ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଚାଲିଛି। ଏହି ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆୟୋଜିତ ଭବ୍ୟ ରାତ୍ରିଭୋଜନ (Gala Dinner) କାର୍ଯ୍ୟକ୍ରମରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ ଦେଇ ନାହାନ୍ତି। ତାଙ୍କର ଏହି ଅନୁପସ୍ଥିତି କୂଟନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଶନିବାର ସନ୍ଧ୍ୟାରେ ଭାରତ ମଣ୍ଡପମଠାରେ ବିଶ୍ୱର ବିଭିନ୍ନ ଦେଶର ନେତାମାନଙ୍କ ପାଇଁ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାତ୍ରିଭୋଜନର ଆୟୋଜନ କରାଯାଇଥିଲା। ମାତ୍ର ବ୍ରିକ୍ସର ମୁଖ୍ୟ ବୈଠକ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେବା ପରେ ମଧ୍ୟ ସି ଜିନପିଙ୍ଗ ଏହି ଗାଲା ଡିନରରେ ଯୋଗ ଦେଇନଥିଲେ।

ଚୀନ୍ କିମ୍ବା ଭାରତ ସରକାରଙ୍କ ପକ୍ଷରୁ ଜିନପିଙ୍ଗଙ୍କ ଅନୁପସ୍ଥିତି ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। ତେବେ ଦୀର୍ଘ ଯାତ୍ରା ଓ ଦିନସାରା ବୈଠକର ବ୍ୟସ୍ତତା ଯୋଗୁଁ ସେ ବିଶ୍ରାମ ନେବା ପାଇଁ ହୋଟେଲକୁ ଫେରିଯାଇଥିବା କୂଟନୈତିକ ସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ସି ଜିନପିଙ୍ଗ ଶନିବାର ଅପରାହ୍ନରେ ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିବା ପରେ ସିଧାସଳଖ ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନାରେ ଯୋଗ ଦେଇଥିଲେ। ଜିନପିଙ୍ଗଙ୍କ ବ୍ୟତୀତ ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲିଦ୍ ବିନ୍ ମହମ୍ମଦ ମଧ୍ୟ ସମ୍ମିଳନୀ ପରେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଏହି ରାତ୍ରିଭୋଜନରେ ଉପସ୍ଥିତ ନଥିଲେ।

Also Read: ପିଏମ ମୋଦୀଙ୍କ ପରେ ରାହୁଲ ଗାନ୍ଧୀଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ, କ'ଣ ହେଲା ଆଲୋଚନା ?

ଏହି ସ୍ୱତନ୍ତ୍ର ରାତ୍ରିଭୋଜନରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ଅନ୍ୟ ସମସ୍ତ ବ୍ରିକ୍ସ ଦେଶର ନେତା, ଭାରତର କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ନିର୍ମଳା ସୀତାରାମଣ, ଅଶ୍ୱିନୀ ବୈଷ୍ଣବ ଏବଂ ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। ଗୋଟିଏ ପଟେ ଦୀର୍ଘ ୭ ବର୍ଷ ପରେ ଜିନପିଙ୍ଗଙ୍କ ଭାରତ ଗସ୍ତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସୀମା ବିବାଦ ନେଇ ସଫଳ ଆଲୋଚନାକୁ ଏକ ସକରାତ୍ମକ ପଦକ୍ଷେପ କୁହାଯାଉଥିବା ବେଳେ, ରାତ୍ରିଭୋଜନରେ ତାଙ୍କର ଏହି ଅନୁପସ୍ଥିତି ଗଣମାଧ୍ୟମ ଓ କୂଟନୀତିଜ୍ଞଙ୍କ ଦୃଷ୍ଟି ଆକର୍ଷଣ କରିଛି।