ସମ୍ବଲପୁର ୫।୧୧: ଗଞ୍ଜେଇ ଚୋରା ଚାଲାଣ ଉପରେ ଅବକାରୀ ବିଭାଗର ଚଢ଼ାଉ । ୨ଟି କାର୍ ସହ ୧୨୦ କେଜି ଗଞ୍ଜେଇ ଜବତ, ୪ ଗିରଫ । ସମ୍ବଲପୁରରେ ଗଞ୍ଜେଇ ଚୋରା ଚାଲାଣ ଉପରେ ଗୁଇନ୍ଦା ଅବକାରୀ ବିଭାଗର ବଡ଼ ଚଢ଼ାଉ। 

ସମ୍ବଲପୁରରେ ଗଞ୍ଜେଇ ଚୋରା ଚାଲାଣ ଉପରେ ଗୁଇନ୍ଦା ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ l ୨ଟି କାର ସହ ପ୍ରାୟ ୧୨୦ କେଜି ବେଆଇନ ଗଞ୍ଜେଇ ଜବତ କରିଛି ବିଭାଗ l ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ଗିରଫ ଅଭିଯୁକ୍ତ ମାନେ ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରୁ କାରେ ଗଞ୍ଜେଇ ନେଇ ବାରାଣସୀ ସମେତ ବିହାର ଓ ଝାଡ଼ଖଣ୍ଡକୁ ଚୋରା ଚାଲାଣ କରୁଥିଲେ l ଏନେଇ ଖବର ପାଇ ଗୁଇନ୍ଦା ଅବକାରୀ ବିଭାଗ ପକ୍ଷରୁ ସମ୍ବଲପୁରର ଅଇଁଠାପାଲି ଓ ସିଂହପାଲି ଛକରେ ଚଢ଼ାଉ କରାଯାଇଥିଲା l ଏହି ସମୟରେ ଦୁଇଟି କାରକୁ ଅଟକାଇ ଯାଞ୍ଚ କରିବାରୁ ଗୋଟିଏ କାରରୁ ୫୧ କେଜି ଏବଂ ଅନ୍ୟ କାରରୁ୪୮ କେଜି ଗଞ୍ଜେଇ ଜବତ କରାଯାଇଥିଲା l ଏଥିସହ ୩ ଜଣ ଅଭିଯୁକ୍ତଙ୍କୁ ଧରିଥିଲା ଅବକାରୀ ବିଭାଗ l

​​​​​​​

Also Read:- ପାର୍ବଣ ପୂର୍ବରୁ ବାଣ ମାଫିଆଙ୍କ ଉପରେ ଆକ୍ସନ, ବିପୁଳ ବାଣ ଜବତ ସହ ଜଣେ ଗିରଫ

ସେହିପରି ଅନ୍ୟ ଏକ ଘଟଣାରେ ଅଇଁଠାପାଲି ଅଞ୍ଚଳରେ ବସ୍ ରେ ଗଞ୍ଜେଇ ଚାଲାଣ କରିବାକୁ ଉଦ୍ୟମ କରୁଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗୁଇନ୍ଦା ଅବକାରୀ ବିଭାଗ ଧରିଥିଲା l ତାଙ୍କ ନିକଟରୁ ୨୧ କେଜି ଗଞ୍ଜେଇ ଜବତ କରାଯାଇଥିଲା l ଜବତ ଗଞ୍ଜେଇ ଓ ଦୁଇଟି କାରକୁ ଅବକାରୀ ବିଭାଗ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି l