ଭୁବନେଶ୍ୱର : ବୟସ ବଢ଼ିବା ସହ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। କିନ୍ତୁ ଜାପାନରେ ଏମିତି ଅନେକ ବୟସ୍କ ଲୋକ ଅଛନ୍ତି, ଯେଉଁମାନେ ୯୦ବର୍ଷ ବୟସରେ ମଧ୍ୟ ଫିଟ୍ ଓ ସକ୍ରିୟ ରହିଥାନ୍ତି। ତେବେ ଏହା ପଛରେ କେବଳ ଜେନେଟିକ୍ସ କାରଣ ନୁହେଁ, ବରଂ ସେମାନଙ୍କ ଖାଦ୍ୟପେୟ ଓ ଜୀବନଶୈଳୀର ମଧ୍ୟ ବଡ଼ ଭୂମିକା ରହିଛି। ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଖାଦ୍ୟ ସହ ଜଡ଼ିତ ୩ଟି ଅଭ୍ୟାସ ବିଷୟରେ କହିଛନ୍ତି, ଯାହା ଦୀର୍ଘ ଦିନ ଧରି ଆପଣଙ୍କୁ ସୁସ୍ଥ ରହିବାରେ ସହାୟକ ହୋଇପାରେ।

ପ୍ରଥମତଃ, ଜାପାନୀ ସଂସ୍କୃତିରେ 'ହାରା ହାଚି ବୁ' ନାମକ ଏକ ଖାଦ୍ୟ ଅଭ୍ୟାସ ରହିଛି। ଏହାର ଅର୍ଥ ହେଉଛି ପେଟ ପ୍ରାୟ ୮୦ ପ୍ରତିଶତ ଭରିବା ପର୍ଯ୍ୟନ୍ତ ଖାଇବା ଏବଂ ଅତ୍ୟଧିକ ଖାଦ୍ୟ ଗ୍ରହଣ ନକରିବା। ଏହି ଅଭ୍ୟାସ ଅତ୍ୟଧିକ ଖାଇବାକୁ ରୋକିବା ସହ ଓଜନ ନିୟନ୍ତ୍ରଣରେ ସହାୟକ ହୋଇପାରେ। ଦ୍ୱିତୀୟରେ, ଜାପାନୀ ଖାଦ୍ୟପେୟରେ ମାଛ, ପନିପରିବା, ଫଳ, ସୋୟାବିନ୍, ଟୁନା ଓ ସାମୁଦ୍ରିକ ଶାକ ଭଳି ପୋଷକତତ୍ତ୍ୱରେ ଭରପୂର ଖାଦ୍ୟ ସାମିଲ ଥାଏ। ଏହା ସହିତ ସେଠାରେ ଅଧିକ ପ୍ରୋସେସ୍ଡ ଖାଦ୍ୟ ଓ ଅତ୍ୟଧିକ ଚିନିଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବାକୁ ଗୁରୁତ୍ୱ ଦିଆଯାଏ। ଏଭଳି ସନ୍ତୁଳିତ ଖାଦ୍ୟ ଶରୀରକୁ ଆବଶ୍ୟକ ପୋଷଣ ଯୋଗାଇଥାଏ। ତୃତୀୟ କଥା , ସବୁବେଳେ ଧୀରେ ଧୀରେ ଓ ମନ ଦେଇ ଖାଦ୍ୟକୁ ଚୋବାଇ ଖାଆନ୍ତୁ ।

ଜାପାନୀ ଖାଦ୍ୟ ସଂସ୍କୃତିରେ ଖାଦ୍ୟ ଖାଇବା ସମୟରେ ଖାଦ୍ୟର ସ୍ୱାଦ, ପରିମାଣ ଓ ଗୁଣବତ୍ତା ଉପରେ ବିଶେଷ ଧ୍ୟାନ ଦିଆଯାଏ। ତରବରିଆ ଭାବେ ଖାଇବା ବଦଳରେ ଧୀରେ ଧୀରେ ଖାଇବା ଦ୍ୱାରା ପେଟ ଭରିବାର ସଙ୍କେତକୁ ଠିକ୍ ଭାବେ ବୁଝିହୁଏ। ଫଳରେ ଅତ୍ୟଧିକ ଖାଇବାର ଅଭ୍ୟାସ କମିପାରେ। ତେଣୁ ଦୀର୍ଘ ଜୀବନ ଓ ସୁସ୍ଥ ଶରୀର ପାଇଁ କେବଳ ଖାଦ୍ୟ ନୁହେଁ, ବରଂ ଖାଇବାର ଅଭ୍ୟାସ ବା ତରିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସନ୍ତୁଳିତ ଖାଦ୍ୟ ଖାଇବା, ଅତ୍ୟଧିକ ଖାଦ୍ୟ ଗ୍ରହଣ ନକରିବା ଏବଂ ଧୀରେ ଧୀରେ ଖାଇବା ଭଳି ଛୋଟ ଛୋଟ ଅଭ୍ୟାସ ଆପଣଙ୍କୁ ଦୀର୍ଘଦିନ ସୁସ୍ଥ ରଖିବାରେ ସହାୟକ ହୋଇପାରେ।