ପୁରୀ ୨୧।୦୫ : ବୁଧବାର ରଥ ଚାଳିରେ ଚଉତା ତଥା ଭୂଇଁ କାଠରେ ବିନ୍ଧ ଅନୁକୂଳ କରାଯାଇଛି । ମୁଖ୍ୟ ବିଶ୍ୱକର୍ମା ମାଳ, ମାହାର୍ଦ୍ଦ ଓ ଶ୍ରୀଫଳ ଦେଇ ଚଉତାରେ ବିନ୍ଧ ଖୋଦେଇ ଆରମ୍ଭ କଲେ । ପରେ ନିପୁଣ କାରିଗରମାନେ ବିନ୍ଧ ତିଆରୁଛନ୍ତି । ଚଉତା ହେଉଛି ରଥର ଉପରିଭାଗ ଭୂଇଁ କାର୍ଯ୍ୟ । ତିନି ରଥର ଅଖ ତିଆରି ଉପରେ ଏବେ ଜୋର୍ ଦିଆଯାଉଛି । ନାହାକା ଅଖ ୩ଟି ସଂଯୋଗ ପରେ ବାକି ୧୮ଟି ଅଖ ତିଆରି ଚାଲିଛି ।

Also Read:-Heat Wave Alert : ଦିନରେ ପ୍ରବଳ ଖରା, ରାତିରେ ଗୁଳୁଗୁଳି ; ୨୪ ଯାଏ ଖରାରୁ ମିଳିବନି ନିସ୍ତାର

ଏପଟେ ଗରଗରା ଚଉପଟ ଓ ଗୟଳ ଚିରା ଜାରି ରହିଛି । ରଥ ନିର୍ମାଣସ୍ଥଳୀକୁ ଆଖନ୍ଦ କରାଯାଇ ଅଖ ହଣା ଆରମ୍ଭ ହୋଇଯାଇଛି । ଭଉଁରୀ ଉତ୍ସବରେ ତିନି ରଥର ନାହାକା ଅଖ ନିର୍ମାଣ ସରି ଚକ ସଂଯୋଗ ସରିଥିଲା । ଏବେ ଦେବଦଳନର ବାକି ୫ଟି, ନନ୍ଦିଘୋଷର ୭ଟି ଓ ତାଳଧ୍ୱଜର ୬ଟି ଅଖର ହଣା ଆରମ୍ଭ ହୋଇଛି । ୪୦ ଫୁଟିଆ ଧଉରା କାଠରେ ତିଆରି ହେଉଛି ଅଖ। ରଥର ଭାରା ଚକ ଓ ଅଖ ସମ୍ଭାଳେ । ଅଖ ଉପରେ ଦଣ୍ଡା ଫିଟିଂ ହୋଇ ଗରଗରା ପଡ଼ି ଚାରିନାହାକା ଉଠିବ। ଅଖ ଦୁର୍ବଳ ହେଲେ ରଥ ସ୍ଥିତି ଉପରେ ପ୍ରଭାବ ପଡ଼ିବ। ଏଣୁ ଭଲ କାଠ ପରଖି ତିଆରି ହେଉଛି ରଥ ଅଖ। ଚଉତା ତଥା ଭୂଇଁ କାଠରେ ଦାଗ ଦିଆଯିବା ପରେ ଅନୁକୂଳ ହୋଇ ବିନ୍ଧ ଖୋଳା ଜାରି ରହିଛି। ଚଉତା କାଠରେ ପାଖୁଡ଼ା ଓ ଖମ୍ବୀ ବିନ୍ଧ ହୋଇଥାଏ । ପ୍ରଥମ ଭୂଇଁ ଉପରେ ୪ଟି ଖମ୍ବୀ ଓ ଦ୍ୱିତୀୟ ଭୂଇଁ ଉପରେ ୪ଟି ଖମ୍ବୀ ଲାଗିବ । ତା’ ଉପରେ ପୋଟଳ ଖମ୍ବୀ ଲାଗି ତୃତୀୟ ଭୂଇଁ ରହିବ । ଖୁବ୍ଶୀଘ୍ର ଅନୁକୂଳ ହୋଇ ଦଣ୍ଡା ତିଆରି ଆରମ୍ଭ ହୋଇଯିବ । ଦୋଳବେଦି ଶାଳରେ ଓଝା ସେବକମାନେ ଦଣ୍ଡା ପାଇଁ ଲୋଡ଼ା ଲୌହ ସାମଗ୍ରୀ ତିଆରୁଛନ୍ତି ।