ନୂଆଦିଲ୍ଲୀ ୦୮।୧୧; ଜାପାନରେ ପୁଣି ଭୂକମ୍ପର ଝଟକା। ରବିବାର ଭୋର ପ୍ରାୟ ୧ଟା ୪ ମିନିଟ୍ ସମୟରେ ଅନୁଭୂତ ହୋଇଥିଲା ଏହି ଭୂକମ୍ପ। ହଠାତ୍ ଥରିବାରୁ ଲୋକଙ୍କ ମଧ୍ୟରେ ଖେଳିଯାଇଥିଲା ଭୟର ବାତାବରଣ। ଘର ଓ ଅଫିସ୍ ଛାଡ଼ି ସୁରକ୍ଷିତ ସ୍ଥାନକୁ ଦୌଡ଼ିଥିଲେ ଲୋକେ। ଏହି ସମୟରେ ୨୨ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଜାପାନ ପାଣିପାଗ ଏଜେନ୍ସି ବା JMA ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ଥିବାବେଳେ, ଆମେରିକାର USGS ଏହାକୁ ୫.୫ ରେକର୍ଡ କରିଛି। ଶିଜୁଓକା ପ୍ରିଫେକ୍ଚରର ପଶ୍ଚିମ ଭାଗରେ ପ୍ରାୟ ୪୦ କିଲୋମିଟର ଗଭୀରତାରେ ଥିଲା ଏହାର କେନ୍ଦ୍ରସ୍ଥଳ। ଆଇଚି, ନାଗାନୋ ଓ ଗିଫୁ ସମେତ ଅନେକ ଅଞ୍ଚଳରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଭୂକମ୍ପ ପରେ କିଛି ଆଫ୍ଟର୍ଶକ୍ ବା ପରବର୍ତ୍ତୀ କମ୍ପନ ମଧ୍ୟ ଅନୁଭୂତ ହୋଇଥିଲା। ତେବେ କୌଣସି ସୁନାମି ସତର୍କତା ଜାରି ହୋଇନଥିବା ସୂଚନା ରହିଛି। ଜରୁରୀକାଳୀନ ପ୍ରତିକ୍ରିୟା କାର୍ଯ୍ୟାଳୟ ସ୍ଥାପନ କରି ପରିସ୍ଥିତି ଉପରେ ନଜର ରଖିଛନ୍ତି ଅଧିକାରୀ।

ତେବେ ଜାପାନରେ କାହିଁକି ବାରମ୍ବାର ହେଉଛି ଭୂକମ୍ପ?

ଏହାର ମୁଖ୍ୟ କାରଣ ହେଉଛି ଟେକ୍ଟୋନିକ୍ ପ୍ଲେଟ୍ଗୁଡ଼ିକର ଗତିବିଧି। ଜାପାନ ପ୍ରଶାନ୍ତ ମହାସାଗରର ରିଙ୍ଗ୍ ଅଫ୍ ଫାୟାର୍ ଅଞ୍ଚଳରେ ଅବସ୍ଥିତ। ଏଠାରେ ଅନେକ ଭୂତାତ୍ତ୍ୱିକ ପ୍ଲେଟ୍ ପରସ୍ପର ସହ ଧକ୍କା ଖାଉଛନ୍ତି ଏବଂ ଗୋଟିଏ ପ୍ଲେଟ୍ ଅନ୍ୟ ପ୍ଲେଟ୍ ତଳକୁ ଚାଲିଯାଉଛି। ଏହି ପ୍ରକ୍ରିୟାକୁ ସବଡକ୍ସନ୍ କୁହାଯାଏ। ଏହି ପ୍ରକ୍ରିୟାରେ ଭୂଗର୍ଭରେ ଚାପ ସୃଷ୍ଟି ହୁଏ। ଯେତେବେଳେ ସେହି ଚାପ ହଠାତ୍ ମୁକ୍ତ ହୁଏ, ସେତେବେଳେ ସୃଷ୍ଟି ହୁଏ ଭୂକମ୍ପର ତରଙ୍ଗ। ଫଳରେ ଥରି ଉଠେ ଭୂପୃଷ୍ଠ।