ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋରଖପୁରରେ ବୁଲା କୁକୁର କାମୁଡ଼ାରେ ଗାଈର ମୃତ୍ୟୁ ଦାବି ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ସ୍ଥିତି ଏପରି ହୋଇଥିଲା ଯେ ୪୫୦ ଜଣ ଆଣ୍ଟି-ରାବିସ୍ ଟୀକା ମଧ୍ୟ ନେଇଛନ୍ତି । ସୂଚନା ଅନୁସାରେ, କୁକୁର କାମୁଡ଼ାରେ ମୃତ ଗାଈର କ୍ଷୀରରୁ ପ୍ରସ୍ତୁତ ଚରଣାମୃତ ଖାଇବା ପରେ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା ।

ସୂଚନା ଅନୁସାରେ, ଗୋଲା ବ୍ଲକ ଅନ୍ତର୍ଗତ ଦାଦି ଖାସ୍ ଗାଁରେ ଦୁର୍ଗାପୂଜା ଉତ୍ସବ ସମୟରେ ଭକ୍ତମାନେ ଏହି ଚରଣାମୃତ ପିଇଥିଲେ । ଗାଈଟିକୁ କୁକୁର କାମୁଡ଼ିଥିବା ଏବଂ ମରିବା ପୂର୍ବରୁ ଅସ୍ୱାଭାବିକ ଆଚରଣ କରିଥିବା କଥା ଗ୍ରାମବାସୀ ଜାଣିବା ପରେ ସେଠାରେ ଆତଙ୍କ ଖେଳିଯାଇଥିଲା । ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁଯାୟୀ, ମଙ୍ଗଳବାର ପ୍ରାୟ ୫୦ ଜଣ ଲୋକ ଆଣ୍ଟି-ରାବିସ୍ ଇଞ୍ଜେକ୍ସନ୍ ନେଇଥିବାବେଳେ ବୁଧବାର ଦିନ ଆଉ ୪୦୦ ଜଣଙ୍କୁ ଟୀକା ଦିଆଯାଇଥିଲା । ସମ୍ଭାବ୍ୟ ସଂକ୍ରମଣକୁ ନେଇ ଚିନ୍ତା ବୃଦ୍ଧି ପାଇବାରୁ ଦାଦି ଖାସ୍ ଏବଂ ଗୋବିନ୍ଦପୁର ଗ୍ରାମର ଲୋକମାନେ ଡାକ୍ତରୀ ଚିକିତ୍ସା ପାଇଁ ପହଞ୍ଚିଥିଲେ ।

ସେପଟେ ଗାଈର ମାଲିକ ନବମୀ ଯାଦବ କହିଛନ୍ତି ଯେ ବୁଲା କୁକୁର କେବେ ଗାଈକୁ କାମୁଡ଼ିଥିଲା, ସେ ବିଷୟରେ ସେ ଜାଣିନାହାନ୍ତି । ସେ ନିୟମିତ ଭାବେ ଗାଁର ଦୁଇଟି ଦୋକାନ ଏବଂ କିଛି ପରିବାରକୁ କ୍ଷୀର ଦେଇ ଆସୁଥିଲେ । ଗାଈଟି ଗୋଟିଏ କିମ୍ବା ଦୁଇ ଦିନ ହେବ ଅସୁସ୍ଥ ହୋଇଥିଲା, କିନ୍ତୁ ମଙ୍ଗଳବାର ଏହାର ଅବସ୍ଥା ଅଧିକ ଖରାପ ହୋଇଯାଇଥିଲା । ସେ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟର ଜଣେ ଡାକ୍ତରଙ୍କ ସହିତ ପରାମର୍ଶ କରିଥିଲେ । ଗାଈଟିକୁ କୌଣସି କୁକୁର କାମୁଡ଼ିଥାଇପାରେ ବୋଲି ପ୍ରାଣୀ ଚିକିତ୍ସକ ସନ୍ଦେହ କରିଥିଲେ । ନବୀନ କହିଛନ୍ତି ଯେ ମଙ୍ଗଳବାର ମୃତ୍ୟୁ ବରଣ କରିବା ପୂର୍ବରୁ ଗାଈଟି ଅସ୍ୱାଭାବିକ ଆଚରଣ କରିବା ସହ ଭୁକିବା ଆରମ୍ଭ କରିଦେଇଥିଲା । ପ୍ରାଣୀ ଚିକିତ୍ସକ ମଧ୍ୟ ଜଳାନ୍ତକ ସମ୍ଭାବନା କଥାକୁ ଅସ୍ୱୀକାର କରିନାହାନ୍ତି ।