ନୂଆଦିଲ୍ଲୀ : ଏବେ ଶିକ୍ଷିତ ଓ ଉନ୍ନତ ସମାଜ। ଆମେ ପାଠ ପଢ଼ୁଛେ, ଉଚ୍ଚ ପଦବୀରେ ଚାକିରି ବି କରୁଛେ। କିନ୍ତୁ ମାନସିକତାରେ ଆସୁନି ପରିବର୍ତ୍ତନ। ବାପା ମାଆଙ୍କୁ ପ୍ରତି ଥିବା କର୍ତ୍ତବ୍ୟରେ ଆମେ ଫେଲ୍ ମାରି ଯାଉଛେ। ସେଥିପାଇଁ ବଢ଼ୁଛି ବୃଦ୍ଧାଶ୍ରମ ସଂଖ୍ୟା। ଦୁଃଖର କଥା ବାର୍ଦ୍ଧକ୍ୟ ଓ ଶେଷ ଅବସ୍ଥାରେ ପିଲାମନେ ମୂଖାଗ୍ନୀ ଦେଉ ନଥିବାର ଅନେକ ନଜିର ରହିଛି । ଏହାରି ଭିତରେଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା । ଜଣେ ୮୦ ବର୍ଷୀୟ ବୃଦ୍ଧ ନିଜେ ଜୀବିତ ଥିବା ଅବସ୍ଥାରେ ହିଁ କରିଛନ୍ତି ନିଜର ଶୁଦ୍ଧିକ୍ରିୟା। ଏକଥା ଶୁଣି ଆପଣ ଭାବୁଥିବେ , ପିଲାସହ ବୋଧେ ବାପାଙ୍କର ସଂପର୍କ ଭଲ ନାହିଁ। କିନ୍ତୁ ଏଠି ସେମିତି କିଛି ଘଟିନି। ତାଙ୍କର କୌଣସି ପୁଅ ନଥିବାରୁ, ତାଙ୍କ ମୃତ୍ୟୁ ପରେ ଏକମାତ୍ର ଝିଅ ଉପରେ ଯେପରି କିଛି ବୋଝ ନ ପଡ଼େ, ସେହି ଉଦ୍ଦେଶ୍ୟରେ ସେ ନେଇଛନ୍ତି ଏଭଳି ପଦକ୍ଷେପ। ଯେଉଁ ଘଟଣା ସମସ୍ତଙ୍କୁ ଚକିତ କରିବା ସହ କରିଛି ଭାବପ୍ରବଣ।

ବାପା-ମଆ ନିଜ ପିଲାଙ୍କ ଖୁସି ପାଇଁ ଜୀବନର ସବୁ କିଛି ତ୍ୟାଗ କରିଦିଅନ୍ତି । ପିଲାମାନଙ୍କୁ ଭଲରେ ରଖିବାକୁ ସବୁବେଳେ ଚେଷ୍ଟା କରୁଥାନ୍ତି। ଏଠି ଜଣେ ବାପା ନିଜ ଝିଅର ଭବିଷ୍ୟତ ଓ ତା'ର ଦାୟିତ୍ୱକୁ କମ୍ କରିବାକୁ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ନିଜ ମୃତ୍ୟୁ ପରେ ଝିଅ ଯେପରି କୌଣସି ସାମାଜିକ ଓ ଆର୍ଥିକ ବୋଝରେ ନପଡ଼େ, ସେଥିପାଇଁ ଜୀବିତ ଥାଉ ଥାଉ ସେ ନିଜର ତେରକର୍ମ ସଂପନ୍ନ କରିଛନ୍ତି। ଏମିତି କିଛି କରି ଚର୍ଚ୍ଚାରେ ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ବଡ଼ୌତ ଅଞ୍ଚଳ ଅନ୍ତର୍ଗତ ଜୋହରୀ ଗାଁର ବଲଜୋର ସିଂହ । ନଭେମ୍ବର ୧୫ରେ ସେ ନିଜର ତେରକର୍ମ ଭୋଜି ଆୟୋଜନ କରିଥିଲେ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ କାରଣ ସାଧାରଣତଃ ଜଣେ ବ୍ୟକ୍ତିଙ୍କ ମୃତ୍ୟୁର ୧୩ ଦିନରେ ପରିବାର ପକ୍ଷରୁ ତେରକର୍ମ କରାଯାଇଥାଏ। ଏହି ଦିନ ପରିବାର, ବନ୍ଧୁବାନ୍ଧବ ଓ ସମ୍ପର୍କୀୟ ଏକାଠି ହୋଇ ଧାର୍ମିକ ରୀତିନୀତି ପାଳନ କରିବା ସହ ଭୋଜିର ଆୟୋଜନ କରିଥାନ୍ତି। କିନ୍ତୁ ବଲଜୋର ସିଂହଙ୍କ କ୍ଷେତ୍ରରେ ଘଟିଥିଲା ସମ୍ପୂର୍ଣ୍ଣ ଓଲଟା। ସେ ନିଜେ ଜୀବିତ ଥାଇ ନିଜର ତେରକର୍ମ ଆୟୋଜନ କରିଥିଲେ। ସମ୍ପର୍କୀୟ ଓ ଗାଁ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ।

ବଲଜୋର ସିଂହଙ୍କର ଏହି ନିଷ୍ପତ୍ତି ପଛରେ ରହିଛି ଝିଅ ପ୍ରତି ତାଙ୍କର ଗଭୀର ଭଲପାଇବା। ତାଙ୍କର ଏକମାତ୍ର ସନ୍ତାନ ପିଙ୍କି। ତାଙ୍କର ପୁଅ ନାହିଁ। ସେ ଭାବୁଥିଲେ ଯେ, ଭବିଷ୍ୟତରେ ତାଙ୍କର ମୃତ୍ୟୁ ପରେ ତେରକର୍ମ ଓ ଅନ୍ୟାନ୍ୟ ସାମାଜିକ ପରମ୍ପରା ପାଳନ କରିବାର ଦାୟିତ୍ୱ ଝିଅ ଉପରେ ପଡ଼ିବ। ଏଥିପାଇଁ ତାଙ୍କୁ ଆର୍ଥିକ ଖର୍ଚ୍ଚ ସହ ସାମାଜିକ ଚାପରୁ ମୁକ୍ତି ଦେବାକୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ବଲଜୋର ସିଂହଙ୍କ ତେରକର୍ମ ବେଶ ଜାକଜମକରେ ହୋଇଥିଲା। ଭୋଜିରେ ପୁରୀ, ତରକାରୀ ଓ ବିଭିନ୍ନ ପ୍ରକାର ମିଠା ପରଷା ଯାଇଥିଲା। ଏହାସହ ପାରମ୍ପରିକ ରୀତିନୀତି ଅନୁଯାୟୀ ହୋମଯଜ୍ଞ ମଧ୍ୟ ହୋଇଥିଲା। ଏହି ଭୋଜିରେ କେବଳ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ଛାଡ଼ି ପ୍ରାୟ ୯୦୦ ଜଣ ଅତିଥି ସାମିଲ ହୋଇଥିଲେ। ଉତ୍ତରପ୍ରଦେଶର ମନ୍ତ୍ରୀ କେ.ପି. ସିଂହ ମଧ୍ୟ ଏହି କାର୍ଯ୍ୟକ୍ରମରେ ପହଞ୍ଚି ବଲଜୋର ସିଂହଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ।

ଏହି ଆୟୋଜନର ଆଉ ଏକ ବିଶେଷ କାର୍ଯ୍ୟକ୍ରମ ଥିଲା ପଗଡ଼ି ସମାରୋହ। ଉତ୍ତର ଭାରତର କେତେକ ସମ୍ପ୍ରଦାୟରେ ପରିବାରର ମୁଖ୍ୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପଗଡ଼ି ବାନ୍ଧିବାର ଏକ ପରମ୍ପରା ରହିଛି। ଏହା ମାଧ୍ୟମରେ ପରିବାରର ଦାୟିତ୍ୱ ପରବର୍ତ୍ତୀ ପିଢ଼ିକୁ ହସ୍ତାନ୍ତର କରାଯାଇଥାଏ। ବଲଜୋର ସିଂହ ନିଜ ମୃତ୍ୟୁ ପରେ ଏହି ସମାରୋହ ହେବାକୁ ଅପେକ୍ଷା ନକରି ସେ ନିଜ ନାତି ମୁକୁଲଙ୍କ ମୁଣ୍ଡରେ ନିଜ ହାତରେ ପଗଡ଼ି ବାନ୍ଧିଥିଲେ। ମୁକୁଲ୍ ବଲଜୋରଙ୍କ ଝିଅ ପିଙ୍କି ଓ ଜ୍ୱାଇଁ ସୁଖପାଲଙ୍କ ପୁଅ। ବଲଜୋର ସିଂହଙ୍କ ପାଖରେ ଥିବା ଚାଷ ଜମି ବି ନାତି ମୁକୁଲଙ୍କ ନାଁରେ ଦେଇସାରିଛନ୍ତି । ଅନ୍ୟପଟେ, ବାପାଙ୍କ ଏଭଳି ନିଆରା ନିଷ୍ପତ୍ତିକୁ ଝିଅ ପିଙ୍କି ବି ସ୍ୱାଗତ କରିଛନ୍ତି। କିନ୍ତୁ ତାଙ୍କର ଆଶା, ବାପା ସୁସ୍ଥ ରୁହନ୍ତୁ ଏବଂ ପରିବାରର ବଡ଼ ଭାବେ ସମସ୍ତଙ୍କୁ ଆଗକୁ ମଧ୍ୟ ମାର୍ଗଦର୍ଶନ କରୁଥାନ୍ତୁ ।

Also Read- ଚାକିରିରୁ ନିଲମ୍ବିତ ହେଲେ ବିଦ୍ୟାଭାରତୀ ପଣ୍ଡା, ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ

ସାଧାରଣତଃ ବାପା-ମାଆ ନିଜ ପିଲାଙ୍କ ପାଇଁ ସମ୍ପତ୍ତି, ଟଙ୍କା ଓ ଅନ୍ୟାନ୍ୟ ସୁବିଧା ଛାଡ଼ି ଯାଆନ୍ତି। କିନ୍ତୁ ବଲଜୋର ସିଂହଙ୍କ ଚିନ୍ତାଧାରା ଟିକିଏ ଭିନ୍ନ। ସେ ନିଜ ଝିଅ ପାଇଁ କେବଳ ସମ୍ପତ୍ତି ନୁହେଁ, ବରଂ ଭବିଷ୍ୟତର ସମସ୍ତ ବୋଝକୁ ମଧ୍ୟ ହାଲୁକା କରିଛନ୍ତି। ଏହି ଘଟଣା ପୁଣି ଥରେ ପ୍ରମାଣିତ କରିଛି ବାପା ତ ବାପା... ତାଙ୍କ ପରି କିଏ ହେବ...