ନୂଆଦିଲ୍ଲୀ, ୨୩/୧୦:ଏସଆଇଆରକୁ ବିରୋଧ ସହ ମୁଖ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଅନ୍ୟ କେତେକ ଦାବିରେ ଶୁକ୍ରବାର‘ପିପଲ ଏଗେନଷ୍ଟ ଏସଆଇଆର'ମଞ୍ଚ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ କରାଯିବ। ଗତ ସପ୍ତାହରେ ଏହି ମଞ୍ଚ ଗଠନ ହେବା ପରେ ପ୍ରଥମ ଥର ଲାଗି ପ୍ରଦର୍ଶନ କରିବାକୁ ଯାଉଛି। ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସମେତ ଗଣସଙ୍ଗଠନ,ନାଗରିକ ସମାଜ,ଚାଷୀ,ଶ୍ରମିକ,ମହିଳା ଓ ଯୁବ ସଙ୍ଗଠନ ଏବଂ ଛାତ୍ର ସଂଘ ସାମିଲ ହେବେ।

ଏସଆଇଆର ବିରୋଧୀଙ୍କୁ ଏକାଠି କରିବା ଲାଗି ଗତ ୧୪ ତାରିଖରେ ନୂଆଦିଲ୍ଲୀର ସୁରଜିତ ଭବନରେ ଏହି ମଞ୍ଚ ଗଠନ ଘୋଷଣା କରାଯାଇଥିଲା। ଆୟୋଜକଙ୍କ ପକ୍ଷରୁ ବିଭିନ୍ନ ସଙ୍ଗଠନର ପ୍ରତିନିଧିମାନଙ୍କୁ ହାତରେ ତ୍ରିରଙ୍ଗା ଧରି ନିଜ ଅଞ୍ଚଳ ଜିଲ୍ଲା,ତହସିଲ ଓ ରାଜ୍ୟ ରାଜଧାନୀରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ ସହ ରାଲି ଓ ଶୋଭାଯାତ୍ରା ଆୟୋଜନ କରିବାକୁ ପରାମର୍ଶ ଦିଆଯାଇଛି। ସୂଚନା ଅନୁସାରେ ନୂଆଦିଲ୍ଲୀରେ ହେବାକୁ ଥିବା ଏହି ଆନ୍ଦୋଳନରେ ସିଜେପି ମୁଖ୍ୟ ଅଭିଜିତ ଦିପକେ,ଛାତ୍ର ନେତା ନେହା ବୋରା ଓ ଆଇଶା ଘୋଷ,ଆଡଭୋକେଟ ପ୍ରଶାନ୍ତ ଭୂଷଣ,ଚାଷୀ ନେତା ରାକେଶ ଟିକାୟତ,ଅଭିନେତା ପ୍ରକାଶ ରାଜ ଓ ଲେଖକ ତୁଷାର ଗାନ୍ଧୀ ପ୍ରମୁଖ ସାମିଲ ହେବେ। ଏଥିରେ ଇଣ୍ଡି ମେଣ୍ଟ ସାମିଲ ହେବ କି ନାହିଁ ସ୍ପଷ୍ଟ ହୋଇନାହିଁ ।

Also Read :- ୨୭ ତାରିଖ ରାତିରେ ଲ୍ୟାଣ୍ଡଫଲ୍, ଗୋପାଳପୁରରେ ମାଡ଼ ହେବ ବାତ୍ୟା ! ୧୫୦ କିମି ବେଗରେ ବହିପାରେ ପବନ

ତେବେ ଆନ୍ଦୋଳନ ଲାଗି ଦିଲ୍ଲୀ ପୁଲିସ ଠାରୁ କୌଣସି ଅନୁମତି ନିଆଯାଇନାହିଁ। ଯାହାଫଳରେ ଆନ୍ଦୋଳନକୁ ନେଇ ପ୍ରବଳ ହଙ୍ଗାମା ଓ ଉତ୍ତେଜନା ସୃଷ୍ଟି ହୋଇପାରେ। କାରଣ ନୂଆଦିଲ୍ଲୀ ଅଞ୍ଚଳରେ ପୂର୍ବରୁ ଆନ୍ଦୋଳନ ପରିପ୍ରେକ୍ଷୀରେ ଜାରି କରାଯାଇଥିବା ବିଏନଏସର ଧାରା ୧୬୩ ବଳବତ୍ତର ରହିଛି। ଯାହାଫଳରେ ପୁଲିସ ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦେବ ନାହିଁ। ଆନ୍ଦୋଳନକାରୀ ଏକାଠି ହେବାକୁ ପୁଲିସ ରୋକିବ ଏବଂ ଆବଶ୍ୟକ ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବାର ସମ୍ଭାବନା ରହିଛି।

ସେପଟେ ପ୍ଲାଟଫର୍ମ ପକ୍ଷରୁ ପୂର୍ବରୁ କୁହାଯାଇଛି ଯେ ଗଣତନ୍ତ୍ରର ସୁରକ୍ଷା ପାଇଁ ଲୋକମାନେ ଏହି ଆନ୍ଦୋଳନରେ ସାମିଲ ହେଉଛନ୍ତି। ତେଣୁ ଏହି ଆନ୍ଦୋଳନ ଲାଗି କୌଣସି ଅନୁମତିର ଆବଶ୍ୟକତା ନାହିଁ। ଶାନ୍ତିପୂର୍ଣ୍ଣ ଭାବେ ଏହି ଆନ୍ଦୋଳନ କରାଯିବ ଏବଂ ବଳପ୍ରୟୋଗ ନକରିବାକୁ ସରକାରଙ୍କୁ ଚେତାବନୀ ଦିଆଯାଇଛି ।