ଭୁବନେଶ୍ୱର: କର୍କଟ ରୋଗୀ ଓ ସେମାନଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ସହ ସେମାନଙ୍କ ଥଇଥାନ, ମାନସିକ ଓ ସାମାଜିକ ସହଯୋଗ ଏବଂ ରୋଗୀଙ୍କ କଲ୍ୟାଣ କ୍ଷେତ୍ରରେ ନିଃସ୍ୱାଥର୍ପର ସେବା ପାଇଁ ୪୦ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କରିଛି ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ । ସୋଆ କ୍ୟାମ୍ପସରେ ଶନିବାର ‘ଚାମ୍ପିଅନ୍ସ ଅଫ୍ ହୋପ୍ ୨୦୨୬’ କାର୍ଯ୍ୟକ୍ରମରେ କର୍କଟ ରୋଗୀଙ୍କ ପୁନର୍ବାସ ଓ ରୋଗମୁକ୍ତ ଜୀବନ ସଂପର୍କିତ ଏକ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ୪୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସଂଗଠନ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ-୧ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର, ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲ କ୍ୟାମ୍ପସ -୨ର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ରାଜେଶ କୁମାର ଲେଙ୍କା ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍ସେସ୍‌ର ଡିନ୍ ଡାକ୍ତର ରୁଚି ଭୂୟାଁ ଯୋଗ ଦେଇଥିଲେ । ସୋଆର କର୍ପୋରେଟ୍ ସୋସିଆଲ୍ ରେସପନ୍ସିବିଲିଟି (ସିଏସ୍ଆର୍), ଦକ୍ଷତା ବିକାଶ ଓ ଉଦ୍ୟୋଗ ବିଭାଗର ଉପନିର୍ଦ୍ଦେଶକ ଅଶୋକ କୁମାର ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

ଏହି ଅବସରରେ ପ୍ରଫେସର ନନ୍ଦ କର୍କଟ ରୋଗୀ ଓ ସେମାନଙ୍କ ପରିବାରକୁ ସହାୟତା ଯୋଗାଇ ଦେଉଥିବା ସଂଗଠନଗୁଡ଼ିକର ଉଦ୍ୟମକୁ ପ୍ରଶଂସା କରିବା ସହ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏକ ସୁସ୍ଥ, ଯନ୍ତ୍ରଣାମୁକ୍ତ ଓ କର୍କଟ ରୋଗ ସଂପର୍କରେ ସଚେତନ ଭାରତ ଗଠନ ପାଇଁ ସମସ୍ତଙ୍କର ମିଳିତ ପ୍ରୟାସ ଆବଶ୍ୟକ ବୋଲି ସେ କହିଥିଲେ ।

ଡାକ୍ତର ସାମନ୍ତସିଂହାର କର୍କଟ ରୋଗର କଠିନ ଯାତ୍ରାରେ ରୋଗୀ ଓ ସେମାନଙ୍କ ପରିବାରକୁ ସହଯୋଗ କରିବାରେ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର ଭୂମିକାକୁ ଗୁରୁତ୍ୱ ଦେଇଥିବା ବେଳେ ପ୍ରଫେସର ମିଶ୍ର କର୍କଟ ପ୍ରଭାବିତ ପରିବାରଗୁଡ଼ିକ ମୁହଁରେ ହସ ଫୁଟାଇବା ଓ ସେମାନଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ କରିବାରେ ସଂଗଠନଗୁଡ଼ିକର ଅବଦାନକୁ ପ୍ରଶଂସା କରିଥିଲେ । ଡାକ୍ତର ଭୂୟାଁ ତମାଖୁ ସେବନ ସହ ଜଡ଼ିତ ମୁଖଗହ୍ୱର କର୍କଟ ସଂପର୍କରେ ଜନସଚେତନତା ବୃଦ୍ଧି କରିବାକୁ ସଂଗଠନଗୁଡ଼ିକୁ ଆହ୍ୱାନ ଦେବା ସହ ଏ କ୍ଷେତ୍ରରେ ଅନୁଷ୍ଠାନ ପକ୍ଷରୁ ସହଯୋଗର ଆଶ୍ୱାସନା ଦେଇଥିଲେ ।

ଏହି ସମ୍ମିଳନୀରେ ବିଶିଷ୍ଟ ଶିଶୁ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସରୋଜ ପ୍ରସାଦ ପଣ୍ଡା, ଡାକ୍ତର ରାଜଶ୍ରୀ ଏବଂ ରକ୍ତରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଙ୍କା ସାମଲ ଯୋଗ ଦେଇଥିଲେ । କର୍କଟ ରୋଗରେ ପୀଡ଼ିତ ଶିଶୁମାନେ ଅତିଥିମାନଙ୍କ ସହ ମିଶି ଦୀପ ପ୍ରଜ୍ୱଳନ କରିବା ଏହି ଅବସରର ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା । ଏହା ସାହସ, ଧୈର୍ଯ୍ୟ ଓ ଆଶାର ପ୍ରତୀକ ଥିଲା । 

ଶ୍ରୀ ନାୟକ ସଂଗଠନଗୁଡ଼ିକୁ ସେମାନଙ୍କ ସଫଳତାର କାହାଣୀ ଓ ଫଟୋଚିତ୍ର ସାମ୍ନାକୁ ଆଣିବାକୁ ଉତ୍ସାହିତ କରିଥିଲେ, ଯାହାଦ୍ୱାରା କର୍କଟ ରୋଗୀ ଓ ସେମାନଙ୍କ ପରିବାର ସାହସ ଓ ଆରୋଗ୍ୟର ପ୍ରେରଣା ପାଇପାରିବେ ।

ସମ୍ମିଳନୀର ଶେଷରେ ଯୋଗଦେଇଥିବା ସମସ୍ତ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କରାଯାଇଥିଲା । ର୍କକଟ ରୋଗୀଙ୍କ ଜୀବନରେ ଆଶା, ମର୍ଯ୍ୟାଦା ଓ ମନୋବଳ ଭରିଦେଉଥିବା ଏହି ସଂଗଠନଗୁଡ଼ିକୁ ସମାଜର ଅନାଲୋଚିତ ନାୟକ ଭାବେ ସ୍ୱୀକୃତି ଦିଆଯାଇଥିଲା ।