ନୂଆଦିଲ୍ଲୀ:ନିଅଣ୍ଟିଆ ବଜେଟ ଏବଂ ଲଗାତାର ବଢ଼ୁଥିବା ସୈନ୍ୟ ଖର୍ଚ୍ଚର ଚାପକୁ ନେଇ ଚିନ୍ତାରେ ରୁଷ । ଏମିତିରେ ଏହାର ସମାଧାନ ପାଇଁ ରୁଷ ନିଜର କେନ୍ଦ୍ରୀୟ ବ୍ୟାଙ୍କର ଭଣ୍ଡାରରୁ ସୁନା ବିକ୍ରି କରିବା ଆରମ୍ଭ କରିଛି। ବଡ଼ କଥା ହେଲା ଗତ ୨୫ ବର୍ଷରେ ଏହା ପ୍ରଥମ ଥର, ଯେତେବେଳେ ରୁଷ ଏଭଳି କୌଣସି ପଦକ୍ଷେପ ନେଇଛି।

ବଢ଼ୁଥିବା ସୈନ୍ୟ ଖର୍ଚ୍ଚର ପ୍ରଭାବ

ରିପୋର୍ଟ ଅନୁସାରେ, ଦୀର୍ଘ ଦିନରୁ ଲାଗି ରହିଥିବା ଯୁଦ୍ଧ ଯୋଗୁ ରୁଷର ସୈନ୍ୟ ଖର୍ଚ୍ଚ ବଢ଼ିଛି। ଫଳରେ ଏହାର ସିଧାସଳଖ ପ୍ରଭାବ ସରକାରୀ ଅର୍ଥ ଉପରେ ଚାପ ପକାଇଛି। ତେଣୁ ଏହାର ସମାଧାନ ପାଇଁ ଏବେ ରୁଷୀୟ ସରକାରଙ୍କୁ ସୁନା ଏବଂ ବିଦେଶୀ ମୁଦ୍ରା ଭଣ୍ଡାରର ସହଯୋଗ ନେବାକୁ ପଡ଼ୁଛି। ଏହାଦ୍ବାରା ବଜେଟ ନିଅଣ୍ଟକୁ ନିୟନ୍ତ୍ରିତ କରାଯାଇପାରିବ।

୪ ବର୍ଷର ସର୍ବନିମ୍ନ ସ୍ତରରେ ସୁନା ଭଣ୍ଡାର

ସେପଟେ ଲଗାତାର ବିକ୍ରି କାରଣରୁ ରୁଷର ଗୋଲ୍ଡ ରିଜର୍ଭ ଏବେ ଗତ ୪ ବର୍ଷର ସବୁଠୁ ନିମ୍ନ ସ୍ତରରେ ପହଞ୍ଚିଛି। ଏହା ଏକ ସଙ୍କେତ ଯେ, ରୁଷ ଉପରେ ଆର୍ଥିକ ଚାପ ଅଧିକ ହେଉଛି ଆଉ ସରକାରଙ୍କୁ ନିଜ ସୁରକ୍ଷିତ ଭଣ୍ଡାରକୁ ମଧ୍ୟ ବ୍ୟବହାର କରିବାକୁ ପଡ଼ୁଛି।

Also Read: Germany Labour Shortage: ଜର୍ମାନୀରେ ଶ୍ରମିକ ସଙ୍କଟ: ଭାରତ ଠାରୁ ଦକ୍ଷ ଶ୍ରମିକ ଚାହୁଁଛି ୟୁରୋପର ଏହି ଶକ୍ତିଶାଳୀ ରାଷ୍ଟ୍ର

ତଥ୍ୟ ଅନୁସାରେ, ୨୦୨୨ରୁ ୨୦୨୫ ମଧ୍ୟରେ ସୁନା ଏବଂ ବିଦେଶୀ ମୁଦ୍ରା ମିଶାଇ ୧୫ ଟ୍ରିଲିୟନ ରୁବଲ (ପ୍ରାୟ ୧୫୦ ବିଲିୟନ ଡଲାର)ରୁ ଅଧିକ ବିକ୍ରି ହୋଇଛି। ସେହିଭଳି ୨୦୨୬ର ପ୍ରଥମ ଦୁଇ ମାସରେ ହିଁ ଅତିରିକ୍ତ ୩.୫ ଟ୍ରିଲିୟନ ରୁବଲ (୩୫ ବିଲିୟନ ଡଲାର)ର ରିଜର୍ଭ (ଭଣ୍ଡାର) ବିକ୍ରି ହୋଇସାରିଛି।

ଜାନୁଆରୀ- ଫେବ୍ରୁଆରୀରେ ଦ୍ରୁତ ବିକ୍ରି

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ରୁଷର ତଥ୍ୟ ଅନୁସାରେ, ୨୦୨୬ ଜାନୁଆରୀରେ ପ୍ରାୟ ୩ ଲକ୍ଷ ଆଉନ୍ସ ସୁନା ବିକ୍ରି ହୋଇଥିଲା। ଯେତେବେଳେକି ଫେବ୍ରୁଆରୀ ୨ ଲକ୍ଷ ଆଉନ୍ସର ଅତିରିକ୍ତ ବିକ୍ରି କରାଯାଇଥିଲା। ଏହି ଦ୍ରୁତ ଗତିରୁ ପ୍ରମାଣ ମିଳୁଛି ଯେ, ଆର୍ଥିକ ଚାପ କମ୍ ହେବା ବଦଳରେ ବଢ଼ିବାରେ ଲାଗିଛି।

ବିଶେଷଜ୍ଞଙ୍କ ଅନୁସାରେ, ରୁଷର ଏହି ପଦକ୍ଷେପ ବୈଶ୍ବିକ ଅନିଶ୍ଚିତତା ଏବଂ ଘରୋଇ ଆର୍ଥିକ ଚାପ ମଧ୍ୟରେ ଦେଶ ଏହାର ଆର୍ଥିକ ରଣନୀତିରେ ବଡ଼ ପରିବର୍ତ୍ତନକୁ ଦର୍ଶାଉଛି। ଯାହାର ପ୍ରଭାବ ଆଗକୁ ଦେଶର ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ପଡ଼ିପାରେ।