ନୂଆଦିଲ୍ଲୀ ୦୮।୧୧; ୟେମେନରେ ପୁଣି ମୃତ୍ୟୁର ତାଣ୍ଡବ। ସାଉଦି ଆରବର ବାୟୁ ଆକ୍ରମଣରେ ଛାରଖାର ହୋଇଗଲା ଅନେକ ଘର। ରାଜଧାନୀ ସାନା ନିକଟସ୍ଥ ବାନି ହୁଶାଇଶ ଗ୍ରାମରେ ହୋଇଥିବା ଏହି ଆକ୍ରମଣରେ ୩୩ ଜଣଙ୍କ ଜୀବନ ଯାଇଥିବାବେଳେ ୩୯ ଜଣ ଆହତ ହୋଇଛନ୍ତି ବୋଲି ହୁଥି ନିୟନ୍ତ୍ରିତ ସମ୍ବାଦ ସଂସ୍ଥା ସବା ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି।

ଆକ୍ରମଣରେ ଅନେକ ଘର ଭୁଶୁଡ଼ି ପଡ଼ିଥିବାରୁ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି ଅନେକ ଲୋକ। ମୃତାହତଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଧିକ ଥିବା ଦାବି କରାଯାଇଛି। ଉଦ୍ଧାର କାର୍ଯ୍ୟ ମଧ୍ୟରେ ପୁଣି ଆକ୍ରମଣ ହେଉଥିବା ଅଭିଯୋଗ ଆସିଛି। ଫଳରେ ଉଦ୍ଧାରକାରୀ ଓ ଚିକିତ୍ସା କର୍ମଚାରୀଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିଛି। ସାନାର ସେହାତୁନା ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି। ମୁଣ୍ଡ, ଛାତି ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବାରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟପଟେ ସାଉଦି ଆରବର ସେଣ୍ଟର ଫର୍ ଇଣ୍ଟରନ୍ୟାସନାଲ୍ କମ୍ୟୁନିକେସନ୍ ପକ୍ଷରୁ ଘଟଣାର ତଦନ୍ତ ଚାଲିଥିବା କୁହାଯାଇଛି।

ତେବେ ଏହି ଆକ୍ରମଣ ପଛରେ ରହିଛି ଦୀର୍ଘଦିନର ସାଉଦି-ହୁଥି ବିବାଦ। ୟେମେନର ରାଜଧାନୀ ସାନା ଉପରେ ହୁଥି ବିଦ୍ରୋହୀଙ୍କ ନିୟନ୍ତ୍ରଣ ରହିଛି। ଇରାନ ସମର୍ଥିତ ଏହି ଗୋଷ୍ଠୀ ଓ ସାଉଦି ଆରବ ମଧ୍ୟରେ ଦୀର୍ଘଦିନ ଧରି ସଂଘର୍ଷ ଲାଗି ରହିଛି। ୨୦୨୨ରେ ମିଳିତ ଜାତିସଂଘର ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧବିରତି ହୋଇଥିଲା। ଫଳରେ ଆକ୍ରମଣର ତୀବ୍ରତା କମିଥିଲା। କିନ୍ତୁ ପୁଣି ସଂଘର୍ଷ ବଢ଼ିବାରୁ ୟେମେନରେ ଅଶାନ୍ତି ଫେରିଥିବା ରିପୋର୍ଟରେ କୁହାଯାଇଛି। ହୁଥି ବିଦ୍ରୋହୀଙ୍କ ପକ୍ଷରୁ ସାଉଦି ଆରବର ବିମାନବନ୍ଦର ଓ ତୈଳ ଭିତ୍ତିଭୂମିକୁ ଟାର୍ଗେଟ୍ କରି ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣ କରାଯାଇଥିବା ଅଭିଯୋଗ ରହିଛି। ଏହାର ଜବାବରେ ସାଉଦି ଆରବ ପକ୍ଷରୁ ୟେମେନରେ ଏୟାରଷ୍ଟ୍ରାଇକ କରାଯାଇଥିବା କୁହାଯାଉଛି।