ନୂଆଦିଲ୍ଲୀ: କ୍ଷୀର ଓ ତତସମ୍ପର୍କିତ ସାମଗ୍ରୀରେ ବ୍ୟବହାର କରିବା ପାଇଁ ଏଫ୍‌ଏସଏସଆଇ ଏକ ନୂଆ ଲୋଗୋ ଜାରି କରିଛି। ଲୋଗୋଟି ଦେଖିବା ପାଇଁ ଏକ ଚାରିକଣିଆ ବ୍ଲୁ ବ୍ୟାକଗ୍ରାଉଣ୍ଡ ଭିତରେ ଏକ ବୁନ୍ଦା କ୍ଷୀର ଝରିପଡ଼ିବା ସ୍ଥିତିରେ ରହିବ। ଯେଉଁ କ୍ଷୀର କିମ୍ବା ଡାଏରୀ ପ୍ରଡକ୍ଟର ପ୍ୟାକେଟ୍‌ କିମ୍ବା ଡବା ଉପରେ ଏହି ଲୋଗୋ ଲାଗିଥିବ, ଏହା ଅସଲି ବୋଲି ଗ୍ରାହକ ଜାଣିବେ। ଗ୍ରାହକ ଯେମିତି ଅସଲି ଉତ୍ପାଦକୁ ସହଜରେ ଚିହ୍ନଟ କରିପାରିବେ ଏଥିପାଇଁ ଏଫ୍‌ଏସଏସଆ ଏହି ନିଷ୍ପତ୍ତି ନେଇଛି।

ଖାଦ୍ୟ ସୁରକ୍ଷା ଏବଂ ମାନକ (ଲେବେଲିଂ ଏବଂ ପ୍ରଦର୍ଶନ) ଦ୍ୱିତୀୟ ସଂଶୋଧନ ନିୟମାବଳୀ, ୨୦୨୬ ଅନୁଯାୟୀ, କ୍ଷୀର କିମ୍ବା ସମସ୍ତ କ୍ଷୀରଜାତ ଦ୍ରବ୍ୟ ଉପରେ ଏହି ଲୋଗୋ ରହିବା ବାଧ୍ୟତାମୂଳକ ହେବ। ୨୦୨୮ ଜୁଲାଇ ୧ ତାରିଖରୁ ଏହି ନୂଆ ସଂଶୋଧନ ଲାଗୁ ହେବ ବୋଲି ଏଫ୍‌ଏସଏସଆଇ କହିଛି।

ଅସଲି ଓ ନକଲି କ୍ଷୀର ଚିହ୍ନଟ କରିବେ କେମିତି ?

ଏଫ୍‌ଏସଏସଆଇ ସେଫ୍ ଫୁଡର ଇନଷ୍ଟା ଆକାଉଣ୍ଟରେ ଏକ ଭିଡିଓ ଜାରି କରି ଅସଲି କ୍ଷୀର ଓ ନକଲି କ୍ଷୀର ସମ୍ପର୍କରେ ସୂଚନା ଦିଆଯାଇଛି। ଗ୍ରାହକମାନେ ବଜାରରୁ ଆଣୁଥିବା କ୍ଷୀର ଅସଲି କିମ୍ବା ନକଲି, କେମିତି ଜାଣିବେ ସେ ନେଇ ସବୁ ତରିକା ଜଣାଇଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ। କେବଳ ଏଫ୍‌ଏସଏସଆଇ ଲାଇସେନ୍ସ ପ୍ରାପ୍ତ ବିକ୍ରେତାଙ୍କ ଠାରୁ କ୍ଷୀର ଓ କ୍ଷୀରଜାତ ପ୍ରଡକ୍ଟ କିଣିବା ପାଇଁ ଏଫ୍‌ଏସଏସଆଇ ଭିଡିଓ ମାଧ୍ୟମରେ ଅନୁରୋଧ କରିଛି। ତେବେ ବାହାରୁ ଦୁଗ୍ଧ କିଣୁଥିଲେ ଏହାର ଶୁଦ୍ଧତା ଜାଣିବା ଟିପ୍ସ ସହ ଏହାକୁ କେମିତି ଷ୍ଟୋର କରି ରଖାଯିବା ଉଚିତ ସେଇ ବାଟ ବି ବତାଇଚି ଏଫ୍‌ଏସଏସଆଇ। ଆସନ୍ତୁ ସେଗୁଡ଼ିକୁ ପଏଣ୍ଟ ଅନୁସାରେ ଜାଣିବା।

Also Read- କ୍ଷୀର, ପନିର ଓ ଦହି ଭଳି ଦୁଗ୍ଧ ଜାତୀୟ ପ୍ୟାକେଟ୍‌ରେ ଲାଗିବ ନୂଆ ଲୋଗୋ: ଅସଲି ବୋଲି ଜାଣିବେ ଲୋକେ

୧. ଦୁଇତିନି ବୁନ୍ଦା ଆୟୋଡିନ ପକାଇଲେ ଯଦି କ୍ଷୀର ନୀଳ ପଡ଼ିଯାଉଛି ତେବେ ଏଥିରେ ଷ୍ଟାର୍ଚର ଅପମିଶ୍ରଣ ହୋଇଛି ବୋଲି ଜଣାପଡ଼େ।
୨. କଞ୍ଚା କ୍ଷୀରକୁ ୭୨ ଡିଗ୍ରୀ ସେଲସିୟସରେ ୧୫ ସେକେଣ୍ଡ ପାଉଁ ଫୁଟାନ୍ତୁ ଓ ପରେ ତୁରନ୍ତ ଏହାକୁ ଥଣ୍ଡା କରି ରଖନ୍ତୁ।
୩. କ୍ଷୀର ଓ କ୍ଷୀରଜାତୀୟ ସମସ୍ତ ସାମଗ୍ରୀ ଥଣ୍ଡା ସ୍ଥାନରେ ରଖାଯିବା ଉଚିତ।
୪. କ୍ଷୀର ଓ କ୍ଷୀରଜାତୀୟ ସାମଗ୍ରୀକୁ ୪ ଡିଗ୍ରୀ ସେଣ୍ଟିଗ୍ରେଡ କିମ୍ବା ତା’ ଠାରୁ କମ ତାପମାତ୍ରାରେ ଖାଦ୍ୟ ଗ୍ରେଡ୍‌ ପାତ୍ରରେ ରଖିବା ଉଚିତ।
୫. ଭଣ୍ଡାରରେ ଷ୍ଟୋର କରି ରଖିଲେ ନିୟମିତ ଭାବେ ଏହାର ତାପମାତ୍ରା ଉପରେ ନଜର ରଖିବା ଉଚିତ। ଏବଂ ପ୍ରଡକ୍ଟ ଉପରେ ନଜର ରଖିବା ନିହାତି ଜରୁରୀ।