ଭୁବନେଶ୍ୱର : ଦେଶରେ ଦିନକୁ ଦିନ ବଢିଚାଲିଛି ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା । ଏବେ ଆଉ କେବଳ ବୟସ୍କ ନୁହନ୍ତି, ଯୁବପିଢ଼ିଙ୍କୁ ବି ଘାରିଲାଣି ଡାଇବେଟିସର ଚିନ୍ତା। ମାତ୍ର ୨୫ ବର୍ଷ ବୟସରେ ବି ଯୁବପିଢିଙ୍କ ଠାରେ ଦେଖାଯାଉଛି ଡାଇବେଟିସ୍ ଭଳି ଗମ୍ଭୀର ସମସ୍ୟା। ଏଥିପାଇଁ ଅନିୟମିତ ଜୀବନଶୈଳୀ, ଜଙ୍କଫୁଡ୍ ଖାଦ୍ୟ, ଶାରୀରିକ ପରିଶ୍ରମର ଅଭାବ ଏବଂ ଅତ୍ୟଧିକ ଚାପ ପ୍ରମୁଖ କାରଣ ହୋଇପାରେ। ତେବେ କାହିଁକି ଯୁବାବସ୍ଥାରେ ବଢ଼ୁଛି ଡାଇବେଟିସ୍ ବିପଦ? କେମିତି ଏଥିରୁ ନିଜକୁ ସୁରକ୍ଷିତ ରଖିବେ ଆସନ୍ତୁ ଜାଣିବା ।

ଆଜିକାଲି ବହୁତ କମ ବୟସର ପିଲାଙ୍କୁ ବହୁତ ବଡ ବଡ଼ ରୋଗ ହେଉଛି । ଯାହାକି ଯୁବପିଢିଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି । ଯେଉଁ ବୟସରେ କ୍ୟାରିୟର ଗଢ଼ିବା ସହ ଜୀବନର ନୂଆ ସ୍ୱପ୍ନ ଦେଖିବା କଥା, ସେହି ବୟସରେ ଘାରିଲାଣି ଡାଇବେଟିସ୍ ଚିନ୍ତା। ପୂର୍ବରୁ ଏହି ରୋଗକୁ ବୟସ୍କଙ୍କ ସମସ୍ୟା ବୋଲି ମାନେ କରାଯାଉଥିଲା । କିନ୍ତୁ ଏବେ ଅଳ୍ପ ବୟସରେ ବି ଟାଇପ୍-୨ ଡାଇବେଟିସ୍ ଦେଖାଦେଉଛି। ଯାହାର ପ୍ରମୁଖ କାରଣ ହେଉଛି ବଦଳୁଥିବା ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟ , ଜଙ୍କ ଫୁଡ , ଅନିୟମିତ ବ୍ୟାୟାମ ଓ ନିଦ୍ରା । ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଗୋଟିଏ ଜାଗାରେ ବସି କାମ କରିବା, ଅଧିକ ଫାଷ୍ଟଫୁଡ୍ ଖାଇବା, ମିଠା ଓ ଚିନିଯୁକ୍ତ ପାନୀୟ ପିଇବା, ଶାରୀରିକ ବ୍ୟାୟାମ ନକରିବା ଏବଂ ଠିକ୍ ସମୟରେ ନଶୋଇବା ଭଳି ଅଭ୍ୟାସ ଡାଇବେଟିସ୍ ଆଶଙ୍କା ବଢ଼ାଇପାରେ। ଏହା ସହ ଅତ୍ୟଧିକ ଓଜନ, ପରିବାରରେ ଜିନଗତ ରୋଗ ଏବଂ ଇନସୁଲିନ୍ ପ୍ରତିରୋଧ ମଧ୍ୟ ଏହାର ଅନ୍ୟତମ କାରଣ ହୋଇଥାଏ ।

ଡାଇବେଟିସ୍ ବିପଦକୁ କମାଇବା ପାଇଁ ଜୀବନଶୈଳୀରେ କିଛି ପରିବର୍ତ୍ତନ ଆଣିବାକୁ ପଡିବ । ଯେପରିକି ପ୍ରତିଦିନ ୩୦ ମିନିଟ୍ ଚାଲିବା କିମ୍ବା ବ୍ୟାୟାମ କରନ୍ତୁ। ଫାଷ୍ଟଫୁଡ୍, ଅଧିକ ତେଲ ଓ ଚିନିଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। ଖାଦ୍ୟରେ ସବୁଜ ପନିପରିବା, ଫଳ, ଡାଲି ଓ ଫାଇବରଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ଶରୀରର ଓଜନ କମାନ୍ତୁ । ପ୍ରତିଦିନ ୭ରୁ ୮ ଘଣ୍ଟା ଶୁଅନ୍ତୁ। ପରିବାରରେ କାହାକୁ ଡାଇବେଟିସ୍ ଥିଲେ ଡାକ୍ତରଙ୍କ ପରାମର୍ଶରେ ନିୟମିତ ସୁଗାର ଟେଷ୍ଟ କରାନ୍ତୁ । ତେବେ ଆପଣଙ୍କୁ ଡାଇବେଟିସ ହୋଇଛି ବୋଲି କିପରି ଜାଣିବେ ? ଏଥିପାଇଁ ଶରୀରରେ କିଛିଟା ଲକ୍ଷଣ ଦେଖାଯାଇଥାଏ ଯାହାକୁ ଦେଖି ଜାଣିପାରିବେ ଆପଣ ଏହାର ଶିକାର ହୋଇଛନ୍ତି କି ନାହିଁ ? ଏହାର ଲକ୍ଷଣରେ ବାରମ୍ବାର ଶୋଷ ଲାଗିବା, ଅଧିକ ପରିମାଣରେ ପରିସ୍ରା ହେବା, ଅସ୍ୱାଭାବିକ ଭାବେ ଓଜନ କମିବା, ଅତ୍ୟଧିକ ଭୋକ ଲାଗିବା, ଥକ୍କାପଣ ଏବଂ ଆଖିକୁ ସ୍ପଷ୍ଟ ନ ଦେଖାଯିବା , ଶରୀରରେ କ୍ଷତ ଜଲଦି ନଶୁଖିବା , ଶରୀରର ମାଂସପେଶୀ ଦରଜ ଲାଗିବା ଭଳି ଅନୁଭୂତ ହୋଇଥାଏ । ତେବେ ଅନେକ ସମୟରେ କୌଣସି ସ୍ପଷ୍ଟ ଲକ୍ଷଣ ନଥାଇ ମଧ୍ୟ ରକ୍ତରେ ଶର୍କରାର ପରିମାଣ ବଢ଼ିପାରେ। ତେଣୁ ଆବଶ୍ୟକ ସମୟରେ ରକ୍ତରେ ଶର୍କରା ପରୀକ୍ଷା କରିବା ଜରୁରୀ। ଏଥିସହ ଲକ୍ଷଣକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା ଆରମ୍ଭ କରିବା ଜରୁରୀ |