଭେମ୍ବର ୧୨ ତାରିଖରୁ ସୁନୀଲ ଭୋଲ୍‌ଟାସ୍‌ର ଚେୟାରମ୍ୟାନ୍ ଓ ଡାଇରେକ୍ଟର ପଦ ସମ୍ଭାଳିବେ।

Also Credit- EXPLAINED: ଭିଡିଓକନ ନାଁରେ ଲୋନ୍, କାହିଁକି ଦେବାଳିଆ ଘୋଷିତ ହେଲେ ବେଣୁଗୋପାଳ?

କମ୍ପାନୀର ନିୟମ ପାଇଁ ନୋଏଲ ନେବେ ଅବସର

କମ୍ପାନୀଜ୍ ଆକ୍ଟ ୨୦୧୩ ଅନୁସାରେ ୭୦ ବର୍ଷ ହେବା ପରେ କୌଣସି ବ୍ୟକ୍ତି ଏମ୍‌ଡି କିମ୍ବା ହୋଲ୍-ଟାଇମ୍ ଡାଇରେକ୍ଟର ପଦରେ ରହିପାରିବେ ନାହିଁ, କି ତାଙ୍କର କୌଣସି ପୁନଃ ନିଯୁକ୍ତି ବି ହେବନି।  ୧୨ ନଭେମ୍ବର ୧୯୫୬ ମସିହାରେ ଜନ୍ମ ହୋଇଥିବା ନୋଏଲ୍‌ଙ୍କୁ ୨୦୨୬ ନଭେମ୍ବର ୧୨ ତାରିଖକୁ ୭୦ ବର୍ଷ ପୂରୁଛି। ତେଣୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ। ଗ୍ରୁପର ଏହି ପଲିସି ପାଇଁ କିଛିଦିନ ପୂର୍ବରୁ ନୋଏଲ ଟାଟା ଗ୍ରୁପର ରିଟେଲ ଫାର୍ମ ଟ୍ରେଣ୍ଟ ଗ୍ରୁପର ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଥିଲେ । ଏହି ଇସ୍ତଫା ନଭେମ୍ବର ୧୧ ତାରିଖରୁ କାର୍ଯ୍ୟକାରୀ ହେବ।

ସୂଚନା ଥାଉକି ନୋଏଲ ଟାଟା ୨୦୦୩ ମସିହାରୁ ଭୋଲଟାସ୍ କମ୍ପାନୀ ସହିତ ଜଡିତ ଥିବା ବଳେ ୨୦୧୭ରେ ଏହାର ଚେୟାରମ୍ୟାନ ପଦ ସମ୍ଭାଳିଥିଲେ। ସେ ବର୍ତ୍ତମାନ ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ବି ଅଛନ୍ତି। ଭୋଲଟାସ ବ୍ୟତୀତ ଚଳିତ ବର୍ଷ ନୋଏଲ ଟାଟା ଅନ୍ୟ ବଡ଼ କମ୍ପାନୀଗୁଡ଼ିକର ବୋର୍ଡରୁ ଅବସର ନେବେ। ସେଗୁଡ଼ିକ ମଧ୍ୟରେ ଟାଇଟନ, ଟାଟା ଇନଭେଷ୍ଟମେଣ୍ଟ, ଟାଟା ଷ୍ଟିଲ, ଓ ଟାଟା ଇଣ୍ଟରନ୍ୟାସନାଲ ଆଦି କମ୍ପାନୀ ରହିଛି।