Pilibhit voter list controversy: ଦେଶରେ ଏସଆଇଆର୍ ନେଇ ବିବାଦ ଜାରି ରହିଥିବା ବେଳେ ଉତ୍ତରପ୍ରଦେଶର ଏକ ବିଧାନସଭା କ୍ଷେତ୍ରର ଭୋଟର ତାଲିକାରେ ମହାଗଡ଼ବଡ଼ ସାମ୍ନାକୁ ଆସିଛି। ଏଠାରେ ୧୦ ହଜାରରୁ ଅଧିକ ଭୋଟରଙ୍କର ନାଁରେ ତ୍ରୁଟି ପରିଲକ୍ଷିତ ହୋଇଛି। ଘଟଣାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅସନ୍ତୋଷ ପ୍ରକାଶ କରିବା ସହ ଦୁଇ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO)ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରିପୋର୍ଟ ଅନୁସାରେ, ପିଲିଭିତ୍ ବିଧାନସଭା କ୍ଷେତ୍ରର ଭୋଟର ତାଲିକାରେ ଏହି ତ୍ରୁଟି ପରିଲକ୍ଷିତ ହୋଇଛି। ଏଠାରେ ମୋଟ ୧୦,୪୭୦ଟି ଏଣ୍ଟ୍ରିରେ ତ୍ରୁଟି ଥିବା ଗୁରୁବାର ୟୁପି ସିଇସି ସୂଚନା ଦେଇଛନ୍ତି। ଘଟଣାାରେ ନିର୍ବାଚନ ମଣ୍ଡଳୀର ଭୋଟର ରେଜିଷ୍ଟ୍ରେସନ ସେଣ୍ଟରରେ କାମ କରୁଥିବା କମ୍ପ୍ୟୁଟର ଆସିଷ୍ଟାଣ୍ଟଙ୍କୁ ଟର୍ମିନେଟ୍‌ କରାଯାଇଛି। ସମ୍ପୃକ୍ତ ୩ ଜଣଙ୍କ ବିରୁଦ୍ଧରେ ସହକାରୀ ଜିଲ୍ଲା ନିର୍ବାଚନ ଅଧିକାରୀ ଏତଲା ମଧ୍ୟ ଦାଏର କରିଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କହିବା ଅନୁସାରେ, ପିଲିଭିତ୍ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତଦନ୍ତ ପରେ ତ୍ରୁଟି ସାମ୍ନାକୁ ଆସିଥିଲା। ସମ୍ପୃକ୍ତ କମ୍ପ୍ୟୁଟର ସହାୟକ ଭୋଟର ବିବରଣୀ ସଂଶୋଧନ ପାଇଁ ୩୧ ମେ ୨୦୨୬ ଠାରୁ ଅଗଷ୍ଟ ୨୯ ତାରିଖ ମଧ୍ୟରେ ୧୩,୭୭୯ଟି ଫର୍ମ-୮ ଆବେଦନ ଏଣ୍ଟ୍ରି କରିଥିଲେ। କିନ୍ତୁ ଏହି ଆବେଦନଗୁଡ଼ିକ ସମ୍ପର୍କିତ କୌଣସି ମୂଳ କାଗଜପତ୍ର ଅଫିସ୍‌ରେ ମିଳିନଥିଲା। ୧୩,୭୭୯ଟି ଏଣ୍ଟ୍ରି ମଧ୍ୟରୁ ୧୦,୪୭୦ଟିରେ ସଂଶୋଧନକୁ ଅନୁମୋଦନ ମିଳିଥିଲା। ହେଲେ ଅନୁମୋଦିତ ସମସ୍ତ ଏଣ୍ଟ୍ରିରେ ଅନିୟମିତତା ଥିବା ଜଣାପଡ଼ିଛି। ତ୍ରୁଟି ଜଣାପଡ଼ିବା ପରେ ଏଗୁଡ଼ିକର ସଂଶୋଧନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

​​​​​​​Also Read- SIR ବିରୋଧରେ ଜନତା ଆନ୍ଦୋଳନ : ଦେଶବ୍ୟାପୀ ରାସ୍ତାକୁ ଓହ୍ଲାଇବେ ଛାତ୍ର-ଚାଷୀ ଏବଂ ଶ୍ରମିକ ସଙ୍ଗଠନ

ଉତ୍ତରପ୍ରଦେଶରେ ଏସଆଇଆର୍ ପ୍ରକ୍ରିୟା ପରେ ୨୦୨୬ ଏପ୍ରିଲ ୧୦ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଥିଲା। ତାଲିକାରେ ଥିବା କିଛି ଭୋଟରଙ୍କ EPIC ନମ୍ବର ଯାଞ୍ଚ କରିବା ସମୟରେ ଅନ୍ୟ ଲୋକଙ୍କ ନାଁ ଦେଖାଯାଉଥିବା ଅଭିଯୋଗ ହୋଇଥିଲା। ଏହାପରେ ମୁଖ୍ୟ ନିର୍ବାଚନ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେବା ସହ ଭୋଟରଙ୍କ ନାଁ ଯୋଡ଼ିବା ପାଇଁ ଫର୍ମ-୬ ଏବଂ ନାଁ ବାଦ୍ ଦେବା ପାଇଁ ଫର୍ମ-୭ ଏଣ୍ଟ୍ରିଗୁଡ଼ିକର ଯାଞ୍ଚ କରିବାକୁ ପିଲିଭିତ୍ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ କହିଥିଲେ। ଏନେଇ ଶୁକ୍ରବାର ସୁଦ୍ଧା ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କଂଗ୍ରେସର ଯାଞ୍ଚରେ ୧୩,୧୫୦ ଏଣ୍ଟ୍ରିରେ ତ୍ରୁଟି ଅଭିଯୋଗ

ଭୋଟର ତାଲିକାରେ ତ୍ରୁଟି ନେଇ ଫୈଜାନ ଅଲି ଖାନ ନାମକ ଜଣେ ଓକିଲ ଅକ୍ଟୋବର ୧୪ ତାରିଖରେ ପିଲିଭିତ ଜିଲ୍ଲା ପ୍ରଶାସନ ପାଖରେ ଏକ ଅଭିଯୋଗ କରିଥିଲେ। ଏପିକ ନମ୍ବର ଚେକ୍ କରିବା ପରେ ତାଙ୍କ ନାଁ ରଇଜ ଅଲୀ ଓ ତାଙ୍କ ଭାଇ ଫରହାନଙ୍କ ନାଁ ଗୁଫ୍ରାନ ଆସଲମ ଦେଖାଉ ଥିଲା ବୋଲି ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଏବଂ ଦୁଇ ଭାଇଙ୍କ ବାପାଙ୍କ ନାଁରେ ବି ତ୍ରୁଟି ରହିଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ କଂଗ୍ରେସ ମଧ୍ୟ ବଡ  ଅଭିଯୋଗ କରିଛି। ସ୍ଥାନୀୟ କଂଗ୍ରେସ ନେତା କୁମୁଦ ଗଙ୍ଗୱାର କହିଛନ୍ତି ଯେ ସେ ଓକିଲ ରେହାନ ଅଲିଙ୍କଠାରୁ ଭୋଟର ନାଁରେ ଅନିୟମିତତା ବିଷୟରେ ଜାଣିବା ପରେ ସେ ଏହା ସତର୍କ ରହିବାର ବେଳ ବୋଲି କହିଥିଲେ।

ଅଭିଯୋଗ ପାଇବା ପରେ କଂଗ୍ରେସ ପକ୍ଷରୁ ଏହାର ସ୍ୱତନ୍ତ୍ର ଯାଞ୍ଚ କରାଯାଇଥିଲା। ଦଳ ଏକ ୫୫ ଜଣିଆ ଟିମ ଗଠନ କରି ପିଲିଭିତ୍ ବିଧାନସଭା କ୍ଷେତ୍ରରେ ଭୋଟର ତାଲିକା ଯାଞ୍ଚ କରିଥିଲା। ପ୍ରାୟ ୩.୪୮ ଲକ୍ଷ ଭୋଟରଙ୍କ ତାଲିକା ଯାଞ୍ଚ ପରେ ୧୩,୧୫୦ଟି ଏଣ୍ଟ୍ରିରେ ତ୍ରୁଟି ଥିବା କଂଗ୍ରେସ ଜାଣିବାକୁ ପାଇଥିଲା ବୋଲି ଗଙ୍ଗୱାର ଦାବି କରିଛନ୍ତି। ସେପଟେ ସମାଜବାଦୀ ପାର୍ଟି ସାମ୍ପ୍ରଦାୟିକ ଦୃଷ୍ଟିରୁ ଘଟଣାକୁ ସମାଲୋଚନା କରିଛି। ପରିବର୍ତ୍ତିତ ନାଁଗୁଡ଼ିକ ମଧ୍ୟରୁ ଅଧିଂକାଶ ମୁସ୍ଲିମଙ୍କ ନାଁ ରହିଛି ବୋଲି ସପା ଅଭିଯୋଗ କରିଛି। ଦଳ ୧୦୦ ବିଧାନସଭା କ୍ଷେତ୍ରରେ ଭୋଟର ତାଲିକାର ଯାଞ୍ଚ କରିବ ବୋଲି କହିଛି।