ସମ୍ବଲପୁର ୧୦।୧୦: ଆଜି ପବିତ୍ର ମହାଳୟା ତିଥି । ଆଉ ଆଜିର ଦିନରେ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ଵରୀ । ପବିତ୍ର ମହାଳୟା ତିଥିରେ ମା’ ସମଲେଶ୍ଵରୀ ଭକ୍ତଙ୍କୁ ଗଙ୍ଗାଦେବୀଙ୍କ ବେଶରେ ଦର୍ଶନ ଦେଉଥିବା ବେଳେ ମା’ଙ୍କ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ଏଠାରେ ଭକ୍ତଙ୍କ ବିଶ୍ୱାସ ରହିଛି ଯେ, ଏହିଦିନ ମା’ଙ୍କ ଧବଳମୁଖି ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ପ୍ରାପ୍ତି ହେବା ସହ ଗଙ୍ଗା ସ୍ନାନର ମଧ୍ୟ ପୁଣ୍ୟ ପ୍ରାପ୍ତି ହୋଇଥାଏ । ଏଥିପାଇଁ ଲୋକେ ଏହି ଗୋଟିଏ ଦିନକୁ ବର୍ଷେ ଯାଏଁ ଚାହିଁ ରହିଥିବା ବେଳେ ଆଜି ମହାଳୟା ତିଥିରେ ମା’ଙ୍କ ଦର୍ଶନ କରି ନିଜର ଆଉ ନିଜ ପରିବାର ସହ ସମଗ୍ର ଜୀବଜଗତର ମଙ୍ଗଳ କାମନା କରିଛନ୍ତି ।

Also Read:- ସାପ ଧରିବାରେ ଥିଲେ ମାହିର, ଶେଷରେ ନାଗ ସାପ କାମୁଡ଼ାରେ ଚାଲିଗଲା ଜୀବନ

ଆଜି ହେଉଛି ପିତୃପକ୍ଷର ଶେଷ ଦିବସ । ପିତୃପକ୍ଷରେ ଆମ ପୂର୍ବ ପୁରୁଷ ମାନେ ମର୍ତ୍ତ୍ୟକୁ ଆସି ନିଜ ବନ୍ଧୁ ପରିଜନଙ୍କ ଠାରୁ ଅନ୍ନ ଦାନ ଗ୍ରହଣ କରି ଆଜିର ଦିନରେ ପୁଣି ସ୍ୱର୍ଗକୁ ଫେରୁଥିବାର ବିଶ୍ୱାସ କରାଯାଏ । ତେଣୁ ଆଜିର ଦିନରେ ମା’ ସମଲେଶ୍ଵରୀ ସମସ୍ତଙ୍କୁ ଗଙ୍ଗା ଦେବୀ ବେଶରେ ଦର୍ଶନ ଦେଇଥାନ୍ତି । ଆଉ ଏହି ଦିନ ମା’ଙ୍କ ଦର୍ଶନ କଲେ ପିତୃଋଣରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ସେହିପରି ଆଜି ଠାରୁ ମା’ଙ୍କ ଶାରଦୀୟ ପୂଜା ପାଇଁ କଳସ ଶୋଭାଯାତ୍ରା ହେବା ସହ ରବିବାର ଠାରୁ ମା’ଙ୍କ ପୀଠରେ ନବ ଦିନାତ୍ମକ ପୂଜା ଆରମ୍ଭ ହେବ । ସେନେଇ ମନ୍ଦିର କମିଟି ପକ୍ଷରୁ ମା’ଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥି ସହିତ ଶହସ୍ର ଦୀପ ପ୍ରଜ୍ବଳନ ମଧ୍ୟ କରାଯାଇଥିଲା ।

Watch Video: