ନୂଆଦିଲ୍ଲୀ : କଥାରେ ଅଛି, ଯାହାର ସ୍ୱପ୍ନ ବଡ଼, ତା'ର ସଂଘର୍ଷ ମଧ୍ୟ ବଡ଼ । ଅଭାବ ଓ ଅସୁବିଧା ମଣିଷର ରାସ୍ତା ଅଟକାଇ ପାରେ,  ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନେ ସବୁ ପ୍ରତିବନ୍ଧକ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଆଇପିଏସ୍ ଅଧିକାରୀ ଶରଣ କାମଲେ। ଦିନେ ଯେଉଁ ପିଲା ମାଆଙ୍କ ସହ ଗାଁ ଗାଁ ବୁଲି ପରିବା ବିକ୍ରି କରୁଥିଲେ, ଆଜି ସେହି ପିଲା ଦେଶର ଜଣେ ବରିଷ୍ଠ ପୋଲିସ ଅଧିକାରୀ। ବାପା ଦିନମଜୁରୀ କାମ କରନ୍ତି। ଖାସ୍ କରି ନାଳନର୍ଦ୍ଦମା ଖୋଳି ପରିବାର ଚଳାଉଥିଲେ। ଘରେ ବିଜୁଳି ନଥିଲା କି ପଢ଼ିବା ପାଇଁ ନଥିଲା ଆବଶ୍ୟକ ସୁବିଧା। ହେଲେ ଏସବୁ ପରିସ୍ଥିତି ତାଙ୍କ ସ୍ୱପ୍ନକୁ ହରାଇ ପାରିନଥିଲା। ଏପରି ୨୦ ଲକ୍ଷ ଦରମାର ଚାକିରି ଛାଡ଼ି ଦେଶସେବାର ରାସ୍ତା ବାଛିଥିଲେ ଶରଣ। ତାଙ୍କର ଏହି ସଂଘର୍ଷ ଓ ସଫଳତାର କାହାଣୀ ଆଜି ଅନେକ ଯୁବପିଢ଼ିଙ୍କ ପାଇଁ ପ୍ରେରଣା।

୧୯୯୩ରେ ମହାରାଷ୍ଟ୍ରର ସୋଲାପୁରର ଏକ ସାଧାରଣ ପରିବାରରେ ଶରଣ କାମଲେଙ୍କ ଜନ୍ମ। ପିଲାଦିନରୁ ଦେଖିଛନ୍ତି ଅନେକ ଦୁଃଖ। ତାଙ୍କୁ ଅନେକ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ଘରର ଅବସ୍ଥା ଏତେ ଖରାପ ଥିଲା ଯେ, ରହିବା ପାଇଁ ଭଲ ଘରଟିଏ ମଧ୍ୟ ନଥିଲା। ଘରେ ବିଦ୍ୟୁତ ସଂଯୋଗ ନଥିବାରୁ ପାଠପଢ଼ିବା ମଧ୍ୟ ସହଜ ନଥିଲା। ସ୍କୁଲ ଯିବା ପାଇଁ ତାଙ୍କୁ କେବେ କେବେ ମାଇଲ ମାଇଲ ବାଟ ଚାଲିବାକୁ ପଡ଼ୁଥିଲା। ତଥାପି ପାଠପଢ଼ା ପ୍ରତି ତାଙ୍କର ଆଗ୍ରହ କମିନଥିଲା। ଶରଣଙ୍କ ବାପା ଗାଁରେ ନାଳନର୍ଦ୍ଦମା ଖୋଳିବା ସହ ଦିନମଜୁରି କାମ କରୁଥିଲେ। ଏଥିରୁ ଯାହା ରୋଜଗାର ହେଉଥିଲା, ସେଥିରେ ପରିବାରର ଖର୍ଚ୍ଚ ଚଳାଇବା ମଧ୍ୟ କଷ୍ଟକର ହୋଇପଡ଼ୁଥିଲା। ଏଭଳି ସ୍ଥିତିରେ ଶରଣଙ୍କ ମାଆ ପରିବା ବିକ୍ରି କରିବା ଆରମ୍ଭ କରିଥିଲେ। ପରିବାରକୁ ସହଯୋଗ କରିବା ପାଇଁ ଶରଣ ମଧ୍ୟ ପାଠପଢ଼ା ସହିତ ମାଆଙ୍କ ସହ ପରିବା ବିକ୍ରି କରିବାକୁ ଯାଉଥିଲେ। ହେଲେ ଏହି ସଂଘର୍ଷ କେବେ ବି ତାଙ୍କ ସ୍ୱପ୍ନରେ ସାଜିନି ବାଧକ। ବରଂ ଜୀବନରେ କିଛି ବଡ଼ କରିବାର ଜିଦ୍କୁ ଆହୁରି ମଜବୁତ କରିଥିଲା।

ପିଲାଦିନୁ ଭଲ ପାଠ ପଢ଼ୁଥିଲେ ଶରଣ। ନିଜ ପରିଶ୍ରମ ବଳରେ ସେ ସ୍କଲାରସିପ୍ ମଧ୍ୟ ହାସଲ କରିଥିଲେ। ପରେ ବିଟେକ୍ କରିଥିଲେ। କଲେଜରେ ପଢ଼ିବା ସମୟରେ ସେ ଅନେକ ଛାତ୍ରଛାତ୍ରୀଙ୍କ ସହ ମିଶିବାର ସୁଯୋଗ ପାଇଲେ। ଯେଉଁମାନଙ୍କ ପାଖରେ ଭଲ ଇଂରାଜୀ ଜ୍ଞାନ ଓ ଆଧୁନିକ ସୁବିଧା ଥିଲା। ସେମାନଙ୍କୁ ଦେଖି ନିଜକୁ କେବେ ଛୋଟ ମନେ କରିନଥିଲେ ଶରଣ। ବରଂ ନିଜ ପାଖରେ ଯାହା ଅଛି, ତାକୁ ନେଇ ଆଗକୁ ବଢ଼ିବାକୁ ସ୍ଥିର କରିଥିଲେ। ଆଉ କଠିନ ପରିଶ୍ରମ ଯୋଗୁଁ ସେ ନିଜ କ୍ଲାସ୍ର ଟପ୍ପରମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ବିଟେକ୍ ପାଠପଢ଼ା ଶେଷ କରିବା ପରେ ଶରଣଙ୍କୁ ଏକ ପ୍ରତିଷ୍ଠିତ କମ୍ପାନିରେ ବାର୍ଷିକ ୨୦ ଲକ୍ଷ ଟଙ୍କାର ପ୍ୟାକେଜ୍ରେ ଚାକିରି ମିଳିଥିଲା। ଯେଉଁ ପରିବାର ଦିନେ ଦୁଇ ଓଳି ଖାଇବା ପାଇଁ ସଂଘର୍ଷ କରୁଥିଲା, ସେହି ପରିବାର ପାଇଁ ଏହା ଏକ ବଡ଼ ଖୁସିର ଖବର ଥିଲା। ସମସ୍ତେ ତାଙ୍କୁ ଏହି ଚାକିରି ଗ୍ରହଣ କରିବାକୁ କହିଥିଲେ। କିନ୍ତୁ ଶରଣଙ୍କ ଲକ୍ଷ୍ୟ ଥିଲା ଆହୁରି ବଡ଼। ସେ କେବଳ ଟଙ୍କା ରୋଜଗାର କରିବାକୁ ଚାହୁଁନଥିଲେ, ବରଂ ଦେଶ ପାଇଁ କିଛି କରିବାର ସ୍ୱପ୍ନ ଦେଖିଥିଲେ। ତେଣୁ ଲକ୍ଷ ଲକ୍ଷ ଟଙ୍କାର ଦରମାକୁ ପଛରେ ପକାଇ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

ଶରଣଙ୍କ UPSC ଯାତ୍ରା ମଧ୍ୟ ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ୨୦୧୯ ମସିହାରେ UPSC CAPF ପରୀକ୍ଷାରେ ସେ ସର୍ବଭାରତୀୟ ସ୍ତରରେ ଅଷ୍ଟମ ରାଙ୍କ୍ ହାସଲ କରିଥିଲେ। ଏହା ତାଙ୍କ ଆତ୍ମବିଶ୍ୱାସକୁ ଆହୁରି ବଢ଼ାଇଥିଲା। ଏହାପରେ ୨୦୨୦ ମସିହାରେ UPSC ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୫୪୨ତମ ରାଙ୍କ୍ ହାସଲ କରି IPS ଅଧିକାରୀ ହେବାର ସୌଭାଗ୍ୟ ପାଇଥିଲେ । ତେବେ ଏହି ସଫଳତା ପାଇଁ ତାଙ୍କୁ ଏକାଧିକ ଥର ପ୍ରୟାସ କରିବାକୁ ପଡ଼ିଥିଲା । ତିନିଥର ଇଣ୍ଟରଭ୍ୟୁର ସାମ୍ନା କରିଥିଲେ । ପରବର୍ତ୍ତୀ ସମୟରେ UPSC IFS ପରୀକ୍ଷାରେ ମଧ୍ୟ ୧୨୭ତମ ରାଙ୍କ୍ ହାସଲ କରିଥିଲେ । IPS ରେ ଯୋଗଦେବା ପରେ କାମ୍ବଲେଙ୍କୁ ରାଜସ୍ଥାନ କ୍ୟାଡର ଆବଣ୍ଟନ କରାଯାଇଥିଲା। ବର୍ତ୍ତମାନ ସେ ଡିଗ୍ ଜିଲ୍ଲାରେ ପୋଲିସ୍ ଅଧୀକ୍ଷକ ଭାବରେ କାର୍ଯ୍ୟରତ ।

Also Read- ଆସନ୍ତା ୩ ବର୍ଷରେ ମଣିଷକୁ ଶେଷ କରି ଦୁନିଆ ଉପରେ କବ୍ଜା କରିପାରେ AI: ନୋବେଲ ବିଜେତା ହିଣ୍ଟନଙ୍କ ଚେତାବନୀ

ଶରଣ କାମଲେଙ୍କ କାହାଣୀ କେବଳ ଜଣେ IPS ଅଧିକାରୀଙ୍କ ସଫଳତାର କାହାଣୀ ନୁହେଁ। ଏହା ଏକ ଗରିବ ପରିବାରର ସ୍ୱପ୍ନ, ଜଣେ ମାଆଙ୍କ ସଂଘର୍ଷ ଓ ଜଣେ ପୁଅର ଅଦମ୍ୟ ଇଚ୍ଛାଶକ୍ତିର କାହାଣୀ। ଦିନେ ମାଆଙ୍କ ସହ ପରିବା ବିକ୍ରି କରୁଥିବା ପିଲା ଆଜି ଦେଶର ପ୍ରଶାସନିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତାଙ୍କ ଜୀବନ କାହାଣୀ ଏହା ପ୍ରମାଣ କରେ ଯେ, ସଫଳତା ପାଇଁ ଧନସମ୍ପତ୍ତି କିମ୍ବା ବଡ଼ ସୁବିଧା ନୁହେଁ, ବରଂ ନିଜ ଲକ୍ଷ୍ୟ ପ୍ରତି ସମର୍ପଣ ଓ ନିରନ୍ତର ପରିଶ୍ରମ ହିଁ ସବୁଠାରୁ ବଡ଼ ପୁଞ୍ଜି।