କ୍ରାଇଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ବିପକ୍ଷ ରୋମାଞ୍ଚକର ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ସିନା ଶେଷରେ ବାଜି ମାରିନେଲା, କିନ୍ତୁ ଗୋଟିଏ ସମୟରେ ବିଜୟ ହାତପାହାନ୍ତାରୁ ଖସିଯିବା ଭଳି ସ୍ଥିତି ଉପୁଜିଥିଲା। ୨୨୬ ରନର ପାହାଡ଼ ସଦୃଶ ଲକ୍ଷ୍ୟକୁ ପିଛା କରୁଥିବା ଟିମ୍ ଇଣ୍ଡିଆ ପ୍ରଥମ ୬ ଓଭର ଅର୍ଥାତ୍ ପାୱାରପ୍ଲେରେ ହିଁ ୯୩ ରନ୍ ସଂଗ୍ରହ କରି ମ୍ୟାଚକୁ ସମ୍ପୂର୍ଣ୍ଣ ନିଜ ନିୟନ୍ତ୍ରଣକୁ ନେଇଆସିଥିଲା। ହେଲେ ଏହାପରେ କୋଚ୍ ଗୌତମ ଗମ୍ଭୀର ଓ ଅଧିନାୟକ ଶ୍ରେୟସ ଆୟରଙ୍କ ଗୋଟିଏ ନିଷ୍ପତ୍ତି ଦଳକୁ ସଙ୍କଟ ଭିତରକୁ ଠେଲି ଦେଇଥିଲା। ଯଦି ଶେଷଆଡ଼କୁ ନମନ ଧୀର ବିସ୍ଫୋରକ ଅପରାଜିତ ୪୨ ରନ୍‌ର ପାରୀ ଖେଳି ନଥାନ୍ତେ, ତେବେ ହାତରୁ ବାହାରି ଯାଇଥାନ୍ତା ଜିତିବା ମ୍ୟାଚ୍।

ଦମଦାର ଆରମ୍ଭ ଓ ଏକ ଅଜବ ନିଷ୍ପତ୍ତି

ହାଗଲେ ଓଭାଲରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୨୫ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। କିଓ୍ଵି ମାଟିରେ ସବୁଠାରୁ ବଡ଼ ସଫଳ ରନ୍ ଚେଜ୍ କରି ଇତିହାସ ରଚିବାକୁ ଥିବା ଭାରତକୁ ସଞ୍ଜୁ ସାମସନ୍ ଓ ଅଭିଷେକ ଶର୍ମା ଦ୍ରୁତ ଆରମ୍ଭ ଦେଇଥିଲେ। ଦୁହେଁ ମାତ୍ର ୫.୫ ଓଭରରେ ୯୩ ରନର ଭାଗିଦାରୀ ଗଢ଼ି ବିପକ୍ଷ ବୋଲରଙ୍କୁ ପ୍ରହାର କରିଥିଲେ।

ତେବେ ପ୍ରଥମ ୱିକେଟ୍ ପତନ ପରେ ମ୍ୟାଜିକ୍ ଫର୍ମରେ ଥିବା ଇଶାନ କିଷନଙ୍କୁ ୩ ନମ୍ବରରେ ନପଠାଇ ତିଲକ ବର୍ମାଙ୍କୁ ପ୍ରମୋଟ୍ କରାଯାଇଥିଲା। ଗତ କିଛି ଦିନ ହେବ ଧୀମା ବ୍ୟାଟିଂ ପାଇଁ ସମାଲୋଚିତ ହେଉଥିବା ତିଲକଙ୍କୁ ଆଗୁଆ ବ୍ୟାଟିଂ ଦେବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଓଲଟା ପଡ଼ିଥିଲା।

Also Read: ୨୧ ଚୌକା ଏବଂ ୧୦ ଛକା, ୧୧୬ ବଲରେ ୨୦୨ ରନ୍: ଦିନିକିଆରେ ଦ୍ରୁତତମ ଦ୍ୱିଶତକ ମାରିଲେ ହ୍ୟାରି ବ୍ରୁକ୍

ବୁଲେଟ୍ ଟ୍ରେନ୍ ଗତିରେ ବ୍ରେକ୍

ତିଲକ ବର୍ମା ବ୍ୟାଟିଂ କରିବାକୁ ଆସିବା ପରେ ଭାରତର ରନ୍ ସଂଗ୍ରହ ଗତି ଅତି ମନ୍ଥର ହୋଇଯାଇଥିଲା। ବଡ଼ ସଟ୍ ଖେଳିବା ତ ଦୂରର କଥା, ସେ ସିଙ୍ଗଲ୍ ନେବାକୁ ମଧ୍ୟ ସଂଘର୍ଷ କରୁଥିବା ଦେଖାଯାଇଥିଲା। ତିଲକ ମାତ୍ର ୫୦ ଷ୍ଟ୍ରାଇକ ରେଟ୍‌ରେ ୧୧ଟି ବଲରୁ ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ।

ଗମ୍ଭୀର ଓ ଶ୍ରେୟସଙ୍କ ଏହି ନିଷ୍ପତ୍ତି ଆହୁରି ଭୁଲ୍ ସାବ୍ୟସ୍ତ ହୋଇଥିଲା ଯେତେବେଳେ ୫ମ ସ୍ଥାନରେ ଆସିଥିବା ଇଶାନ କିଷାନ ମଧ୍ୟ ମାତ୍ର ୧ ରନ୍ କରି ପାଭିଲିୟନ୍ ଫେରିଥିଲେ। ଯେଉଁ ବ୍ୟାଟର ବିଗତ ବର୍ଷେ ହେବ ଦମଦାର ଫର୍ମରେ ଅଛନ୍ତି, ତାଙ୍କ ସ୍ଥାନ ପରିବର୍ତ୍ତନ କରିବା ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି।

Also Read: କୋହଲି ଓ ରୋହିତଙ୍କୁ ଫିଟ୍ ରହିବାକୁ ପଡ଼ିବ, ଦୁଇଟି ସର୍ତ୍ତ ରଖିଲେ BCCI ଅଧ୍ୟକ୍ଷ

ଏକାକୀ ବାଜି ପଲଟାଇଲେ ନମନ ଧୀର

ମ୍ୟାଚ୍ ସମ୍ପୂର୍ଣ୍ଣ ଭାବେ ନ୍ୟୁଜିଲାଣ୍ଡ କବଜାକୁ ଚାଲିଯାଇଥିବା ସମୟରେ ଶେଷଭାଗରେ କ୍ରିଜ୍‌କୁ ଆସିଥିଲେ ନମନ ଧୀର। ସେ ନ୍ୟୁଜିଲାଣ୍ଡ ବୋଲିଂ ଆକ୍ରମଣକୁ ଚାପରେ ପକାଇ ମାତ୍ର ୧୫ଟି ବଲରୁ ୫ଟି ଚୌକା ଓ ୨ଟି ଛକା ସହାୟତାରେ ଅପରାଜିତ ୪୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ।

ତାଙ୍କର ଏହି ନିର୍ଭୟ ବ୍ୟାଟିଂ ବଳରେ ଭାରତ ୨ ବଲ୍ ବାକି ଥାଇ ୨୨୬ ରନର ସଫଳ ରନ୍ ଚେଜ୍ କରିବାରେ ସମର୍ଥ ହୋଇଛି। ଗମ୍ଭୀର-ଶ୍ରେୟସଙ୍କ ନିଷ୍ପତ୍ତି ଯୋଗୁଁ ସିରିଜର ପ୍ରଥମ ମ୍ୟାଚରେ ହାରିବାର ଯେଉଁ ଆଶଙ୍କା ଦେଖାଦେଇଥିଲା, ତାହାକୁ ନମନ ନିଜ ବ୍ୟାଟିଂ ବଳରେ ଏକାକୀ ଟାଳି ଦେଇଛନ୍ତି।