ଭୁବନେଶ୍ୱର : ଭାରତୀୟ ରୋଷେଇ ଘରେ ତେଜପତ୍ରର ବ୍ୟବହାର ବେଶ୍ ସାଧାରଣ ଅଟେ । ଡାଲି, ତରକାରୀ, ବିରିୟାନିଠାରୁ ଆରମ୍ଭ କରି ବିଭିନ୍ନ ମସଲାଯୁକ୍ତ ଖାଦ୍ୟରେ ଏହା ସୁଗନ୍ଧ ଓ ସ୍ୱାଦ ବଢ଼ାଇଥାଏ। କିନ୍ତୁ ତେଜପତ୍ର କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ଏଥିରେ ଥିବା କିଛି ଉପାଦାନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ ହୋଇପାରେ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଉଦ୍ଭିଦଜାତ ଯୌଗିକ ଶରୀରକୁ ଅକ୍ସିଡେଟିଭ୍ ଚାପରୁ ସୁରକ୍ଷା ଦେବାରେ ସହାୟକ ହୋଇପାରେ। ତେବେ ତେଜପତ୍ର ସବୁ ରୋଗ ଭଲ କରିଦିଏ ବୋଲି କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ଏହା ଏକ ଏମିତି ଜଡିବୁଟି ଯେଉଁଥିରେ ଭିଟାମିନ୍ A ଏବଂ C ରହିବା ସହିତ ଫଲିକ୍ ଏସିଡ୍ ଭଳି ଆବଶ୍ୟକ ତତ୍ତ୍ୱ ମଧ୍ୟ ରହିଛି । ଏଥିରେ ବହୁତ ମାତ୍ରାରେ ମିନେରାଲ୍ସ ରହିଥାଏ । ଯାହା ଅନେକ ପ୍ରକାରର ସ୍ୱାସ୍ଥ୍ୟକୁ ଲାଭ ପହଞ୍ଚାଇଥାଏ । ଏହା ବ୍ୟତୀତ ଏଥିରେ କ୍ୟାଲସିୟମ, ପୋଟାସିୟମ, ତମ୍ବା, ଜିଙ୍କ ଏବଂ ମ୍ୟାଗ୍ନେସିୟମ ଭଳି ପୁଷ୍ଟିକର ତତ୍ତ୍ୱ ଭରପୁର ମାତ୍ରାରେ ରହିଛି । ତେବେ ଆସନ୍ତୁ ଜାଣିବା ଏହାର କିଛିଟା ସ୍ୱାସ୍ଥ୍ୟ ଉପକାରିତା ବିଷୟରେ।

ତେଜପତ୍ରରେ ଏକ ଖାସ୍ ଏନଜାଇମ୍ ଥାଏ ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ଏହାକୁ ବ୍ୟବହାର କରିବା ଦ୍ବାରା ପାଚନ ସ୍ବାସ୍ଥ୍ୟକୁ ଉନ୍ନତ କରିଥାଏ । ଯାହା ପାଚନ ସମସ୍ୟାକୁ ଦୂର କରିଦେଇଥାଏ । ସାଧାରଣତଃ ଅନେକ ସମୟରେ ଥଣ୍ଡା, ଜ୍ବର ଏବଂ ବ୍ରୋଙ୍କାଇଟିସ୍ ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଫଳରେ ନିଶ୍ବାସ ନେବାରେ ବାଧା ସୃଷ୍ଟି କରିଥାଏ । ଯେଉଁଥିପାଇଁ ତେଜପତ୍ର ବେଷ୍ଟ ହୋଇଥାଏ । ଅନେକ ଶ୍ବାସ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଗଣ୍ଠି ଜନିତ ସମସ୍ୟା ପାଇଁ ପ୍ରଭାବଶାଳୀ ହୋଇଥାଏ ତେଜପତ୍ର । ବର୍ତ୍ତମାନ ଡାଇବେଟିସ ଘରେ ଘରେ ଦେଖିବାକୁ ମିଳୁଛି । ଡାଇବେଟିସ ରୋଗୀଙ୍କ ପାଇଁ ତେଜପତ୍ର ରାମବାଣ ଭାବେ କାମ କରେ ।

କେବଳ ଏତିକି ନୁହେଁ ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ୍, ମାଙ୍ଗାନିଜ୍, ସେଲେନିୟମ ଓ ଆଇରନ୍ ପ୍ରଚୁର ପରିମାଣରେ ରହିଛି। ଏହା ଖାଦ୍ୟର ସ୍ବାଦ ବୃଦ୍ଧି କରିବା ସହ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ବୋଲି କୁହାଯାଏ । ଏହା କିଡ୍ନୀ ସମସ୍ୟାକୁ ମଧ୍ୟ ଠିକ୍ କରିଥାଏ। ଚା’ରେ ତେଜପତ୍ର ପକାଇ ପିଇଲେ କୋଷ୍ଠ କାଠିନ୍ୟ, ଏସିଡିଟି, ପେଟ ସମସ୍ୟା ଦୂର ହେବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ। ତେବେ ତେଜପତ୍ରର ଯେତିକି ଉପକାରିତା ରହିଛି ସେତିକି ଅପକାରିତା ମଧ୍ୟ ରହିଛି । ତେଣୁ ଏହାର ଉପକାରିତା ଥିଲେ ମଧ୍ୟ ଏହାକୁ ଅଧିକ ପରିମାଣରେ ସେବନ କରିବା ଉଚିତ୍ ନୁହେଁ। ଯଦି ତେଜପତ୍ର ଅଧିକ ପରିମାଣରେ ଖିଆଯାଏ, ତେବେ ଲୋକଙ୍କ କ୍ଷେତ୍ରରେ ଏହା ବାନ୍ତି, ଡାଇରିଆ କିମ୍ବା ଆଲର୍ଜି ସୃଷ୍ଟି କରିପାରେ । ଆଲର୍ଜି ଥିବା ଲୋକମାନେ ଏହାଠୁ ଦୁରେଇ ରହିବା ଜରୁରୀ। ଏହା ଚର୍ମ ପ୍ରତିକ୍ରିୟା କିମ୍ବା ଶ୍ୱାସକ୍ରିୟା ଜନିତ ସମସ୍ୟା ସୃଷ୍ଟି କରିପାରେ । ଯଦି ଶରୀରରେ କୌଣସି ଅସ୍ୱାଭାବିକ ଲକ୍ଷଣ ଦେଖାଦିଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।