ଭୁବନେଶ୍ୱର : ଭାରତରେ ପ୍ରଭୁ ହନୁମାନଙ୍କୁ ଶକ୍ତି, ସାହସ ଓ ଭକ୍ତିର ପ୍ରତୀକ ଭାବେ ପୂଜା କରାଯାଏ। ଦେଶର କୋଣ ଅନୁକୋଣରେ ରହିଛି ପ୍ରଭୁ ହନୁମାନଙ୍କ ମନ୍ଦିର। ପ୍ରାୟତଃ ମଙ୍ଗଳବାର ଓ ଶନିବାର ଦିନ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ଭିଡ଼ ଜମିଥାଏ । କିନ୍ତୁ ଆପଣ ଜାଣନ୍ତି କି, ଭାରତରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠି ପ୍ରଭୁ ହନୁମାନଙ୍କୁ ପୂଜା କରାଯାଏ ନାହିଁ ? ଏହି ରହସ୍ୟମୟ ଘଟଣା ପଛରେ ରହିଛି ଧାର୍ମିକ ବିଶ୍ୱାସ, ପୌରାଣିକ କାହାଣୀ ଓ ସ୍ଥାନୀୟ ଲୋକକଥା। ତେବେ ଏମିତି କେଉଁ ସ୍ଥାନ ଯେଉଁଠି ପୂଜା ପାଆନ୍ତିନି ହନୁମାନ?

ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ରହିଛି ଦ୍ରୋଣଗିରି ଗାଁ। ହିମାଳୟର ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ ଏହି ଗାଁ ନିଜର ଅନନ୍ୟ ଧାର୍ମିକ ପରମ୍ପରା ପାଇଁ ଚର୍ଚ୍ଚାରେ ରହିଥାଏ । ଏଠାକାର ସ୍ଥାନୀୟ ଲୋକମାନେ କେବେ ପ୍ରଭୁ ହନୁମାନଙ୍କ ପୂଜା କରନ୍ତି ନାହିଁ। ଗାଁରେ ମଧ୍ୟ ହନୁମାନଙ୍କର କୌଣସି ମନ୍ଦିର ନଥିବା ଜଣାପଡିଛି । ଆଉ ଏହା ପଛରେ ରହିଥିବା କାରଣ ହେଉଛି ରାମାୟଣ ସହ ଜଡ଼ିତ ଏକ ଲୋକକଥା।

ହିନ୍ଦୁ ପୌରାଣିକ କଥା ଅନୁସାରେ, ପ୍ରଭୁ ରାମ-ରାବଣ ଯୁଦ୍ଧ ସମୟରେ ଲକ୍ଷ୍ମଣ ଗୁରୁତର ଆହତ ହୋଇଥିଲେ। ତାଙ୍କ ଜୀବନ ବଞ୍ଚାଇବା ପାଇଁ ସଞ୍ଜୀବନୀ ଆଣିବାକୁ ପ୍ରଭୁ ହନୁମାନ ହିମାଳୟ ଯାଇଥିଲେ। କିନ୍ତୁ ଅନେକ ଔଷଧୀୟ ଗଛ ମଧ୍ୟରୁ ନିର୍ଦ୍ଦିଷ୍ଟ ସଂଜୀବନୀ ଗଛ ଚିହ୍ନି ନପାରିବାରୁ ସେ ପାହାଡ଼ର ଏକ ଅଂଶ ଉଠାଇ ଲଙ୍କାକୁ ନେଇଯାଇଥିଲେ ।କିନ୍ତୁ ଦ୍ରୋଣଗିରି ଗାଁର ଲୋକବିଶ୍ୱାସ ଏହି କାହାଣୀକୁ ଅଲଗା ଦୃଷ୍ଟିରୁ ଦେଖେ । ସେମାନଙ୍କ ମତରେ, ହନୁମାନ ଯେଉଁ ପାହାଡ଼ର ଅଂଶ ଉଠାଇ ନେଇଥିଲେ, ତାହା ସେମାନଙ୍କ ପାଇଁ ପବିତ୍ର ଥିଲା। ଏହି କାରଣରୁ ସ୍ଥାନୀୟ ଲୋକଙ୍କ ମନରେ ହନୁମାନଙ୍କ ପ୍ରତି ଅସନ୍ତୋଷ ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଏ।

ଗୋଟିଏ କାହାଣୀ, କିନ୍ତୁବି ଦୁଇଟି ଭିନ୍ନ ଦୃଷ୍ଟିକୋଣ । ଦେଶର ଅଧିକାଂଶ ସ୍ଥାନରେ ସଞ୍ଜୀବନୀ ପାଇଁ ପାହାଡ଼ ଉଠାଇ ଆଣିବା ଘଟଣାକୁ ହନୁମାନଙ୍କ ଶକ୍ତି, ସାହସ ଓ ଭକ୍ତିର ପ୍ରତୀକ ଭାବେ ଦେଖାଯାଏ। କିନ୍ତୁ ଦ୍ରୋଣଗିରିର ସ୍ଥାନୀୟ ପରମ୍ପରାରେ ଏହାକୁ ପବିତ୍ର ପାହାଡ଼ର କ୍ଷତି ଭାବେ ଦେଖାଯାଉଛି । ଏହି ଲୋକମାନ୍ୟତା ଯୋଗୁଁ ଗାଁରେ ହନୁମାନଙ୍କ କୌଣସି ମନ୍ଦିର ତିଆରି କରାଯାଇନାହିଁ କି ପୂଜା କରିବାର କୌଣସି ପରମ୍ପରା ନାହିଁ । ଏହି କାହାଣୀ ବୁଝାଏ ଯେ, ଗୋଟିଏ ପୌରାଣିକ କାହାଣୀକୁ ଭାରତର ବିଭିନ୍ନ ଅଞ୍ଚଳର ଲୋକେ ନିଜ ନିଜ ବିଶ୍ୱାସ ଓ ପରମ୍ପରା ଅନୁସାରେ ଭିନ୍ନ ଭାବରେ ମାନି ଚଳିଥାନ୍ତି ।