କଟକ ୨୯।୧୦: ବିଦ୍ରୋହୀ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ସମ୍ପର୍କିତ ଆବେଦନ ଉପରେ ଶୁଣାଣି କରିଛନ୍ତି ହାଇକୋର୍ଟ । ୫ ଜଣ ବିଧାୟକଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ । ବିଧାୟକ ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ସନାତନ ମହାକୁଡ, ସୌଭିକ ବିଶ୍ୱାଳ ଓ ଚକ୍ରମଣୀ କହଁରଙ୍କୁ ଗୁରୁବାର ନୋଟିସ ଜାରି ହୋଇଛି । ଆସନ୍ତା ଜାନୁଆରୀ ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତା ପୂର୍ବରୁ ଜବାବ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପରବର୍ତ୍ତୀ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ବାଚସ୍ପତିଙ୍କ ନିକଟରେ ସାନି ଆବେଦନ କରିବାର ବୈଧତା ଉପରେ ଗୁରୁବାର ମୁଖ୍ୟତଃ ଶୁଣାଣି ହୋଇଛି । ବାଚସ୍ପତିଙ୍କ ତରଫରୁ ହାଇକୋର୍ଟରେ ପକ୍ଷ ରଖିଛନ୍ତି ଆଡ଼ଭୋକେଟ ଜେନେରାଲ । ସଭ୍ୟପଦ ରଦ୍ଦ ବାବଦରେ ପୂର୍ବରୁ ବାଚସ୍ପତି ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ନ୍ୟାୟିକ ପଦ୍ଧତିର ଏକ ଅଂଶ, ତେଣୁ ନିଜ ନିର୍ଦ୍ଦେଶର ପୁନର୍ବିଚାର କରିବା ନେଇ କୌଣସି ପ୍ରାବଧାନ ନାହିଁ ବୋଲି ଆଡ଼ଭୋକେଟ ଜେନେରାଲ ଯୁକ୍ତି ଉପସ୍ଥାପନ କରିଛନ୍ତି । ଯାହାକୁ କୋର୍ଟ ଗ୍ରହଣ କରିବା ସହିତ ୫ ଜଣ ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି ।

Also Read:- https://www.prameyanews7.com/all-party-leaders-strongly-oppose-andhra-pradeshs-attempt-to-conduct-elections-in-kotia

ରାଜ୍ୟସଭା କ୍ରସ୍ ଭୋଟିଂକୁ ନେଇ ବିଜେଡିର ଆଭ୍ୟନ୍ତରୀଣ ବିବାଦ ପଦାକୁ ଆସିଥିଲା। ୮ ଜଣ ବିଦ୍ରୋହୀ ବିଜେଡି ବିଧାୟକ କ୍ରସ ଭୋଟିଂ କରିଥିବା ନେଇ ଚର୍ଚ୍ଚା ହେଲା । ପରେ ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲା ବିଜେଡି । ଯାହାକୁ ଟେକ୍ନିକାଲ ଗ୍ରାଉଣ୍ଡରେ ଖାରଜ କରିଥିଲେ ବାଚସ୍ପତି । ପରେ, ବାଚସ୍ପତିଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବିଜେଡି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଛି । ତେବେ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି କି, କେବଳ ସଭ୍ୟପଦ ରଦ୍ଦକୁ ନେଇ ସେମାନେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ଯାହାକୁ କୋର୍ଟ ଗ୍ରହଣ କରିସାରିଛନ୍ତି ।

Watch Video: