ନୂଆଦିଲ୍ଲୀ ୨୫।୧୦; ‘ବିଗ୍ ବସ୍ ୨୦’ରେ ଏବେ ସମ୍ପର୍କକୁ ନେଇ ଜୋରଦାର ଚର୍ଚ୍ଚା। ୱିକେଣ୍ଡ କା ୱାର୍ରେ ରୋହିତ ସେଟ୍ଟୀଙ୍କ କଡ଼ା ଆଭିମୁଖ୍ୟ ଏବଂ ସ୍କାଉଟ୍ ଓପି, ଲଭ୍ ଗିଲ୍‌ଙ୍କ ଘନିଷ୍ଠତାକୁ ନେଇ ଉଠିଛି ପ୍ରଶ୍ନ। ଆଉ ଏହି ବିବାଦରେ ନୂଆ ମୋଡ଼ ଆଣିଛନ୍ତି ସ୍କାଉଟ୍‌ଙ୍କ ପ୍ରେମିକା କାଶଭୀ ହିରାନନ୍ଦାନୀ। ସ୍କାଉଟଙ୍କ ଆଚରଣକୁ ନେଇ ସେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିବା ସହ ଉଠାଇଛନ୍ତି ଅନେକ ପ୍ରଶ୍ନ।

ଜାତୀୟ ଟେଲିଭିଜନରେ ସମ୍ପର୍କର ସୀମା କେତେ, ଆଉ ବନ୍ଧୁତାର ଆଢ଼ୁଆଳରେ କ’ଣ ଚାଲିଛି? ‘ବିଗ୍ ବସ୍ ୨୦’ର ୱିକେଣ୍ଡ କା ୱାର୍ରେ ଏହି ପ୍ରଶ୍ନକୁ ନେଇ ଦେଖିବାକୁ ମିଳିଛି ହାଇଭୋଲଟେଜ୍ ଡ୍ରାମା। ଶୋ’ରେ ସ୍କାଉଟ୍ ଓପି ଏବଂ ପଞ୍ଜାବୀ ଅଭିନେତ୍ରୀ ଲଭ୍ ଗିଲ୍‌ଙ୍କ ଘନିଷ୍ଠତାକୁ ନେଇ ଆପତ୍ତି ଉଠାଇଛନ୍ତି ହୋଷ୍ଟ ରୋହିତ ସେଟ୍ଟୀ। ଦୁହେଁ ପରସ୍ପରକୁ ଭାଇ-ଭଉଣୀ ବୋଲି କହୁଥିବା ବେଳେ, ସେମାନଙ୍କ ଆଚରଣ କିନ୍ତୁ ଭିନ୍ନ ବାର୍ତ୍ତା ଦେଉଥିବା ନେଇ ରୋହିତ ପ୍ରଶ୍ନ ଉଠାଇଛନ୍ତି। ବିଶେଷ କରି, ଏକ କମ୍ବଳ ତଳେ ରହି ସ୍କାଉଟ୍ ଲଭ୍‌ଙ୍କ ଗୋଡ଼ ମାଲିସ୍ କରୁଥିବା ଘଟଣାକୁ ନେଇ ରୋହିତ ଅସନ୍ତୋଷ ପ୍ରକାଶ କରିଥିଲେ। ଏଭଳି ଦୃଶ୍ୟ ଦର୍ଶକଙ୍କ ମନରେ ଭୁଲ୍ ଧାରଣା ସୃଷ୍ଟି କରିପାରେ ବୋଲି ସେ ଉଭୟଙ୍କୁ ସତର୍କ କରାଇଥିବା କୁହାଯାଉଛି।

କାଶଭୀଙ୍କ ଏଣ୍ଟ୍ରି, ସ୍କାଉଟଙ୍କ କଡ଼ା ପ୍ରଶ୍ନ

ଏହି ବିବାଦ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ହୋଇଛି ସ୍କାଉଟଙ୍କ ପ୍ରେମିକା କାଶଭୀ ହିରାନନ୍ଦାନୀଙ୍କ ପ୍ରତିକ୍ରିୟା। ଲଭ୍ ଗିଲ୍ଙ୍କ ସହ ସ୍କାଉଟଙ୍କ ବଢ଼ୁଥିବା ଘନିଷ୍ଠତାକୁ ନେଇ କାଶଭୀ ନିଜର ଅସନ୍ତୋଷ ଜାହିର କରିଛନ୍ତି। ସ୍କାଉଟଙ୍କ ପ୍ରଶ୍ନ କରି ସେ ଜାଣିବାକୁ ଚାହିଁଥିଲେ, ଲଭଙ୍କ ପ୍ରତି ତାଙ୍କର ପ୍ରକୃତ ଭାବନା କ’ଣ ? ଯଦି ଲଭ୍ କେବଳ ଜଣେ ଭଉଣୀ ଭଳି, ତେବେ ଏତେ ଘନିଷ୍ଠତା କାହିଁକି? ଏପରିକି ସ୍କାଉଟ୍ ଲଭ୍‌ଙ୍କ ନେଇ ଏକ ସ୍ୱତନ୍ତ୍ର ଦୁର୍ବଳତା ରଖୁଛନ୍ତି କି ନାହିଁ, ସେନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ, ସ୍କାଉଟ୍ ନିଜ ପକ୍ଷ ରଖି କହିଛନ୍ତି ଯେ ସେ ଲଭଙ୍କ ଯତ୍ନ ନିଅନ୍ତି, କାରଣ ତାଙ୍କୁ ନିଜ ଭଉଣୀ ଭାବନ୍ତି। କିନ୍ତୁ ସ୍କାଉଟ୍‌ଙ୍କ ଏହି ସଫେଇରେ କାଶଭୀ ସନ୍ତୁଷ୍ଟ ହୋଇଥିଲେ କି ନାହିଁ, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।

ବ୍ରେକ୍ ଅପ୍ ହେବେ କି ସ୍କାଉଟ୍-କାଶଭୀ?

ଏହି ଘଟଣା ପରେ ସ୍କାଉଟ୍ ଏବଂ କାଶଭୀଙ୍କ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ କେତେକ ଦର୍ଶକ କାଶଭୀଙ୍କ ସମର୍ଥନରେ ମତ ରଖୁଥିବା ବେଳେ, ଅନ୍ୟମାନେ ସ୍କାଉଟଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ତେବେ ଏହି ବିବାଦ ସ୍କାଉଟ୍ ଓ କାଶଭୀଙ୍କ ସମ୍ପର୍କରେ କ’ଣ ପ୍ରଭାବ ପକାଇବ? ଦୁହିଁଙ୍କ ମଧ୍ୟରେ ଦୂରତା ବଢ଼ିବ, ନା ସମ୍ପର୍କକୁ ଆଉ ଏକ ସୁଯୋଗ ମିଳିବ? ଏହାର ଉତ୍ତର ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ।