ନୂଆଦିଲ୍ଲୀ: ଘରୋଇ କ୍ରିକେଟରେ ନିରନ୍ତର ପ୍ରଭାବଶାଳୀ ପ୍ରଦର୍ଶନ କରିବା ସତ୍ତ୍ଵେ ବାରମ୍ବାର ଚୟନକର୍ତ୍ତାଙ୍କ ଦ୍ଵାରା ଅଣଦେଖା ହୋଇ ଚାଲିଲେ ତାରକା ଦ୍ରୁତ ବୋଲର ମହମ୍ମଦ ଶାମି। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଦଳରେ ସ୍ଥାନ ନ ମିଳିବାରୁ ଶେଷରେ ଗତକାଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ମହମ୍ମଦ ଶାମି। ଏହା ସହ ୧୩ ବର୍ଷର ଲାଲ ବଲ୍ କ୍ରିକେଟକୁ ସେ ଅଲବିଦା ଜଣାଇଛନ୍ତି। ତାଙ୍କର ଏହି ସନ୍ନ୍ୟାସକୁ ନେଇ ପୂର୍ବତନ କ୍ରିକେଟର  ଓ କ୍ରିକେଟ୍ ସମୀକ୍ଷକଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି। ଏହି କ୍ରମରେ ପୂର୍ବତନ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଶାମିଙ୍କ ସନ୍ନ୍ୟାସ ଘୋଷାଣା ଉପରେ ପ୍ରତିକ୍ରିୟା ଦେଇଛନ୍ତି।

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ହେଡ୍ କୋଚ୍ ଶାସ୍ତ୍ରୀ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ କହିବା କଥା ଏହି ଅନୁଭବୀ ଦ୍ରୁତ ବୋଲରଙ୍କୁ ଟେଷ୍ଟ କ୍ରିକେଟରେ ଅନ୍ତତଃ ଥରୁଟିଏ ସୁଯୋଗ ଦେବାର ଥିଲା। ଶାମିଙ୍କ ନିକଟରେ ଏବେ ବି ୩୦-୪୦ ଓ୍ଵିକେଟ୍ ନେବାର କ୍ଷମତା ରହିଛି। ମାତ୍ର ମଇଦାନରେ ତାଙ୍କୁ ପ୍ରମାଣିତ କରିବାର ସୁଯୋଗ ମଧ୍ୟ ମିଳିଲାନି।

Also Read: ବାୟୁ ପ୍ରଦୂଷଣର ପ୍ରଭାବ; ଦିଲ୍ଲୀରେ ହେବନି IND vs SL ଦିନିକିଆ, ଭେନ୍ୟୁ ବଦଳାଇଲା BCCI

ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ ଦିନିକିଆ ପୂର୍ବରୁ ଏକ୍ସଟ୍ରା ଇନିଂସ କାର୍ଯ୍ୟକ୍ରମରେ ରବିବାର ଶାସ୍ତ୍ରୀ କହିଛନ୍ତି, ଏହା ଦୁଃଖଦ ବିଷୟ ଯେ, ଏତେ ଭଲ ପ୍ରଦର୍ଶନ କରିବା ପରେ ବି ଖେଳାଳିଙ୍କୁ ଏହିପରି ବିଦା ହେବାକୁ ପଡ଼ୁଛି। ମୋତେ ଲାଗୁଛି ତାଙ୍କ ଭିତରେ ଏବେ ବି ୩୦-୪୦ ଓ୍ଵିକେଟ୍ ନେବାର କ୍ଷମତା ଥିଲା। ତାଙ୍କୁ ଗତ ୧୨ ମାସରୁ ଖେଳାଇବାର ଥିଲା ଏବଂ ଅନ୍ତତଃ ଟେଷ୍ଟ କ୍ରିକେଟରେ ଦଳରେ ସୁଯୋଗ ମିଳିବାର ଥିଲା।

ମହମ୍ମଦ ଶାମି ୨୦୨୩ ଦିନିକିଆ ବିଶ୍ଵକପ୍ ପରେ ଲଗାତାର ଆହତ ସମସ୍ୟା ଦେଇ ଗତି କରିଥିଲେ। ୨୦୨୪ ଫେବୃଆରୀରେ ତାଙ୍କ ପାଦ ଗୋଇଠିର ସର୍ଜରୀ ହୋଇଥିଲା। ଏହା ପରେ ଆଣ୍ଠୁ ସମସ୍ୟା ଦେଖା ଦେଇଥିଲା। ଏହି କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରୁ ବାହାରେ ଥିଲେ।

Also Read: CSK ଏବଂ SRH ମଧ୍ୟରେ ଟ୍ରେଡ୍ ଡିଲ୍: ଖଲିଲ୍-ଏଲିସ୍ ଆସିଲେ ହାଇଦ୍ରାବାଦ, କେଉଁ ଦୁଇ ଖେଳାଳିଙ୍କୁ ନେଲା ଚେନ୍ନାଇ

ଅଗରକରଙ୍କ ବୟାନକୁ ନେଇ ହଲଚଲ୍

୨୦୨୫ ଇଂଲଣ୍ଡ ଗସ୍ତରେ ଶାମିଙ୍କ ଚୟନ ନ କରାଯିବା ଉପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଥିଲେ, ମହମ୍ମଦ ଶାମିଙ୍କ କାର୍ଯ୍ୟଭାର ପାଞ୍ଚ ଟେଷ୍ଟର ଚ୍ୟାଲେଞ୍ଜିଂ ଦୃଷ୍ଟିରୁ ପର୍ଯ୍ୟାପ୍ତ ନ  ଥିଲା। ଡାକ୍ତରୀ ଦଳ ମଧ୍ୟ ତାଙ୍କୁ ଚୟନ ନ କରିବାକୁ ପରାମର୍ଶ ଦେଇ ଥିଲେ। ଏହା ଉପରେ ଶାସ୍ତ୍ରୀ କହିଛନ୍ତି, ଯଦି କୌଣସି ଖେଳାଳି ଜିମରେ ଫିଟ୍ ଅଛନ୍ତି, ମାତ୍ର ୧୦ କିମ୍ବା ୧୨ ଓଭର ବୋଲିଂ କରି ପାରୁ ନାହାନ୍ତି ତବେ ଏମିତି ଫିଟନେସର କଣ ଫାଇଦା ? କିନ୍ତୁ ଆପଣଙ୍କ ପାଖରେ ଶାମିଙ୍କ ପରି ଏମିତି ବୋଲର ଥିଲେ ଯିଏ ଲଗାତାର ବୋଲିଂ କରୁଥିଲେ। ଏଥିପାଇଁ ମୁଁ ନିରାଶ ଯେ ତାଙ୍କୁ ଥରୁଟିଏ ବି ସୁଯୋଗ ଦିଆଗଲା ନାହିଁ।

ପଶ୍ଚିମବଙ୍ଗ ପାଇଁ ଦମଦାର ପ୍ରଦର୍ଶନ

ମହମ୍ମଦ ଶାମି ଭାରତୀୟ ଦଳରୁ ବାହାରେ ଥିବା ସମୟରେ ପଶ୍ଚିମବଙ୍ଗ ପାଇଁ ଘରୋଇ କ୍ରିକେଟରେ ଲଗାତାର ଖେଳି ଆାସୁଛନ୍ତି। ସେ ୨୦୨୬-୨୭ରେ ପୂର୍ବାଞ୍ଚଳ ପକ୍ଷରୁ ତିନୋଟି ମ୍ୟାଚ୍ ଖେଳି ୭ ଓ୍ଵିକେଟ୍ ନେବା ସହ ଦଳକୁ ଚାମ୍ପିଅନ କରାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଚଳିତ ରଣଜୀ ସିଜିନର ପ୍ରଥମ ୩ଟି ମ୍ୟାଚରୁ ୧୪ଟି ଓ୍ଵିକେଟ୍ ନେଇଛନ୍ତି। ଏହା ଉପରେ ଶାସ୍ତ୍ରୀ କହିଛନ୍ତି, ଶାମି ବଙ୍ଗାଲ ପାଇଁ  ପ୍ରତିଟି ମ୍ୟାଚ୍ ଖେଳୁଥିଲେ ଏବଂ ୧୫-୨୦ ଓଭର ବୋଲିଂ କରୁଥିଲେ। କୌଣସି ଖେଳାଳିଙ୍କ ମ୍ୟାଚ୍ ଫିଟନେସ୍ ପରଖିବା ପାଇଁ ଆଉ କଣ ମାପଦଣ୍ଡ ହୋଇପାରେ ବୋଲି ଶାସ୍ତ୍ରୀ ପ୍ରଶ୍ନ କରିଛନ୍ତି।

Also Read: ଦରକାର ଆଉ ମାତ୍ର ୧ ରନ୍, ନୂଆ ଇତିହାସ ଲେଖିବେ ବିରାଟ : ଭାଙ୍ଗିବେ ବଡ଼ ରେକର୍ଡ

ଟେଷ୍ଟରୁ ସନ୍ନ୍ୟାସ ନେଇଥିଲେ ହେଁ ଶାମିଙ୍କ କ୍ରିକେଟ୍ ଖେଳିବା ଜାରି ରହିବ। ସେ ଦିନିକିଆ ଓ ଟି-୨୦ କ୍ରିକେଟ୍ ଖେଳିବାକୁ ଚାହାନ୍ତି। ଆଗାମୀ ଦିନିକିଆ ବିଶ୍ଵକପ୍ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବା ପାଇଁ ପ୍ରୟାସ  କରି ପାରନ୍ତି। ଭାରତ ପାଇଁ ଶାମି ଶେଷ ମ୍ୟାଚ୍ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସେ ପାଞ୍ଚଟି ମ୍ୟାଚରୁ ୯ଟି ଓ୍ଵିକେଟ୍ ନେଇ ବରୁଣ ଚକ୍ରବର୍ତ୍ତୀଙ୍କ ସହ ଯୁଗ୍ମ ଭାବେ ଭାରତ ପାଇଁ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ଥିଲେ।