ଲକ୍ଷ୍ନୌ: ମକଦ୍ଦମାର ଶୁଣାଣି ଆରମ୍ଭ ହେବା ପୂର୍ବରୁ କୌଣସି ଅଭିଯୁକ୍ତଙ୍କୁ ଦୀର୍ଘଦିନ ଧରି କଷ୍ଟୁଡିରେ ରଖିବା ବିନା ଟ୍ରାୟଲରେ ବି ଦଣ୍ଡ ଭୋଗିବା ସହ ସମାନ। ଗମ୍ଭୀର ଆର୍ଥିକ ହେରଫେର ଅଭିଯୋଗ ଗୁଡ଼ିକରେ ବି ଅଭିଯୁକ୍ତଙ୍କର ବ୍ୟକ୍ତିଗତ ସ୍ୱତନ୍ତ୍ରତା ଓ ଶୀଘ୍ର ଶୁଣାଣିର ଅଧିକାରକୁ ସୁରକ୍ଷା ଦେବା ଜରୁରୀ। ଏହି ଅଧିକାର ସମ୍ବିଧାନର ଧାରା ୨୧ରେ ବି ଅଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟ ଏପରି କହିବାର କାରଣ ହେଉଛି ଗୁରୁବାର ଏଭଳି ଏକ ମାମଲାରେ ଶୁଣାଣି ହୋଇଛି। ଏହି ମାମଲାରେ ରାଜସ୍ଥାନର ପୂର୍ବତନ କଂଗ୍ରେସ ମନ୍ତ୍ରୀ ମହେଶ ଚନ୍ଦ୍ର ଯୋଶୀ ଓ ମୁକେଶ ପାଠକଙ୍କୁ ନିୟମିତ ବେଲ୍ ପ୍ରଦାନ କରାଯାଇଛି।

ରାଜସ୍ଥାନର ଜଳଜୀବନ ମିଶନର ଟେଣ୍ଡର ପ୍ରକ୍ରିୟାରେ ୯୭୯ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ସମ୍ପର୍କିତ ମାମଲାର ଏହି ଦୁଇ ଅଭିଯୁକ୍ତ ସମ୍ପୃକ୍ତି ନେଇ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ। ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍ ଶିଳ ନାଗୁଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଯୋଶୀ ଓ ମୁକେଶଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଗମ୍ଭୀର ଅଭିଯୋଗ ଆଧାରରେ ଅନିଶ୍ଚିତକାଳ ପର୍ଯ୍ୟନ୍ତ କଷ୍ଟୁଡି ଉଚିତ ନୁହେଁ

ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଜଳଜୀବନ ମିଶନ ଭଳି ଜନକଲ୍ୟାଣକାରୀ ଯୋଜନାରେ ବଡ଼ ଧରଣର ହେର୍ଫେର୍ ଅଭିଯୋଗ ଏକ ଗମ୍ଭୀର ବ୍ୟାପାର। ଏହାର ତଦନ୍ତ ହେବା ଉଚିତ। ରାଜ୍ୟ ସରକାରଙ୍କର ମଧ୍ୟ ଅଭିଯୁକ୍ତଙ୍କ ଜାମିନକୁ ବିରୋଧ କରିବାର ଅଧିକାର ରହିଛି। ତେବେ ଏହାର ଅର୍ଥ ନୁହେଁ ଯେ ମାମଲା ଗମ୍ଭୀର ଅଛି ବୋଲି ଜାମିନର ଅନ୍ୟ ଦିଗଗୁଡ଼ିକୁ ବିଚାର କରାଯାଇପାରିବ ନାହିଁ। ଗମ୍ଭୀର ଅଭିଯୋଗ କୌଣସି ବ୍ୟାକ୍ତିଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଷ୍ଟୁଡିରେ ରଖିବାର ଆଧାର ହୋଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଏପରି କରିବା ଦ୍ୱାରା ଅଭିଯୁକ୍ତଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଶୀଘ୍ର ବିଚାରର ମୌଳିକ ଅଧିକାର ଉଲ୍ଲଂଘନ ହେବ ବୋଲି ଖଣ୍ଡପିଠ କହିଛନ୍ତି।

ତଦନ୍ତ ଶେଷ, ଚାର୍ଜଶିଟ୍ ଦାଖଲ ହୋଇଛି ତଥାପି ଅଟକ କାହିଁକି ?

ମାମଲାର ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି ଯେ ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ତଦନ୍ତ ସମାପ୍ତ ହୋଇଛି ଏବଂ ଏକ ଚାର୍ଜସିଟ୍ ଦାଖଲ କରାଯାଇଛି। ସମସ୍ତ ପ୍ରମାଣ ପୂର୍ବରୁ ତଦନ୍ତକାରୀ ସଂସ୍ଥା ପାଖରେ ରହିଛି। ତେଣୁ ଅଭିଯୁକ୍ତଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ କଷ୍ଟୁଡିରେ ରଖି ଜେରା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି। ଡକ୍ୟୁମେଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ପ୍ରମାଣ ସହିତ ହେରଫେର ହେବାର ସମ୍ଭାବନା ମଧ୍ୟ ଯଥେଷ୍ଟ କମ ବୋଲି କୋର୍ଟ ଦର୍ଶାଇଛନ୍ତି।

Also Read- ଉତ୍ତରପ୍ରଦେଶ ଭୋଟର ତାଲିକାରେ ମହା ଗଡ଼ବଡ଼: ୧୦,୪୭୦ ନାଁ ଭୁଲ୍, ୨ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ଆକ୍ସନ

୫ ମାସ ହେଲାଣି ଜେଲରେ ବନ୍ଦୀ ମହେଶ

ଏହି ଦୁର୍ନୀତି ଅଭିଯୋଗରେ ୭୨ ବର୍ଷୀୟ ମହେଶ ଚନ୍ଦ୍ର ଯୋଶୀ ୭ ମେ ୨୦୨୬ରୁ ଜେଲ୍ରେ ବନ୍ଦୀ ଅଛନ୍ତି। ତାଙ୍କ ଅଟକ ଅବଧି ୫ ମାସରୁ ଅଧିକ ହୋଇ ସାରିଛି। ସେହିପରି ମୁକେଶ ପାଠକଙ୍କ ଜେଲରେ ରହିବାର ଅବଧି ୮ ମାସ ହୋଇଗଲାଣି। ମାମଲାର ଶୁଣାଣି ପାଇଁ ଲମ୍ଭା ସମୟ ଲାଗିବ। ତେଣୁ ଯେ ପର୍ଯ୍ୟନ୍ତ ଦୋଷ ସାବ୍ୟସ୍ତ ହୋଇ ନାହିଁ ସେପର୍ଯ୍ୟନ୍ତ ଏମାନଙ୍କୁ ଅଟକ ରଖିବାର କୌଣସି ଆବଶ୍ୟକତା ନାହିଁ।