ନୂଆଦିଲ୍ଲୀ, ୨୩/୧୦:ଗୋଟିଏ ମ୍ୟାଚରେ ୮୫୯ ରନ,୩୦ଛକା,୯୩ଚୌକାର ରେକର୍ଡ । ୪୨୯ ରନ୍ ଭଳି ଏକ ବିଶାଳ ରନର ପାହାଡ଼ ଛିଡ଼ା କରି ମଧ୍ୟ ପରାଜିତ ହୋଇଛି ଇଂଲଣ୍ଡ । ପାକିସ୍ତାନରେ ଚାଲିଥିବା ତ୍ରି -ରାଷ୍ଟ୍ରୀୟ ଦିନିକିଆ ସିରିଜର ଏକ ମ୍ୟାଚରେ ଇଂଲଣ୍ଡକୁ ୨ ୱିକେଟରେ ହରାଇ ଶ୍ରୀଲଙ୍କା ଇତିହାସ ରଚିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪ ୱିକେଟ୍ ହରାଇ ୪୨୯ ରନ ସଂଗ୍ରହ କରିଥିଲା। ଶ୍ରୀଲଙ୍କା ୪୯.୫ ଓଭରରେ ୮ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା।

ଟସ ଜିତି ଫିଲିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା। ଇଂଲଣ୍ଡ ବ୍ୟାଟରମାନେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ହ୍ୟାରୀ ବ୍ରୁକ୍ ମାତ୍ର ୧୧୬ଟି ବଲ୍ରୁ ୨୧ ଚୌକା ଓ ୧୦ ଛକା ବଳରେ ୨୦୨ ରନ କରିଥିଲେ। ପ୍ରଥମ ଇଂଲଣ୍ଡ ଖେଳାଳି ଭାବେ ସେ ଦ୍ବିଶତକ ଅର୍ଜନ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ଟମ୍ ବାଣ୍ଟନ ୫୦,ଜୋ ରୁଟ୍ ୬୯ ଓ ୱିଲ ଜ୍ୟାକ୍ସ ୩୦ଟି ବଲରୁ ୬୬ (୮ଚୌକା,୩ଛକା) ରନ୍ କରିଥିଲେ।

ଜବାବରେ ଶ୍ରୀଲଙ୍କା ୨୪ ରନ୍ରେ ୨ଟି ୱିକେଟ୍ ହରାଇଥିଲା। କାମିଣ୍ଡୁ ମେଣ୍ଡିସ ୧୮ ରନ କରିଥିବାବେଳେ କୁଶଲ ମେଣ୍ଡିସ ଖାତା ଖୋଲି ପାରିନଥିଲେ। ଅନ୍ୟ ଓପନର ଅଭିଷ୍କା ଫର୍ଣ୍ଣାଣ୍ଡୋଙ୍କ ସହ ପବନ ରତନାଏକେ ମିଶି ସ୍ଥିତି ସୁଧାରିଥିଲେ। ଉଭୟ ଆକ୍ରମଣ ଜାରି ରଖି ଦଳୀୟ ସ୍କୋରକୁ ୧୯୦ରେ ପହଞ୍ଚାଇଥିଲେ। ଅଭିଷ୍କା ୯୭ (୧୧ଚୌକା,୨ଛକା) ରନ କରି ଆଉଟ୍ ହୋଇଥିଲେ।

ଏହାପରେ କ୍ରିଜକୁ ଓହ୍ଲାଇଥିବା ଡାସୁନ ଶନକା ଚୌକା ଓ ଛକା ବର୍ଷା କରିଥିଲେ। ଅନ୍ୟ ପଟରେ ପବନ ଶତକ ପୂରଣ କରିଥିଲେ। ଉଭୟ ୧୩୩ ରନ୍ର ଭାଗିଦାରୀ ଗଠନ କରି ବିଜୟ ଆଶା ଉଜ୍ଜୀବିତ କରିଥିଲେ। ଦଳୀୟ ସ୍କୋର ୩୨୩ ବେଳେ ଚତୁର୍ଥ ୱିକେଟ୍ର ପତନ ଘଟିଥିଲା ।

Also Read :- ଇଣ୍ଡୋନେସିଆ ଫେରିଯିବେ ଓରାଙ୍ଗଉଟାନ୍ ! ଆସୁଛନ୍ତି ୫ ଜଣିଆ ଟିମ୍, ଆଜି ଯାଏଁ ଧରା ପଡି଼ଲେନି ସ୍ମଗଲର୍

ପବନ ୧୫ଚୌକା ଓ ୩ ଛକା ବଳରେ ୧୩୦ ରନ କରି ଆଉଟ୍ ହୋଇଥିଲେ। ଶନକା ୫୦ଟି ବଲରୁ ୬ଚୌକା ଓ ୮ ଛକା ବଳରେ ୯୭ରନ କରି ଆଉଟ୍ ହେବା ପରେ ଇଂଲଣ୍ଡ ମ୍ୟାଚକୁ ଫେରିଥିଲା। ଶ୍ରୀଲଙ୍କା ଏହାପରେ ଆଉ ୩ଟି ୱିକେଟ୍ ହରାଇଥିଲା। ହେଲେ ଲିୟାନଗେ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ସେ ୨୭ଟି ବଲରୁ ୬୧ (୭ଚୌକା,୩ଛକା) ରନ କରିଥିଲେ।