ନୂଆଦିଲ୍ଲୀ: ଶନିବାର ୱେଲିଂଟନରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ଡିଏଲ୍ଏସ ମେଥଡରେ ୪ ରନରେ ବିଜୟୀ ହୋଇଛି। ଏହି ବିଜୟ ସହ ଦଳ ୫ ମ୍ୟାଚ୍ ବିଶିଷ୍ଟଟ ସିରିଜ୍‌ରେ ୨-୦ରେ ଆଗୁଆ ରହିଛି।

ଆଜିର ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ମାତ୍ର ୧୩୪ ରନ୍ କରିଥିଲା। ୧୩୫ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତ ବହୁ କଷ୍ଟରେ ୨୬ ଓଭରରେ ୭ ଓ୍ଵିକେଟ୍ ହରାଇ ୧୧୩ ରନ କରିଥିଲା। ବର୍ଷା ଯୋଗୁ ଅବଶିଷ୍ଟ ମ୍ୟାଚ୍ ଖେଳାଯାଇ ନ ପାରିବାରୁ ଡକ ଓ୍ଵର୍ଥ ଲୁଇସ୍ ନିୟମ ଅନୁସାରେ ଭାରତ ମ୍ୟାଚକୁ ୪ ରନରେ ଜିତି ନେଇଥିଲା।

ଏହି ବିଜୟ ସହ ଭାରତୀୟ ଦଳ ଓ ଏହାର ଖେଳାଳିମାନେ ଏକାଧିକ ରେକର୍ଡ କରିଛନ୍ତି। ଆଜିର ମ୍ୟାଚ୍ ଜିତି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ୧୧ଟି ମ୍ୟାଚ୍ ଜିତିବାର ରେକର୍ଡ କରିଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ କିୱି ବିପକ୍ଷରେ ସର୍ବାଧିକ ୧୦ଟି ମ୍ୟାଚ୍ ଜିତି ଶୀର୍ଷରେ ରହିଥିଲା। ଏବେ ଭାରତ ୧୧ ମ୍ୟାଚ୍ ଜିତି ଟପକୁ ଉଠିଛି।

Also Read- IND vs NZ 2nd ODI: ରୋମାଞ୍ଚକର ମୁକାବିଲାକୁ DLS ନିୟମରେ ଜିତିଲା ଭାରତ, ୧୧୩ ରନରେ ଆଉଟ୍ ହୋଇଥିଲେ ୭ ବ୍ୟାଟର

କେବଳ ସେତିକି ନୁହେଁ ୨୦୧୯ ପରେ ନ୍ୟୁଜିଲାଣ୍ଡକୁ ପ୍ରଥମ ଥର ଘରୋଇ ମାଟିରେ କୌଣସି ଦିନିକିଆ ସରିଜରେ ଲଗାତର ଦୁଇଟି ପରାଜୟର ସାମ୍ନା କରିବାକୁ ପଡ଼ିଛି। ୨୦୧୯ରେ ବି ଭାରତ ହିଁ ଘରୋଇ ମାଟିରେ ନ୍ୟୁଜିଲାଣ୍ଡକୁ ଦିନିକିଆ ସିରିଜରେ ଲଗାତର ଦୁଇଥର ହରାଇଥିଲା।

ଆଜିର ମ୍ୟାଚରେ ରୋହିତ ଶର୍ମା ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦୀଙ୍କ ରେକର୍ଡ ଭାଙ୍ଗିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି ରୋହିତ। ଆଜିର ମ୍ୟାଚରେ ରୋହିତ ଦୁଇଟି ଛକା ମାରିଥିଲେ। ଫଳରେ କିୱି ବିରୁଦ୍ଧରେ ଦିନିଆ ମୁକାବିଲାରେ ରୋହିତଙ୍କ ଛକା ସଂଖ୍ୟା ୫୧ ହୋଇଥିଲା। ଏହା ପୂର୍ବରୁ ଶାହିଦ ଆଫ୍ରିଦୀ ୫୦ଟି ଛକ୍କା ମାରି ଟପରେ ରହିଥିଲେ।

ସେହିପରି ବିରାଟ ଆଜିର ମ୍ୟାଚରେ କେବଳ ୭ ରନ୍ ବନାଇ ଆଉଟ ହୋଇଥିଲେ ବି ଏକ କିର୍ତ୍ତିମାନ ସ୍ଥାପନ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟ ସର୍ବାଧିକ ୧୯୭୮ ରନର ଦିନିକିଆ ରନ୍ କରିଛନ୍ତି। ଏହା ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପ୍ଟେନ ରିକି ପଣ୍ଟିଂ ୧୯୭୧ ରନ୍ କରି ଟପରେ ରହିଥିଲେ।