କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲ ବିଦାବ ଏବେ ଜଟିଳ ରୂପ ଧାରଣ କରିଛି। ବିବାଦ ଏବେ ରେଭେନ୍ସା ବିଶ୍ବ ବିଦ୍ୟାଳୟ ଶିକ୍ଷକ ସଂଘ ବନାମ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀରେ ପହଞ୍ଚିଛି। ସମାଧାନ ବୈଠକରେ ବିଧାୟକ ଚିଫ୍ ୱାର୍ଡେନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିବା ବେଳେ ବିଧାୟକ ପାଲଟା ଅଭିଯୋଗ ଆଣି ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି। ସେପଟେ ବିବାଦ ପ୍ରଶମିତ ନହେଉଣୁ ଗୁରୁଙ୍କ ସମର୍ଥନରେ ବାହାରିଲେ ଛାତ୍ର ଛାତ୍ରୀ।

କଟକ ରେଭେନ୍ସା ବିଶ୍ବ ବିଦ୍ୟାଳୟ ଇଷ୍ଟ ହଷ୍ଟେଲ ବିବାଦର ନୂଆ ଟ୍ବିଷ୍ଟ। ବିବାଦ ଏବେ ବିଧାୟକ ବନାମ ରେଭେନ୍ସା ଶିକ୍ଷକ ସଂଘ ମଧ୍ୟରେ ତୀବ୍ର ରୂପ ନେଇଛି। ଉଭୟ ପକ୍ଷ ପରସ୍ପର ବିରୋଧରେ ଆଣିଛନ୍ତି ଦୁର୍ବ୍ୟବହାର ଅଭିଯୋଗ। କିନ୍ତୁ ଏହି ବିବାଦକୁ ନେଇ ବିଶ୍ବବିଦ୍ୟାଳୟ ପରିସରରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଇଷ୍ଟହଷ୍ଟେଲ ବିବାଦର ସମାଧାନ କରିବାକୁ ନେଇ ବସିଥିବା ବୈଠକରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ହଷ୍ଟେଲ ଚିଫ ୱାର୍ଡେନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

Also Read: ସ୍ବର୍ଗଦ୍ବାରରେ କାଠ ସଙ୍କଟ ପରେ ଏବେ ଶ୍ରୀମନ୍ଦିରରେ କାଠର ଅଭାବ, ସମାଧାନ ନ ହେଲେ ବନ୍ଦ ହେବ ରୋଷେଇ

ଏହାପରେ ଗତକାଲି ଚିଫ ୱାର୍ଡେନ ଙ୍କ ସମେତ ବିଶ୍ବ ବିଦ୍ୟାଳୟ ର ୧୩ ହଷ୍ଟେଲର ୱାର୍ଡେନ ଓ ଡେପୁଟି ୱାର୍ଡେନ ସମୂହ ଇସ୍ତଫା ଦେଇଥିଲେ। ପରେ ପରେ ବିଧାୟକଙ୍କ ଏପରି ବ୍ୟବହାରକୁ ବିରୋଧ କରି ରେଭେନ୍ସା ବିଶ୍ଵ ବିଦ୍ୟାଳୟ ଶିକ୍ଷକ ସଂଘ ବିଶ୍ବବିଦ୍ୟାଳୟ ପରିସରରେ ପ୍ରତିବାଦ କରିବା ସହ ଶୋଭାଯାତ୍ରା ରେ ବାହାରି ଭି ସି ଙ୍କ ଉଦ୍ଦେଶ୍ୟରେ ଚାରି ଦଫା ଦାବି ପ୍ରଦାନ କରିଛନ୍ତି ।

ଏହି ଚାରୋଟି ଦାବି ଗୁଡିକ ହେଲା

୧- ବିଧାୟକ ନିସର୍ତ୍ତରେ ରେ କ୍ଷମା ପ୍ରାର୍ଥନା କରନ୍ତୁ।

୨- ବିଶ୍ବ ବିଦ୍ୟାଳୟରେ ରାଜନୈତିକ ହସ୍ତକ୍ଷେପ ନହେଉ। 

୩- କର୍ମଚାରୀ, ଅଧ୍ୟାପକ ପ୍ରାଧ୍ୟାପକଙ୍କ ସମ୍ମାନ ରକ୍ଷା ହେଉ।

୪- ବିଶ୍ଵ ବିଦ୍ୟାଳୟର ସ୍ବାଭିମାନରେ କୌଣସି ଆଞ୍ଚ ନଆସୁ।

Also Read: ଜୟଦେବ ବିହାରରୁ ନନ୍ଦନକାନନ ଯାଏ ଫ୍ଲାଏଓଭର, ୧୮୦ଟି ପଏଣ୍ଟରେ ହେବ ସଏଲ୍ ଟେଷ୍ଟ

ଅନ୍ୟପଟେ ପାଲଟା ଅଭିଯୋଗ ଆଣିଛନ୍ତି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ। ଚିଫ ୱାର୍ଡେନ ମୋତେ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ ଆଣିଥିବା ବେଳେ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି। ବରଂ ଚିଫ ୱାର୍ଡେନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ବିଧାନସଭାର ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି। ମୁଁ ବିଶ୍ବବିଦ୍ୟାଳୟର ସିନେଟ୍ ମେମ୍ବର ହୋଇଥିବାରୁ ସର୍ବ ସମ୍ମୁଖରେ ମୋତେ ଦୁର୍ବ୍ୟବହାର କରାଯାଇଛି। ତେଣୁ ଆକ୍ସନ ନିଆଯାଉ ବୋଲି ସେ କହିଛନ୍ତି।

ବିଧାୟକ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି ବିଦ୍ୟାର୍ଥୀ ସଂଘ। ନଚେତ୍ ଆଗକୁ ଜୋରଦାର ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ର ଛାତ୍ରୀ ସଂଘ। ଗୋଟିଏ ପଟେ ରେଭେନ୍ସା ୟୁନିଭରସିଟିର ଟିଚର୍ସ ଆସୋସିଏସନର ଦାବିପତ୍ରକୁ ଭି ସି ରଖିଥିବା ବେଳେ ଅନ୍ୟପଟେ ବିଶ୍ୱ ବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା ଓ ଅଚଳାବସ୍ଥା ଦେଖାଦେଇଛି।