ପୁରୀ: ସ୍ବର୍ଗଦ୍ବାରରେ କାଠ ସଙ୍କଟ ଜାରି ରହିଥିବାବେଳେ ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରସାଦ ପ୍ରସ୍ତୁତି ପାଇଁ କାଠର ଘୋର ଅଭାବ ଲାଗି ରହିଛି। ଦୁଇରୁ ତିନି ବର୍ଷ ହେବ ମହାପ୍ରସାଦ ପ୍ରସ୍ତୁତି ପାଇଁ ଜାଳେଣି କାଠର ଅଭାବ ଲାଗି ରହିଥିବାରୁ ମହାପ୍ରସାଦ ପ୍ରସ୍ତୁତି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛି ସୁଆର ମହାସୁଆର ନିଯୋଗ। ଯଥାଶୀଘ୍ର ଶ୍ରୀମନ୍ଦିରରେ ଜାଳେଣି କାଠ ସମସ୍ୟା ର ସମାଧାନ ନହୁଏ ଏହାର ପ୍ରତିବାଦରେ ମହାପ୍ରସାଦ ପ୍ରସ୍ତୁତି ବନ୍ଦ ରଖାଯିବ ବୋଲି ପ୍ରଶାସନକୁ କଡ଼ା ଚେତାବନୀ ଦେଇଛି ନିଯୋଗ। ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି ଶ୍ରୀମନ୍ଦିର ପାଇଁ କାଠ ଯୋଗାଣରେ କୌଣସି ସମସ୍ୟା ନାହିଁ। ଏନେଇ ନିଯୋଗ ସହିତ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ।

ସ୍ବର୍ଗଦ୍ବାରରେ କାଠ ସଙ୍କଟ ପରେ ଏବେ ଶ୍ରୀମନ୍ଦିରରେ କାଠର ଅଭାବ । ମହାପ୍ରସାଦ ପ୍ରସ୍ତୁତି ପାଇଁ ଜାଳେଣି କାଠର ଦେଖିଦେଇଛି ଘୋର ଅଭାବ। ଶ୍ରୀମନ୍ଦିରରେ ପ୍ରତି ଦିନ ବରାଦି ଭୋଗ ପ୍ରସ୍ତୁତି ପାଇଁ ୧୦୦ କୁଇଣ୍ଟାଲରୁ ଅଧିକ ଜାଳେଣି କାଠର ଆବଶ୍ୟକତା ରହିଛି। ହେଲେ ମାତ୍ର ୪୦ ରୁ ୫୦ କୁଇଣ୍ଟାଲ ଜାଳେଣି କାଠ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି । ତେଣୁ ବାଧ୍ୟ ହୋଇ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ବାହାର କାଠ ଗୋଲାରୁ ଉଚ୍ଚ ଦରରେ ଜାଳେଣି କାଠ କିଣୁଛି । ଏହାଦ୍ବାରା ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମହାପ୍ରସାଦର ଦର ଉପରେ ମଧ୍ୟ ପ୍ରଭାବ ପଡୁଛି।

ସେହିପରି ଅନେକ ସମୟରେ ପର୍ଯ୍ୟାପ୍ତ ଜାଳେଣି କାଠ ମିଳୁନଥିବାରୁ ଲୋକଙ୍କ ବରାଦ ମୁତାବକ ମହାପ୍ରସାଦ ପ୍ରସ୍ତୁତି କରାଯାଇ ପାରୁନାହିଁ ବୋଲି ଅଭିଯୋଗ କରିଛି ସୁଆର ମହାସୁଆର ନିଯୋଗ। ଦିନକୁ ଦିନ ଶ୍ରୀମନ୍ଦିରକୁ ଭକ୍ତଙ୍କ ଆଗମନ ବୃଦ୍ଧି ପାଉଥିବାରୁ ବରାଦି ଭୋଗ ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଜାଳେଣି କାଠ ଅଭାବ ହେତୁ ଆଗାମୀ ଦିନରେ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟାପକ ପ୍ରଭାବ ପଡିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ। ପ୍ରଶାସନ କାଠ ସଙ୍କଟ ସମସ୍ୟାର ସମାଧାନ ଶୀଘ୍ର ନକଲେ ମହାପ୍ରସାଦ ପ୍ରସ୍ତୁତି ବନ୍ଦ କରିବା ପାଇଁ ନିଯୋଗ ବାଧ୍ୟ ହେବ ବୋଲି କହିଛି ।

ପୁରୀ ଜିଲ୍ଲାପାଳ କହିଛନ୍ତି ଶ୍ରୀମନ୍ଦିରକୁ କାଠ ଯୋଗାଣରେ କୌଣସି ସମସ୍ୟା ନାହିଁ। ବନବିଭାଗ ପକ୍ଷରୁ ଆବଶ୍ୟକତା ଅନୁସାରେ ଶ୍ରୀମନ୍ଦିରକୁ କାଠ ଯୋଗାଇ ଦିଆଯାଉଛି। ତେବେ କାଠକୁ ନେଇ ଯେଉଁ ସମସ୍ୟା ଥିବା ଅଭିଯୋଗ ହେଉଛି ସେନେଇ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରାଯାଇ କାଠ ସମସ୍ୟାର ସମାଧାନ କରାଯିବ। ସେପଟେ ଭକ୍ତ କହିଛନ୍ତି ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି କୁ ନେଇ ଯେଭଳି କାଠର କୌଣସି ସମସ୍ୟା ରହିବ ନାହିଁ ସେ ଦିଗରେ ପ୍ରଶାସନ ପଦକ୍ଷେପ ନେଉ।

ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଜାଳେଣି କାଠ ସମସ୍ୟା ଥିବା ଗତ ଦୁଇବର୍ଷ ରୁ ଉର୍ଦ୍ଧ୍ବ ହେବ ଅଭିଯୋଗ କରିଆସୁଛି ସୁଆର ମହାସୁଆର ନିଯୋଗ। ହେଲେ ଏଥିରେ କିଛି ସୁଧାର ଆସିନାହିଁ । ତେଣୁ ପ୍ରଶାସନ ନିଯୋଗ ସହିତ ଆଲୋଚନା କରି ଜାଳେଣି କାଠ ସମସ୍ୟାର ସମାଧାନ କରିବା ନିହାତି ଜରୁରୀ ହୋଇପଡ଼ିଛି ।