ମୁମ୍ବାଇ : ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ୍) ମୁଖ୍ୟ ରାଜ ଠାକରେ ଶୁକ୍ରବାର ବିଜେପି ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ ସେ ଗଣମାଧ୍ୟମ ଉପରେ ଚାପ ପକାଇ ଏବଂ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଧାର୍ମିକ ଧ୍ରୁବିକରଣ କରି ଗଣତନ୍ତ୍ରକୁ ହତ୍ୟା କରୁଛି। ମରାଠା ସଂରକ୍ଷଣ କର୍ମୀ ମନୋଜ ଜରାଙ୍ଗେଙ୍କୁ ୫୦୦ କୋଟି ଟଙ୍କା ଦିଆଯାଇଥିବାର ଦାବିକୁ ନେଇ ଜାରି ଅଡିଓ କ୍ଲିପ୍ ଯୋଗୁ ଯେଉଁ ରାଜନୈତିକ ହଟଚମଟ ଦେଖା ଦେଇଛି ତା ବାଦେ ଏମଏନଏସ ମୁଖ୍ୟ ଏହି ସମାଲୋଚନା କରିଛନ୍ତି। ଠାକରେ ଏ ନେଇ ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ ୨୯ ମିନିଟ୍ ର ଏହି ରେକର୍ଡିଂ ଯାହା ଏବେ ମହାରାଷ୍ଟ୍ରରେ ଭାଇରାଲ ହେଉଛି ସେଥିରେ କଥିତ ରୂପେ ବିଜେପି ପଦାଧିକାରୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଜନୈକ ବରିଷ୍ଠ ପଦାଧିକାରୀ ଓ ଜନୈକ ମିଡିଆ ଇନଫ୍ଲୁଏନସର ରାଜନୈତିକ ରଣନୀତି, ଗଣମାଧ୍ୟମ ଚାପ ଓ ଧାର୍ମିକ ଧ୍ରୁବିକରଣର କଥା ଉଠାଇ ସମ୍ବେଦନଶୀଳ ପ୍ରସଙ୍ଗ ଉପରୁ ଲୋକଙ୍କ ଧ୍ୟାନ ହଟାଇବାର ଉପାୟ ଉପରେ ଚର୍ଚ୍ଚା କରୁଥିବା ଶୁଣା ଯାଉଛି। ଏଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ମିଡିଆ କ୍ଲିପର ଫରେନସିକ ଯାଞ୍ଚ ଘୋଷଣା କଥା ଉଲ୍ଲେଖ କରି ଠାକରେ କହିଛନ୍ତି ଯେ ଏହା ଦ୍ୱାରା ସମୟ ଅପଚୟ କରାଯାଉଛି ଓ ମୁଖ୍ୟମନ୍ତ୍ରୀ କେବଳ ନ୍ୟାୟର ଦେଖାଇ ହେଉଛନ୍ତି।

ଠାକରେ କହିଛନ୍ତି ଯେ ‘ଯଦି ଆପଣ ସତରେ ଏଥିରେ ହେଉଥିବା କଥାବାର୍ତ୍ତା ଶୁଣିବେ , ତେବେ ଆପଣ ଜାଣିପାରିବେ ଏହା ଡେମୋକ୍ରାସୀର ହତ୍ୟା ଓ ବଳତ୍କାରଠାରୁ କମ୍ ନୁହେଁ’। ଠାକରେ କହିଛନ୍ତି ଯେ ରେକର୍ଡିଂରେ କୁହାଯାଉଥିବା କଥିତ ୫୦୦ କୋଟି ଟଙ୍କା ପୈଠ ଲାଗି ସ୍ପଷ୍ଟିକରଣ ଦେବାର ଆବଶ୍ୟକତା ରହିଛି। ସେହିପରି ମିଡିଆ ଓ ପବ୍ଲିକ କଥାବାର୍ତ୍ତାକୁ ପ୍ରଭାବିତ କରୁଥିବା ଉଦ୍ୟମର ତଦନ୍ତ ହେବା ଦରକାର। ଫଡନବୀଶଙ୍କୁ ଠାକରେ କହିଛନ୍ତି ଯେ କ୍ଲିପରେ କଥିତ ରୂପେ ରେକର୍ଡ ହୋଇଥିବା କଥାବାର୍ତ୍ତାର ଯାଞ୍ଚ କରାନ୍ତୁ କେବଳର ଅଡିଓ କ୍ଲିପର ନୁହେଁ।

ଦେଶରେ ଏହି ବିବାଦ ସେତେବେଳେ ଆରମ୍ଭ ହେଲା ଯେତେବେଳେ ଜରାଙ୍ଗେ ଗୁରୁବାର ଅଡିଓ କ୍ଲିପର ଗୋଟିଏ ଅଂଶ ଜାରି କଲେ, ଯେଉଁଥିରେ ଅଭିଯୋଗ କରାଯାଇଛି ଯେ ତାଙ୍କୁ ଚୁପ କରାଇବାକୁ ଓ ମରାଠା ଆରକ୍ଷଣ ଲାଗି ତାଙ୍କ ଆନ୍ଦୋଳନ କୁ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି। ଅଡିଓ କ୍ଲିପର ଗୋଟିଏ ଅଂଶରେ ଜନୈକା ମହିଳା କଥିତ ରୂପେ ଦାବି କରୁଛନ୍ତି ଯେ ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କ ମାଧ୍ୟମରେ ଜରାଙ୍ଗେଙ୍କୁ ୫୦୦ କୋଟି ଟଙ୍କା ଦିଆଯାଇଛି। ଶ୍ରୀକାନ୍ତ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁତ୍ର ଓ ସେ ଲୋକସଭା ସାଂସଦ ଅଛନ୍ତି।

ରେକର୍ଡିଂରେ କଥିତ ରୂପେ ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଜରାଙ୍ଗେଙ୍କ ବଢୁଥିବା ରାଜନୈତିକ ପ୍ରଭାବ ଓ ମରାଠାୱାଡା କ୍ଷେତ୍ରରେ ତାଙ୍କ ଆନ୍ଦୋଳନର ମୁକାବିଲା ଲାଗି ରଣନୀତିର ମଧ୍ୟ ଚର୍ଚ୍ଚା ରହିଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ କହିଛନ୍ତି ଯେ ଅଡିଓ କ୍ଲିପ ଓ କଥାବାର୍ତ୍ତାର ଫରେନସିକ୍ ଯାଞ୍ଚ ହେବ। ଅନ୍ୟପଟେ ବିଜେପି ନେତାମାନେ ରେକର୍ଡିଂ ଅସଲି କି ଓ ରିଲିଜ ହେବାର ସମୟକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ବିଜେପି ଆଇଟି ମନ୍ତ୍ରୀ ଆଶିଷ ସେଲାର ଏହି କ୍ଲିପ୍ କିପରି ଲିକ୍ ହେଲା ଓ ଜରାଙ୍ଗେଙ୍କ ପର୍ଯ୍ୟନ୍ତ କେମିତି ପହଞ୍ଚିଲା ତାହାର ତଦନ୍ତ ଦାବି କରିଛନ୍ତି। ସେହିପରି ପାର୍ଟି ମୁଖପାତ୍ର ନଭନାଥ ବାନ ଏହା ହୁଏତ ଏଆଇ ଦ୍ୱାରା ପ୍ରସ୍ତୁତ ବୋଲି ସନ୍ଦେହ କରିଛନ୍ତି।