ମୁମ୍ବାଇ, ୨୫।୧୦:ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ମଲ୍ଲିକା ଶେରାୱତ । ନିଜର ଅଭିନୟ ଓ ବୋଲ୍ଡ ଅନ୍ଦାଜ ପାଇଁ ପରିଚିତ ମଲ୍ଲିକା ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ସେ ୫୦ ବର୍ଷ ବୟସରେ ବି ସିଙ୍ଗଲ ଅଛନ୍ତି । ତେବେ ଖୁବ୍ କମ୍ ଲୋକ ଜାଣନ୍ତି ଯେ ବଲିଉଡ୍ ପାଦ ରଖିବା ପୂର୍ବରୁ ତାଙ୍କର ବିବାହ ହୋଇଥିଲା । ପରେ ଛାଡ଼ପତ୍ର ହେବା ପରେ ସେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।

ମଲ୍ଲିକା ଶେରାୱତଙ୍କ ପ୍ରକୃତ ନାମ ରିମା ଲାମ୍ବା । ୧୯୭୬ ଅକ୍ଟୋବର ୨୪ ତାରିଖରେ ହରିୟାଣାର ହିସାର ଜିଲ୍ଲା ଅନ୍ତର୍ଗତ ମୋଥ ଗ୍ରାମର ଏକ ହିନ୍ଦୁ ଜାଟ ପରିବାରରେ ତାଙ୍କ ଜନ୍ମ । ପିଲାଦିନରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା । ହେଲେ ତାଙ୍କ ପିତା ତାଙ୍କୁ ଜଣେ ଆଇଏଏସ୍ ଅଧିକାରୀ ଭାବେ ଦେଖିବାକୁ ଚାହୁଁଥିଲେ । ତେଣୁ ଅଭିନୟକୁ କ୍ୟାରିୟର ଭାବେ ବାଛିବା ନେଇ ସେ ପ୍ରଥମେ ଖୁସି ନଥିବା ଏକ ସାକ୍ଷାତକାରରେ ମଲ୍ଲିକାଙ୍କ ପିତା କହିଥିଲେ ।

ବଲିଉଡ୍ରେ ଏଣ୍ଟ୍ରି କରିବା ପୂର୍ବରୁ ମଲ୍ଲିକା ଜଣେ ଏୟାର ହୋଷ୍ଟେସ୍ ଭାବେ କାମ କରୁଥିଲେ । ଏହି ସମୟରେ ତାଙ୍କର ପରିଚୟ ଜେଟ୍ ଏୟାରୱେଜର ପାଇଲଟ୍ କରଣ ସିଂହ ଗିଲ୍‌ ସହ ହୋଇଥିଲା । ୧୯୯୭ ମସିହାରେ ଉଭୟ ବିବାହ କରିଥିଲେ । ସେତେବେଳେ ମଲ୍କିକାଙ୍କ ବୟସ ୨୧ ବର୍ଷ ହୋଇଥିଲା । ତେବେ ଏହି ସମ୍ପର୍କ ବେଶି ଦିନ ତିଷ୍ଠି ରହିନଥିଲା । ୨୦୦୧ ମସିହାରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା । ଏହାପରେ ମଲ୍ଲିକା ନିଜର ଅଭିନୟ କ୍ୟାରିୟର ଉପରେ ଧ୍ୟାନ ଦେଇଥିଲେ ।

୨୦୦୨ ମସିହାରେ ‘ଜିନା ସିର୍ଫ ମେରେ ଲିୟେ’ ଚଳଚ୍ଚିତ୍ରରେ ମଲ୍ଲିକା ଏକ ଛୋଟ ଭୂମିକାରେ ନଜର ଆସିଥିଲେ । ଏହାପରେ ୨୦୦୩ରେ ମୁଖ୍ୟ ଅଭିନେତ୍ରୀ ଭାବେ ‘ଖ୍ୱାହିଶ୍’ରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ତାଙ୍କର ଅନେକ କିସିଂ ସିନ୍ ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପରବର୍ତ୍ତୀ ସମୟରେ ୨୦୦୪ରେ ରିଲିଜ୍ କରିଥିବା ‘ମର୍ଡର୍’ ଚଳଚ୍ଚିତ୍ର ତାଙ୍କୁ ବ୍ୟାପକ ଲୋକପ୍ରିୟତା ଦେଇଥିଲା । ଏହାବ୍ୟତୀତ ମଲ୍ଲିକା ‘ୱେଲକମ୍’, ‘ଡବଲ ଧମାଲ’, ‘ପ୍ୟାର କେ ସାଇଡ୍ ଇଫେକ୍ଟସ୍’, ‘ପଲିଟିକ୍ସ ଅଫ୍ ଲଭ୍’, ‘ଦ ମିଥ୍’ ଏବଂ ‘ଭିକି ବିଦ୍ୟା କା ୱାଲା ଭିଡିଓ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

୫୦ ବର୍ଷ ବୟସରେ ମଧ୍ୟ ମଲ୍ଲିକା ମନୋରଞ୍ଜନ ଜଗତରେ ସକ୍ରିୟ ଅଛନ୍ତି। ନିକଟରେ ସେ କରଣ ଜୋହରଙ୍କ ରିଆଲିଟି ଶୋ’ ‘ଦ ଟ୍ରେଟର୍ସ ସିଜନ୍ ୨’ରେ ପ୍ରତିଯୋଗୀ ଭାବେ ନଜର ଆସିଥିବା ଚର୍ଚ୍ଚା ହୋଇଥିଲା। ଏହା ସହ ‘ଭୋଜପୁରୀ ବୱାଲ୍’ ଶୋ’ରେ ରାଜନେତା ତେଜ ପ୍ରତାପ ଯାଦବଙ୍କ ସହ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା।