ମୁମ୍ବାଇ: ଭଡ଼ା ଘରେ ନକଲି ନୋଟ୍ ଛାପୁଥିଲା ଭଡ଼ାଟିଆ । ଚୁକ୍ତି ଶେଷ ହେବା ପରେ ମଧ୍ୟ ଘର ମାଲିକଙ୍କୁ ଧମକ ଦେଇ ରହୁଥିଲା ଭଡ଼ାଟିଆ । ଏବେ ସେହି ଭଡ଼ା ଘରୁ ପୁଲିସ ପ୍ରାୟ ୩୭ ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଜବତ କରିଛି । କିନ୍ତୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ, ତାକୁ ଖୋଜୁଛି ପୁଲିସ । ଏହି ବିଚିତ୍ର ଘଟଣା ମହାରାଷ୍ଟ୍ରର ନାଗପୁରରେ ଘଟିଛି ।

ଭଡ଼ାରେ ରହୁଥିବା ଯୁବକ କିଛି ଦିନ ଧରି ସେଠାରେ ନଥିଲେ । ସନ୍ଦେହ ହେବାରୁ ଘର ମାଲିକ ତାଲା ଭାଙ୍ଗି କବାଟ ଖୋଲିଥିଲେ । ସେତେବେଳେ ସେ ଦେଖିଲେ, ବିଡା ବିଡ଼ା ଜାଲ୍‌ ନୋଟ୍‌ ଏବଂ ପ୍ରିଣ୍ଟିଂ ମେସିନ୍‌ ରହିଛି । ସେ ପୁଲିସକୁ ଖବର ଦେବା ପରେ ପୂରା ଘଟଣାର ପର୍ଦ୍ଦାଫାସ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧା ଛପା ହୋଇଥିବା ନୋଟ୍ ଏବଂ ଅନ୍ୟାନ୍ୟ ପ୍ରିଣ୍ଟିଂ ସାମଗ୍ରୀ ଜବତ କରିଛି । ସେଗୁଡ଼ିକର ଆନୂମାନିକ ମୂଲ୍ୟ ପ୍ରାୟ ୪୮ ଲକ୍ଷ ଟଙ୍କା ହେବ। ଅଭିଯୁକ୍ତ ପୁଷ୍ପକ କୃଷ୍ଣ ଭଣ୍ଡାରକର ଓରଫ୍ ବେନ୍ଦାନେ, ନାଗପୁରର ତ୍ରିମୂର୍ତ୍ତି ନଗରର ବାସିନ୍ଦା । 

ସୂଚନା ଅନୁଯାୟୀ, ପ୍ରାୟ ଦେଢ଼ ବର୍ଷ ପୂର୍ବରୁ ପୁଷ୍ପକ ଖାରବୀ ଅଞ୍ଚଳରେ ସେହି ରୁମ୍‌ଟିକୁ ଭଡ଼ାରେ ନେଇଥିଲେ । ଯାହାର ଭଡ଼ା ଚୁକ୍ତିନାମା ଚଳିତ ବର୍ଷ ଜାନୁଆରୀରେ ଶେଷ ହୋଇଯାଇଥିଲା। ଏହା ପରେ ସେ ଗତ କିଛି ମାସ ହେବ ଘର ଭଡ଼ା ଦେବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲା। ଘର ମାଲିକ ରମେଶ ଯେତେବେଳେ ତାକୁ ଘର ଖାଲି କରିବାକୁ କହିଥିଲେ, ପୁଷ୍ପକ ତାଙ୍କୁ ଛୁରୀ ଦେଖାଇ ଭୟଭୀତ କରାଇଥିଲା । ଏହା ପରେ ଘର ମାଲିକ ୱାଠୋଡ଼ା ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରିଥିଲେ।

ଅଭିଯୋଗ ପରେ ଅଭିଯୁକ୍ତ ଯୁବକ ଅନେକ ଦିନ ଧରି ରୁମ୍‌କୁ ନଆସିବାରୁ, ଗତ ଶନିବାର ଘର ମାଲିକ ହାତୁଡ଼ି ସାହାଯ୍ୟରେ ରୁମ୍‌ର ତାଲା ଭାଙ୍ଗିଥିଲେ। ଭିତରର ଦୃଶ୍ୟ ଦେଖି ସେ ସ୍ତବ୍ଧ ହୋଇଯାଇଥିଲେ । ଘର ଭିତରେ ବିଡ଼ା ବିଡ଼ା ଟଙ୍କା,  ଚଟାଣରେ ପଡ଼ିଥିଲା କାଗଜପତ୍ର ଏବଂ  ଥିଲା ଗୋଟିଏ ପ୍ରିଣ୍ଟର। ସେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ।

ପୁଲିସ ଟିମ୍ ପହଞ୍ଚି ନୋଟ୍ ଗଣିବା ମେସିନ୍ ସାହାଯ୍ୟରେ ଟଙ୍କା ଗଣିବା ପରେ ପ୍ରାୟ ୩୭ ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ଜାଲ୍ ନୋଟ୍ ଥିବା ସ୍ପଷ୍ଟ ହୋଇଥିଲା। ଏହା ସହ ଅଧା ଛପା ହୋଇଥିବା ନୋଟ୍ ଓ ପ୍ରିଣ୍ଟିଂ ସାମଗ୍ରୀ ସମେତ ମୋଟ ୪୮ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଛି। ପୁଲିସ ଅଭିଯୁକ୍ତ ପୁଷ୍ପକ ମୁମ୍ବାଇରେ ଥିବା ସୂଚନା ପାଇ ଏକ ଟିମ୍‌କୁ ପଠାଇଛି। ତେବେ ଚୁକ୍ତି ଶେଷ ହେବା ପରେ, ଅଭିଯୁକ୍ତ ପୁଷ୍ପକ ଜେର ଜବରଦସ୍ତି ଘରେ ଥିଲା । ନକଲି ନୋଟ୍‌ ଛାପିବା ଲାଗି ସେ ଭଡ଼ା ଘରେ ରହୁଥିଲା । ଏତେ ବଡ଼ ନକଲି ନୋଟ୍‌ ରାକେଟ୍‌ ପଛରେ ଆଉ କାହାର ହାତ ଅଛି, ସେନେଇ ପୁଲିସ ତଦନ୍ତ କରୁଛି ।