ଭୁବନେଶ୍ୱର ୨୧।୦୫ : ଝାରସୁଗୁଡ଼ା ୪୬ ଡିଗ୍ରୀ ସେଲସିୟସ୍ । ସମ୍ବଲପୁର ୪୫.୩ ଓ ହୀରାକୁଦ ୪୫ ଡିଗ୍ରୀ ସେଲସିୟସ୍ । ପଶ୍ଚିମ ଓଡ଼ିଶାରେ ବର୍ଷୁଛି ନିଆଁ । ଉପକୂଳ ଓଡ଼ିଶା ଗରମ ସହ ଗୁଳୁଗୁଳିରେ ଛଟପଟ ହେଉଛି । ରାତିରେ ବି ମିଳୁନି ତ୍ରାହି ।

ପାଣିପାଗ ବିଭାଗ ସତର୍କ କରାଇ ଦେଇଛି, ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତିରୁ ଟିକିଏ ବି ନିସ୍ତାର ମିଳିବ ନାହିଁ । ଜାରି ରହିବ ନିଷ୍ଠୁର ଗ୍ରୀଷ୍ମ ପ୍ରବାହ । ଗ୍ରୀଷ୍ମ ଲହରୀ ସାଙ୍ଗକୁ ଗୁଳୁଗୁଳି ଏବଂ ଉଷ୍ମ ରାତି ନେଇ ଜନସାଧାରଣଙ୍କୁ ସତର୍କ କରାଯାଇଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନ ଏବଂ ବିଭାଗକୁ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ କୁହାଯାଇଛି ।

Also Read:-ମୋଦୀଙ୍କ ଗୋଟିଏ ଚକୋଲେଟ୍ ବଦଳାଇ ଦେଲା ଶେୟାର ମାର୍କେଟର ଭାଗ୍ୟ !

ଓଡ଼ିଶାର ୨୨ଟି ସ୍ଥାନରେ ଦିନ ତାପମାତ୍ରା ବୁଧବାର ୪୦ ଡିଗ୍ରୀ ପାର୍ କରିଥିଲା । ସେଥିରୁ ୮ଟି ସ୍ଥାନରେ ୪୩ ଡିଗ୍ରୀ ଡେଇଁଥିଲା ପାରଦ । ଅନ୍ୟ ସହର ଭିତରେ ସୋନପୁର ୪୩.୯ ଡିଗ୍ରୀ, ବରଗଡ଼ ୪୩.୮, ତାଳଚେର ୪୩.୮, ଟିଟିଲାଗଡ଼ ୪୩.୫, ବଲାଙ୍ଗୀର ୪୩.୩ ଡିଗ୍ରୀ ତାଉରେ ସିଝିଥିଲା । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ପ୍ରାୟତଃ ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲା । ତଥାପି କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, ଭଦ୍ରକରେ ୪୦ ପାର୍ କରିଥିଲା ତାପମାତ୍ରା । ଉପକୂଳରେ ତାତି ସାଙ୍ଗକୁ ଗୁଳୁଗୁଳି ନାକେଦମ କରିଥିଲା । ଦିନ ତମାମ ଗରମ ଲାଗି ରହୁଥିବାବେଳେ ରାତିରେ ବି ତାପମାତ୍ରା ୨୮-୨୯ ଡିଗ୍ରୀ ରହୁଛି । ଅନ୍ୟପଟେ ଆର୍ଦ୍ରତା ଭରି ରହୁଥିବାରୁ ଅଧିକ ଗରମ ଅନୁଭୂତ ହେଉଛି।

ପାଣିପାଗ ବିଭାଗ ସତର୍କ କରାଇଛି, ଗୁରୁବାରଠାରୁ ୨୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଓ ବଲାଙ୍ଗୀରରେ ଭୀଷଣ ଗ୍ରୀଷ୍ମ ପ୍ରବାହ (ସିଭିୟର ହିଟ୍ ୱେଭ) ସ୍ଥିତି ରହିପାରେ । ଏହି ଦୁଇ ସହର ସହ ସୁନ୍ଦରଗଡ଼ରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିପାରେ । ଏହାସହ ଭଦ୍ରକ, ଯାଜପୁର, ନୟାଗଡ଼, ଝାରସୁଗୁଡ଼ା, ଅନୁଗୁଳ, ସୋନପୁର, ବୌଦ୍ଧରେ ଗ୍ରୀଷ୍ମ ପ୍ରବାହ (ହିଟ୍ ୱେଭ୍) କଲବଲ କରିପାରେ ।

ଅନ୍ୟପଟେ ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାରେ ଗରମ ସାଙ୍ଗକୁ ଗୁଳୁଗୁଳି ଛଟପଟ କରିବା ଆଶଙ୍କା ରହିଛି । ଆସନ୍ତା ୬/୭ ଦିନ ଯାଏଁ ରାଜ୍ୟରେ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବା ସମ୍ଭାବନା ଅଛି । ଅପରପକ୍ଷରେ ବର୍ତ୍ତମାନ ପ୍ରତିଦିନ କିଛି କିଛି ଜାଗାରେ କାଳବୈଶଖୀ ପ୍ରଭାବରେ ବର୍ଷା ହୋଇପାରେ । ମାତ୍ର ବିସ୍ତୃତ ଅଞ୍ଚଳକୁ ଭିଜାଇବା କିମ୍ବା ଥଣ୍ଡା କରିବା ଭଳି ବର୍ଷା ସମ୍ଭାବନା ଏବେ ଦେଖା ଯାଉନି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରୀ ତାତି ଛୁଇଁଥିବାବେଳେ ଉପକୂଳରେ ୩୬ରୁ ୩୮ ଡିଗ୍ରୀ ରହୁଛି । ପଶ୍ଚିମରେ ନିଆଁ ବର୍ଷୁଥିବାବେଳେ ଉପକୂଳରେ ବି ଆର୍ଦ୍ରତା ୭୦% ଉପରେ ଥିବାରୁ ମଣିଷ ଶରୀରକୁ ୫୦ ଡିଗ୍ରୀ ଭଳି ତାତି ଅନୁଭୂତ ହେଉଛି । ପଶ୍ଚିମ ଓଡ଼ିଶାରେ ତତଲା ଶୁଖିଲା ପବନ ମାଡ଼ ହେଉଛି । ବର୍ତ୍ତମାନର ପାଣିପାଗ ମୌସୁମୀ ଆଗମନ ପୂର୍ବର ଏକ ପରିବର୍ତ୍ତନ ସମୟ । ଏଭଳି ସ୍ଥିତି ଆହୁରି କିଛିଦିନ ରହିପାରେ । ସ୍ଥାନୀୟ ଭାବେ କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ଯୋଗୁ ସାମୟିକ ଆଶ୍ୱସ୍ତି ମିଳିପାରେ । ଚଳିତ ମାସ ଶେଷ ଆଡ଼କୁ କାଳବୈଶାଖୀ ପ୍ରଭାବ ବଢ଼ିଲେ କିମ୍ବା ଦକ୍ଷିଣ-ପଶ୍ଚିମ ମୌସୁମୀ ଭାରତର ମୁଖ୍ୟ ଭୂଭାଗକୁ ଆଗେଇଲେ ହିଁ ତାତିରୁ ଆଶ୍ୱସ୍ତି ମିଳିପାରେ ।