କଟକ ୬।୧୧: ପ୍ରାୟ ୨୦ ବର୍ଷ ହେବ କଟକ ବାଲିଯାତ୍ରା ସହିତ ଏମାନଙ୍କର ସମ୍ପର୍କ। ଦିନ ଥିଲା ଶାଗ ମାଛ ଦରରେ ପ୍ଲଟ ମିଳିଯାଉଥିଲା। ସେତେବେଳେ ଦୋଳି ବାବଦରେ ଟିକେଟ୍ ଦର ମଧ୍ୟ ଖୁବ୍ କମ୍ ଥିଲା। ଏବେ କିନ୍ତୁ ସେଭଳି ପରିବେଶ ନାହିଁ। ନାଁକୁ କେବଳ ସରକାରୀ ସ୍ତରରେ ହେଉଛି ବୃହତ ବାଣିଜ୍ୟ ମେଳା। ହେଲେ ସବୁକିଛି ମହଙ୍ଗା। ଏଥର ପୁଣି ପାଗ ପ୍ରତିକୂଳ ରହୁଛି, ବାଲିଯାତ୍ରା ବେଳକୁ ପାଗ ଅନୁକୂଳ ରହିବ ତାହା କହିବାଟା ମୁସ୍କିଲ।

ସମସ୍ତ ଆଶା ଆଶଙ୍କା ସତ୍ତ୍ବେ, ଦୋଳି ବ୍ୟବସାୟୀ ମାନେ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଇଛନ୍ତି। ବାଲିଯାତ୍ରା ପଡିଆକୁ ଦୋଳି ବୋଝେଇ ଟ୍ରକ ସବୁ ଆସିଲାଣି। କିଛି ସାମଗ୍ରୀ ପଡିଆକୁ ଓହ୍ଲାଇ ସାରିଛି, ଅବଶିଷ୍ଟ ଜିନିଷ ଟ୍ରକରୁ ଓହ୍ଲାଇବା ମାତ୍ରେ ଯୋଡିବା କାମ ଆରମ୍ଭ ହୋଇଯିବ। ହେଲେ ବ୍ୟବସାୟୀଙ୍କ ମନରେ ପୂର୍ବଭଳି ଉତ୍ସାହ ନାହିଁ।

ବାଲିଯାତ୍ରା ପଡିଆରେ ଏବେ ରାଜସ୍ବ ବିଭାଗର କର୍ମଚାରୀଙ୍କୁ ଟିକିଏ ଅଧିକ ପରିଶ୍ରମ ପଡୁଛି। କାରଣ ପ୍ଲଟ ନିଲାମୀ ସହିତ ଆଲଟମେଣ୍ଟ କାମ ମଧ୍ୟ ଆରମ୍ଭ ହୋଇଯାଇଛି। ୧୦ ବର୍ଗଫୁଟ ବିଶିଷ୍ଟ ପ୍ଲଟ ଗୁଡିକୁ ଆଜି ଡିମାର୍କେଟ କରାଯାଇ ବ୍ୟବସାୟୀଙ୍କୁ ହସ୍ତାନ୍ତର କରାଯିବାର ଲକ୍ଷ୍ୟ ରହିଛି। ତେଣେ ପ୍ଲଟ ନିଲାମୀ ପ୍ରକ୍ରିୟା ପାଇଁ ଆଉ ଗୋଟିଏ ଦିନ ସମୟ ଅଛି। ମୋଟ ୧୮ ଶହ ପ୍ଲଟରୁ ଆଜିସୁଦ୍ଧା ୧୨ ଶହ ନିଲାମ ସରିଲାଣି। ନୀଲାମିରେ ସର୍ବାଧିକ ଦର ୧୩ ଶହ ଟଙ୍କା ଯାଏ ଯାଇଛି। ତେଣୁ ସରକାରୀ ତହବିଲକୁ ଏବେ ସୁଦ୍ଧା ଆସିସାରିଛି ପ୍ରାୟ ସାଢେ ୪ କୋଟି ଟଙ୍କା। ଆଗକୁ ସ୍ପଟ ନିଲାମୀ ହେବ। ସେଥିରୁ ମଧ୍ୟ ବେଶ ଭଲ ରାଜସ୍ବ ମିଳବାର ସମ୍ଭାବନା ଅଛି।

ବାଲିଯାତ୍ରା ମୁଖ୍ୟ ତୋରଣ ମରାମତି କାମ ଆରମ୍ଭ କରିଛି KMC ପ୍ରଶାସନ। ତେଣେ ଓରମାସ ଷ୍ଟଲ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହେଲାଣି। କିନ୍ତୁ ପ୍ଲଟ ନିଲାମୀକୁ ନେଇ ଯେଭଳି ଦର ଧାର୍ଯ୍ୟ ହେଉଛି, ତାହା ଅନେକ କ୍ଷୁଦ୍ର ଓ ମଧ୍ୟମ ଶ୍ରେଣୀର ବ୍ୟବସାୟଙ୍କୁ ବ୍ୟଥିତ କରିଛି ।