ନୂଆଦିଲ୍ଲୀ ୧୭।୧୧; ଆପଣ ଚା’ ସାହିତ ଖାଉଛନ୍ତି କି ବିସ୍କୁଟ୍ ? ସାବଧାନ ହେବର ବେଳ ଆସିଯାଇଛି, ହୋଇପାରେ ବଡ ରୋଗ । ସତର୍କ ହୁଅନ୍ତୁ ନହେଲେ ବଡ଼ ଅସୁବିଧାରେ ପଡ଼ିବେ । ଚା’ ସହ ଅନେକଙ୍କ ସକାଳ ଆରମ୍ଭ ହୁଏ । ଚା’ ନ ପିଇଲେ ସକାଳଟା ଯେମିତି ମାନ୍ଦା ମାନ୍ଦା ଲାଗେ । କିନ୍ତୁ ବେଳେବେଳେ ଚା’ ପ୍ରତି ଏହି ଭଲପାଇବା ଆପଣଙ୍କ ଶରୀରରେ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ଚା’ରେ ଥିବା କଫିନ୍ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଡାକ୍ତରମାନେ ସତର୍କ କରାଇଛନ୍ତି । କିନ୍ତୁ ଚା’ ପ୍ରେମରେ ପଡ଼ିଥିବା ଲୋକ ଦୈନିକ ୧୦ ରୁ ୧୫ କପ୍‌ ଚା’ ନ ପିଇଲେ ତାଙ୍କୁ ସବୁ କିଛି ଅଧୁରା ଲାଗେ ।  ଚା’ ପିଇବାର ଅଭ୍ୟାସ ମଣିଷର ସ୍ବାସ୍ଥ୍ୟ ପାଇଁ କେତେ କ୍ଷତିକାରଣ ଏବଂ ଏନେଇ କ’ଣ କୁହନ୍ତି ଏକ୍ସପର୍ଟ ? ଆସନ୍ତୁ ଜାଣିବା ।

ରିପୋର୍ଟ ଅନୁସାରେ, ଚା’ଏବଂ କଫି ଉଭୟରେ କଫିନର ମାତ୍ରା ଥାଏ । ଯାହା ସେଣ୍ଟ୍ରାଲ୍ ନର୍ଭସ ସିଷ୍ଟମକୁ ଷ୍ଟିମୁଲେଟ୍ କରି ଅଭ୍ୟାସରେ ପରିଣତ କରାଇଥାଏ । ୧୫୦ ମିଲି କପ୍ ଚା’ରେ ୩୦ ରୁ ୬୫ ମିଲିଗ୍ରାମ୍ କେଫିନ୍ ଥାଏ ତେଣୁ ବିଶେଷଜ୍ଞ ଦୈନିକ ୨ କପରୁ ଅଧିକ ଚା’ ନ ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । ଦିନକୁ କପେ ଚା’ ପିଇବା ସ୍ବାସ୍ଥ୍ୟ ପ୍ରତି ଅହିତକର ନୁହେଁ କିନ୍ତୁ ଚା’ସହ ଯଦି ସ୍ନାକ୍ସ ଖାଉଛନ୍ତି ଏହା ରୋଗ ଜନ୍ମାଇବାର ଏକ ବଡ଼ କାରଣ ହୋଇପାରେ । ଅନେକ ଲୋକ ଚା’ ସହ ବିସ୍କୁଟ୍ , ଟୋଷ୍ଟ୍ ଏବଂ ପକୋଡ଼ା ଭଳି ସ୍ନାକ୍ସ ଖାଇଥା’ନ୍ତି । ଏହି ସ୍ନାକ୍ସରେ ଥିବା କ୍ୟାଲୋରୀ କଫିନ୍ ସହ ମିଶି ଶରୀରକୁ ଆହୁରି ଖରାପ ହେବା ଦିଗରେ ନେଇଯା’ନ୍ତି । ନ୍ୟୁଟ୍ରିସନିଷ୍ଟ୍ କୁହନ୍ତି ଯେ ଚା’ ସହ ୪ ରୁ ୫ ଟି ବିସ୍କୁଟ୍ ଖାଇବା ଯାହା ସାରାଦିନର କ୍ୟାଲୋରୀ ବଢ଼ାଇବା ସହ ସମାନ । ଏହି ସ୍ନାକ୍ସରେ ୩୦୦ ରୁ ୪୦୦ କ୍ୟାଲୋରୀ ଥାଏ ଯାହା ବ୍ଲଡ୍ ସୁଗାର ବଢ଼ାଇବାର କାମ କରେ । ଡାଏବେଟିସ୍ , ଓଜନ ବୃଦ୍ଧି ଭଳି ସମସ୍ୟାକୁ ଡ଼ାକିଆଣେ ଚା’ ସହ ସ୍ନାକ୍ସ ।

କେଉଁ ସମୟରେ ଚା’ ପିଇବା ହାନିକାରକ ସେ ବିଷୟରେ କହିଛନ୍ତି ଆୟୁର୍ବେଦିକ ବିଶେଷଜ୍ଞ । ସକାଳୁ ସକାଳୁ ଖାଲିପେଟରେ ଚା’ ପିଇବା ଶରୀର ପ୍ରତି ଆଦୌ ଠିକ୍ ନୁହେଁ । ଖାଲିପେଟରେ କଫିନ୍ ର ସେବନ ଆପଣଙ୍କ ଶରୀରର କୋର୍ଟିସୋଲରେ ବାଧା ଉପୁଜାଏ ଏବଂ ଦିନ ଆରମ୍ଭରୁ ହିଁ ସ୍ବାସ୍ଥ୍ୟ ବିଗିଡ଼ିଲା ଭଳି ଲାଗେ । ଭୋଜନ କିମ୍ବା ଜଳଖିଆ ଖାଇବା ସମୟରେ ଚା’ପିଇବା ଆପଣଙ୍କ ପାଚନତନ୍ତ୍ରକୁ ଦୁର୍ବଳ କରିଥାଏ । ଚା’ ଏସିଡିକ୍ ହୋଇଥାଏ ଏବଂ ଏଥିରେ ଟେନିନ୍ ରହିଥାଏ ଯାହା ଭୋଜନ ସରିବାର ସଙ୍ଗେ ସଙ୍ଗେ ସେବନ କଲେ ଆୟରନ୍ ଅବଶୋଷଣରେ ବାଧା ଉପୁଜାଇଥାଏ । ସେଥିପାଇଁ ଖାଦ୍ୟ ଖାଇବାର ଘଣ୍ଟାଏ ପୂର୍ବରୁ କିମ୍ବା ପରେ ଚା’ ପିଅନ୍ତୁ ନାହିଁ । ତେବେ ଆପଣ ଯଦି ଚା’ଲଭର୍, ତେବେ ବିଶେଷଜ୍ଞଙ୍କ ମତକୁ ଧ୍ୟାନରେ ରଖନ୍ତୁ ।