ମୁମ୍ବାଇ : ବଲିଉଡରେ ଦେଖାଗଲାଣି ଭୟର ବାତାବରଣ । ଗତ କିଛିଦିନ ତଳେ ଅଭିନେତା ଟାଇଗର ଶ୍ରଫ୍ଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଚିନ୍ତାରେ ପୁରା ବଲିଉଡ ଇଣ୍ଡଷ୍ଟ୍ରି । ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରଙ୍କ ସୁରକ୍ଷାକୁ ନେଇ ଏବେ ଉଠିଛି ପ୍ରଶ୍ନ। ଏହି ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛି ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ (AICWA)। ସିନେମା ଜଗତ ସହ ଜଡ଼ିତ ସମସ୍ତ କଳାକାର ଓ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ସଂଗଠନ ଉଦ୍ବେଗ ପ୍ରକାଶ କରିଛି। ତେବେ କ’ଣ ଲେଖାହୋଇଛି ଏହି ଚିଠିରେ? କଳାକାରଙ୍କ ସୁରକ୍ଷା ପାଇଁ କ’ଣ ଦାବି କରିଛି AICWA ସଂଘ ?

ସୂଚନା ଥାଉ କି ଗତ ଅକ୍ଟୋବର ୧୮ ତାରିଖ ସନ୍ଧ୍ୟାରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଅଭିନେତାଙ୍କ କାର୍କୁ ଟାର୍ଗେଟ୍ କରି ଗୁଳିମାଡ଼ କରାଯାଇଥିଲା। ସୌଭାଗ୍ୟବଶତଃ ଟାଇଗର ବଡ଼ ଅଘଟଣରୁ ବର୍ତ୍ତିଯାଇଥିବା ବେଳେ ତାଙ୍କ ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଏବେ ବଲିଉଡ କଳାକାରଙ୍କ ସୁରକ୍ଷାକୁ ନେଇ ବଢିଛି ଚର୍ଚ୍ଚା। ଅଭିନେତାଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛି AICWA। ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ଚଳଚ୍ଚିତ୍ର ଜଗତର ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରିଛି ସଂଗଠନ।

ବଲିଉଡ ସିନେମା ଇଣ୍ଡଷ୍ଟ୍ରି ସହ ଜଡ଼ିତ ଅଭିନେତା, ନିର୍ମାତା ଓ ଅନ୍ୟ କର୍ମଚାରୀଙ୍କ ସୁରକ୍ଷା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି। ଏଭଳି ଘଟଣା ଯଦି କଳାକାରଙ୍କ ମଧ୍ୟରେ ଭୟ ସୃଷ୍ଟି କରେ, ତେବେ ଏହା ଫିଲ୍ମ ଇଣ୍ଡଷ୍ଟ୍ରିର କାର୍ଯ୍ୟ ପରିବେଶକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି କହିଛି ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ ସଂଘ । ତେଣୁ ଘଟଣାର ଗୁରୁତ୍ୱକୁ ବିଚାରକୁ ନେଇ କଳାକାରଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଦିଗରେ ପଦକ୍ଷେପ ନେବାକୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ଦାବି କରିଛନ୍ତି ସମସ୍ତ କଳାକାର ।