ପୁଣେ: ଜନ୍ମ ଦେଇଥିବା ବାପା-ମା'ଙ୍କ ପ୍ରତି ସନ୍ତାନର ଏଭଳି ନୃଶଂସତା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଜମି ବିକ୍ରିକୁ କେନ୍ଦ୍ର କରି ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଦୁଇ ଭାଇ ମିଶି ନିଜର ବୃଦ୍ଧ ବାପା ଓ ଅସୁସ୍ଥ ମା'ଙ୍କୁ ରାସ୍ତା ଉପରେ ଲାଠିରେ ନିର୍ଦ୍ଦୟ ଭାବେ ଆକ୍ରମଣ କରିଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

କ’ଣ ଥିଲା ପୂରା ଘଟଣା ?

ପୁଣେ ଜିଲ୍ଲା ଇନ୍ଦାପୁର ତହସିଲ ଅନ୍ତର୍ଗତ ତରଙ୍ଗୱାଡ଼ି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ୬୫ ବର୍ଷୀୟ ବୃଦ୍ଧ କୃଷକ ତୁକାରାମ କିସାନ ରାଉତ ଏବଂ ତାଙ୍କ ଅସୁସ୍ଥ ସ୍ତ୍ରୀ ଅଞ୍ଜନା ରାଉତ ସନ୍ଧ୍ୟାରେ ରାସ୍ତାରେ ବୁଲୁଥିଲେ। ଏହି ସମୟରେ ତାଙ୍କର ଦୁଇ ପୁଅ ସଞ୍ଜୟ ରାଉତ ଏବଂ ରାଜେନ୍ଦ୍ର ରାଉତ ଏକ କାରରେ ଆସି ସେମାନଙ୍କୁ ଅଟକାଇଥିଲେ। ମା’ ଅଞ୍ଜନାଙ୍କ ନାମରେ ଥିବା ଜମିକୁ କାହିଁକି ବିକ୍ରି କରାଗଲା, ସେ ନେଇ ଦୁଇ ପୁଅ ବାପା-ମା'ଙ୍କ ସହ ଗାଳିଗୁଲଜ କରିବା ସହ ଝଗଡ଼ା ଆରମ୍ଭ କରିଦେଇଥିଲେ। ବିବାଦ ଉଗ୍ର ରୂପ ନେବାରୁ ଦୁଇ ଭାଇ କାଠ ଫାଳିଆ ଓ ଲାଠି ଆଣି ନିଜ ବୃଦ୍ଧ ବାପା-ମା'ଙ୍କୁ ପିଟିବାକୁ ପଛାଇ ନଥିଲେ।

Also Read: ଶ୍ୱଶୁର ଘରେ ରହିବାକୁ ନେଇ ବିବାଦ, ଜ୍ୱାଇଁଙ୍କୁ ରଡ୍ରେ ପିଟି ପିଟି ହତ୍ୟା ଅଭିଯୋଗ

ବୃଦ୍ଧ ଦମ୍ପତି ଗୁରୁତର, ଭିଡିଓ ଭାଇରାଲ

ପୁଅମାନଙ୍କ ନିର୍ଘାତ ମାଡ଼ରେ ତୁକାରାମଙ୍କ ମୁହଁ, ପିଠି, ଜଙ୍ଘ ଏବଂ କାନ୍ଧରେ ଗୁରୁତର ଆଘାତ ଲାଗିଛି। ସେହିପରି ଗୁରୁତର ଅସୁସ୍ଥ ଥିବା ମା' ଅଞ୍ଜନାଙ୍କ କାନ୍ଦିବା ସତ୍ତ୍ୱେ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିଲା, ଯାହାଫଳରେ ତାଙ୍କ କବଜା ଓ ଅଣ୍ଟାରେ ଆଘାତ ପହଞ୍ଚିଛି। ମାଡ଼ ମାରିବା ସହ ଜମି ଡିଲ୍ ବାତିଲ ନକଲେ ସେମାନଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦିଆଯାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଧଳା କାର ନିକଟରେ ବୃଦ୍ଧ ବାପାଙ୍କୁ ପୁଅମାନେ ଲାଠିରେ ପିଟୁଛନ୍ତି ଏବଂ ମା' ରାସ୍ତା କଡ଼ରେ କାନ୍ଦି କାନ୍ଦି ବସିଛନ୍ତି।

ପୋଲିସର କାର୍ଯ୍ୟାନୁଷ୍ଠାନ

ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଏକାଠି ହୋଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଗୁରୁତର ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରି ଇନ୍ଦାପୁର ଉପ-ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲା। ବାପା ତୁକାରାମଙ୍କ ଏଫ୍ଆଇଆର୍ ଆଧାରରେ ଇନ୍ଦାପୁର ଥାନା ପୋଲିସ ଦୁଇ ପୁଅଙ୍କ ବିରୋଧରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNS) ର ବିଭିନ୍ନ ଗୁରୁତର ଧାରାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।