ମୁମ୍ବାଇ: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ପତ୍ନୀ ସୁନୀତା ଆହୁଜାଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲି ନାହିଁ । ଗୋବିନ୍ଦାଙ୍କ ପାଖରୁ ସୁନୀତା ଛାଡ଼ପତ୍ର ନେବାକୁ ଚାହୁଁଥିଥିବା ଚର୍ଚ୍ଚା ହେଉଥିଲା । ଏପରିକି ସୁନୀତା ଏଥିପାଇଁ କୋର୍ଟରେ ଆବେଦନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ନିଜ ପିଟିସନ୍‌ ପ୍ରତ୍ୟାହାର କରିନେଇଥିଲେ । ତଥାପି ଦୁହିଁଙ୍କ ମଧ୍ୟରେ ତିକ୍ତତା ଥମିନାହିଁ । ବିଭିନ୍ନ ସମୟରେ ସୁନୀତା, ଗୋବିନ୍ଦାଙ୍କ ପରକୀୟ ପ୍ରୀତିକୁ ନେଇ ସାର୍ବଜନୀନ ଭାବରେ ପ୍ରତିକ୍ରିୟା ଦେଉଛନ୍ତି । ଏସବୁ ମଧ୍ୟରେ, ଅଭିନେତା ଗୋବିନ୍ଦା ଏହି ଚର୍ଚ୍ଚା ଆଲୋଚନା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । 

ଜବାବ ଦେଲେ ଗୋବିନ୍ଦା
ସୁନୀତା ଚାପରେ ନା ଭଲ ପାଇବା ପାଇଁ ଛାଡ଼ପତ୍ର ପିଟିସନ ପ୍ରତ୍ୟାହାର କରିଛନ୍ତି ? ଏହି ପ୍ରଶ୍ନରେ ଅଭିନେତା ଗୋବିନ୍ଦା କହିଛନ୍ତି, ଆମେ ହିନ୍ଦୁ, ଆମ ପରମ୍ପରାରେ ଛାଡ଼ପତ୍ର ବୋଲି କିଛି ଶବ୍ଦ ନାହିଁ । ଆମ ବ୍ୟବସ୍ଥାରେ ଆବଶ୍ୟକୀୟ ନିୟମ ପୂର୍ବରୁ ରହିଛି । । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ନିଜସ୍ୱ ନୀତିରେ ବିଶ୍ୱାସ କରନ୍ତି  । ନିଜ ସ୍ଥିତିରୁ ଓହରିଗଲେ ନିଜ ଶକ୍ତି ଉପରେ ନିଜେ ପ୍ରଶ୍ନ ଉଠାଇବାକୁ ପଡ଼ିଥାଏ। ଭବିଷ୍ୟତରେ ଏହି ବିଷୟରେ ତାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରା ନଯାଉ ବୋଲି ସେ ଅନୁରୋଧ କରିଛନ୍ତି।

​​​​​​​

କୋମଲ ରାଣୀଙ୍କ ସହ ସଂପର୍କ
ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ ସମ୍ପର୍କକୁ ନେଇ ଉଠିଥିବା ଗୁଜବ ଉପରେ ମଧ୍ୟ ଗୋବିନ୍ଦା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ,  ଅଭିନେତ୍ରୀମାନଙ୍କ ପ୍ରତି ଆକୃଷ୍ଟ ହେବା କଥା କେବଳ ସାଧାରଣ ଶୁଭେଚ୍ଛା ଆଦାନପ୍ରଦାନ ମଧ୍ୟରେ ହିଁ ସୀମିତ ଥିଲା। ସେ କହିଛନ୍ତି ଯେ, ତାଙ୍କ କଥା ଯୋଗୁଁ ଅନ୍ୟ କୌଣସି ବ୍ୟକ୍ତି ଯେପରି ସମାଜରେ ଲଜ୍ଜିତ ନ ହୁଅନ୍ତି କିମ୍ବା ସେମାନଙ୍କ ସମ୍ମାନରେ ଆଞ୍ଚ ନ ଆସେ, ସେଥିପାଇଁ ସେ ସଂଯମତା ରକ୍ଷା କରନ୍ତି। ତାଙ୍କ ପାରିବାରିକ ଜୀବନର କଠିନ ପରିସ୍ଥିତି ସମ୍ପର୍କରେ ଗୋବିନ୍ଦା କହିଛନ୍ତି ଯେ, ପ୍ରାୟ ୮-୯ ବର୍ଷ ପୂର୍ବରୁ ଜଣେ ବ୍ୟକ୍ତି ତାଙ୍କୁ ଏପରି ଏକ କଠିନ ସମୟ ଦେଇ ଗତି କରିବାକୁ ପଡ଼ିବ ବୋଲି ଭବିଷ୍ୟବାଣୀ କରିଥିଲେ। 

ସମୟ କହିବ ସତ କଣ ?
ଗୋବିନ୍ଦା କହିଛନ୍ତି, ଯେଉଁ ବ୍ୟକ୍ତି ଏହି ସମସ୍ୟା ବିଷୟରେ ଲେଖିଥିଲେ, ସେ କୌଣସି ସାଧାରଣ ବ୍ୟକ୍ତି ନଥିଲେ। ତେବେ ଗୋବିନ୍ଦା ସେହି ବ୍ୟକ୍ତିଙ୍କ ନାମ କିମ୍ବା ଏହି ବିଷୟରେ ଅଧିକ ସୂଚନା ଦେଇନାହାନ୍ତି । ସୋସିଆଲ ମିଡିଆରେ ହେଉଥିବା ସମାଲୋଚନା ଓ ଟ୍ରୋଲିଂ ଉପରେ ପ୍ରତିକ୍ରିୟା ରଖି ଗୋବିନ୍ଦା କହିଛନ୍ତି ଯେ, ସେ ସମାଲୋଚକମାନଙ୍କୁ ଉତ୍ତର ଦେବାକୁ ପସନ୍ଦ କରନ୍ତି ନାହିଁ । ସମୟ ହିଁ ଶେଷରେ ସତ୍ୟକୁ ସାମ୍ନାକୁ ଆଣିବ। ସେ ଆହୁରି କହିଛନ୍ତି, ‘ତିକ୍ତତାରୁ କେବେ ବି ମିଠା ଫଳ ମିଳିପାରିବ ନାହିଁ। ନକାରାତ୍ମକ କମେଣ୍ଟର ଉତ୍ତର ଦେଲେ କେବଳ ନକାରାତ୍ମକତା ହିଁ ବୃଦ୍ଧି ପାଇବ ।’ ଗୋବିନ୍ଦାଙ୍କ ପ୍ରତିକ୍ରିୟାରୁ ଜଣାପଡ଼ୁଛି, ପତ୍ନୀ ସୁନୀତାଙ୍କ ସହ ତାଙ୍କର ସଂପର୍କ ପୂର୍ବଭଳି ମଧୁର ହୋଇଛି କିମ୍ବା ଦହିଁଙ୍କ ମଧ୍ୟରେ କୌଣସି ବୁଝାମଣା ହୋଇଥାଇପାରେ ।