ନୂଆଦିଲ୍ଲୀ, ୦୪/୦୯: ଭାରତୀୟ କ୍ରିକେଟ୍ ଦଳର ଭବିଷ୍ୟତ ବୈଭବ ସୂର୍ଯ୍ୟବଂଶୀ । ଦମଦାର ବ୍ୟାଟର ସେ । ଖେଳନ୍ତି ବଡ ବଡ ସଟ୍ । ସବୁ ଟପ୍ ବୋଲରଙ୍କ ନିଦ ହଜାଇ ଦେଇଛନ୍ତି । ଆଇପିଏଲରେ ଜିତିଛନ୍ତି ଅରେଞ୍ଜ୍ କ୍ୟାପ୍ । ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରେ ସେ ଏବେ କ୍ରାଉଡ୍ ପୁଲର । ତେବେ ବିସିସିଆଇର ବୈଠକ ପରେ ବୈଭବଙ୍କୁ ନେଇ ବଡ କଥା କହିଛନ୍ତି ସଚିବ ଦେବଜିତ ସାଇକିୟା ।

ଦେବଜିତ କହିଛନ୍ତି ଯେ, ବୈଭବ ସଚିନ ତେନ୍ଦୁଲକରଙ୍କ ଭଳି ଦୀର୍ଘଦିନ ଯାଏଁ ସଫଳ ଖେଳାଳି ଭାବେ ନିଜକୁ ପ୍ରମାଣିତ କରନ୍ତୁ । ଏହା ବୋର୍ଡ ଚାହୁଁଛି । ଏବେ ସେ ମାତ୍ର ୧୫ ବର୍ଷର ଖେଳାଳି । ତାଙ୍କୁ ଠିକ୍ ମାର୍ଗ ଦେଖାଇଲେ ସେ ଭଲ କରିବେ । ଗୋଟିଏ ସିରିଜର ସଫଳତାକୁ ନେଇ କିଛି କହିହେବ ନାହିଁ । ସେ ଦୀର୍ଘଦିନ ଭଲ ଖେଳିବା ଦରକାର । ଯାହା ଦ୍ୱାରା ସେ ବହୁତ କିଛି ହାସଲ କରିପାରିବେ ।

ଗୁରୁବାର ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଦଳର ଅଧିନାୟକଙ୍କ ସହ ବୋର୍ଡର ବରିଷ୍ଠ ଅଧିକାରୀ ସାମିଲ ଥିଲେ । ବୈଠକ ପରେ ଦେବଜିତ କହିଛନ୍ତି ଯେ, ବିସିସିଆଇ ବୈଭବଙ୍କୁ ନଜରରେ ରଖିଛି । ଏହାସହ ଅନ୍ୟ ଯୁବ ଖେଳାଳି ବିସିସିଆଇର ଭବିଷ୍ୟତ ତାଲିକାରେ ରହିଛନ୍ତି । ସେମାନଙ୍କୁ ଉଚିତ ମାର୍ଗ ଦେଖାଇବା ଜରୁରୀ । ଏହାଦ୍ୱାରା ବଡ ଏବଂ ସଫଳ କ୍ୟାରିଅର ଗଠନ ହୋଇପାରିବ ।

ସେ ଆହୁରି କହିଛନ୍ତି ଯେ, ବିସିସିଆଇ ବିନା ସଙ୍କୋଚରେ ୧୫ ବର୍ଷର ପ୍ରତିଭାବାନ ଖେଳାଳିଙ୍କୁ ଆଗକୁ ପଠାଇଥାଏ । ଏହା ବୋର୍ଡର ଉଚିତ ନିଷ୍ପତ୍ତି ଅଟେ । ବୈଭବ ନିଜକୁ ପ୍ରମାଣିତ କରିଛନ୍ତି । କିନ୍ତୁ ସେ କିପରି ଠିକ୍ ରାସ୍ତାରେ ଯିବେ ତାହା ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ସଚିନଙ୍କ ଭଳି ବୈଭବ ଲମ୍ବା ଖେଳନ୍ତୁ ବୋଲି ସମସ୍ତେ ଚାହୁଁଛନ୍ତି । ତାଙ୍କ ଭବିଷ୍ୟତକୁ ନେଇ ମଧ୍ୟ ବିସିସିଆଇର ଫୋକସ ରହିଛି ।

Also Read :- ପୁଣି ଲଘୁଚାପ : ଗଭୀର ଅବପାତର ରୂପ ନେବ ! ଖୁବ୍ ଶୀଘ୍ର ଆସିବ ସ୍ପଷ୍ଟ ଚିତ୍ର

ସୂଚନାଯୋଗ୍ୟ, ବୈଭବ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଡେବ୍ୟୁ କରିଥିଲେ । କିନ୍ତୁ ସେତେ କରିସ୍ମା କରିପାରିନଥିଲେ । ହେଲେ ଜିମ୍ବାଓ୍ୱେ ବିପକ୍ଷରେ ତାଙ୍କ ବ୍ୟାଟ୍ ଗର୍ଜନ କରିଥିଲା । ଏହାସହ ଘରୋଇ ଦଲୀପ ଟ୍ରପିରେ ମଧ୍ୟ ସେ ଦମଦାର ପ୍ରଦର୍ଶନ କରୁଛନ୍ତି । ତାଙ୍କୁ ପୂର୍ବାଞ୍ଚଳର ଉପ ଅଧିନାୟକ ଦାୟିତ୍ୱ ମଧ୍ୟ ମିଳିଛି ।