ଭୁବନେଶ୍ୱର : ପାଗ ପରିବର୍ତ୍ତନ ହେଲେ କାଶ ଏବଂ ଥଣ୍ଡା ହେବା ସ୍ୱାଭାବିକ କଥା। ଥଣ୍ଡା, କାଶ ହେଲେ ଆମେ ଭାବୁ, ଦୁଇରୁ ତିନି ଦିନ ଭିତରେ ତାହା ଠିକ୍ ହୋଇଯିବ । ପ୍ରାୟତଃ, କିଛି ଦିନ ମଧ୍ୟରେ ଜ୍ୱର ଏବଂ ନାକରୁ ପାଣି ବୋହିବା , ଗଳା ଦରଜ ଏବଂ ଛିଙ୍କ ଭଳି ଲକ୍ଷଣ କମିଯାଏ, କିନ୍ତୁ କାଶ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ । ଏହା ଦ୍ୱାରା ଲୋକମାନେ ଅଧିକ ଚିଡଚିଡା ହୋଇଯାନ୍ତି ଏବଂ ବାରମ୍ବାର ଔଷଧ ଖାଇବାକୁ ବାଧ୍ୟ ହୋଇପାରନ୍ତି। ତଥାପି, କାଶ ଏବଂ ଥଣ୍ଡା ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିଥାଏ । ଥଣ୍ଡା ଲକ୍ଷଣଗୁଡ଼ିକ ସାଧାରଣତଃ ୭ ରୁ ୧0 ଦିନ ମଧ୍ୟରେ କମିଯାଏ, କିନ୍ତୁ କାଶ ୨ରୁ ୩ ସପ୍ତାହ ପର୍ଯ୍ୟନ୍ତ ଲାଗିରହିଥାଏ । ଗଳା ଏବଂ ଶ୍ୱାସନଳୀର ସାମାନ୍ୟ ସଂକ୍ରମଣ ପରେ ଲଗାତାର କାଶ ସୃଷ୍ଟି ହୋଇଥାଏ । ତେବେ କାହିଁକି ଏତେ ଧୀରେ ଧୀରେ ଭଲ ହୁଏ ଥଣ୍ଡା ଓ କାଶ ? ଏହା ପଛରେ କ'ଣ କାରଣ ରହିଛି ?

ସାଧାରଣତଃ ଥଣ୍ଡା ଏକ ଭାଇରସ୍ଜନିତ ସଂକ୍ରମଣ । ଏହା ନାକ, ଗଳା ଏବଂ ଶ୍ୱାସନଳୀର ଉପର ଭାଗକୁ ପ୍ରଭାବିତ କରିଥାଏ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ଭାଇରସ୍ ସହ ଲଢ଼େଇ କରି ସଂକ୍ରମଣକୁ ନିୟନ୍ତ୍ରଣ କରିଥାଏ । କିନ୍ତୁ ସଂକ୍ରମଣ କମିଯିବା ପରେ ମଧ୍ୟ ଗଳା ଓ ଶ୍ୱାସନଳୀରେ ହୋଇଥିବା ଇରିଟେସନ୍ ତୁରନ୍ତ ଭଲ ହୁଏ ନାହିଁ । ଏହି କାରଣରୁ କାଶ ଲାଗି ରହିଥାଏ । ସେଭଳି ଥଣ୍ଡା ଭଲ ହେବା ପରେ ମଧ୍ୟ ଶ୍ୱାସନଳୀ କିଛି ସମୟ ପାଇଁ ଅଧିକ ସମ୍ବେଦନଶୀଳ ହୋଇଯାଏ । ଫଳରେ ଧୂଳି, ଧୂଆଁ, ଥଣ୍ଡା ପବନ କିମ୍ବା ତୀବ୍ର ଗନ୍ଧ ଯୋଗୁଁ କାଶ ହୋଇପାରେ । ଏହାକୁ ପୋଷ୍ଟ-ଭାଇରାଲ୍ କଫ୍ ବା ସଂକ୍ରମଣ ପରବର୍ତ୍ତୀ କାଶ କୁହାଯାଏ । ଏହାଛଡ଼ା, ଆଲର୍ଜି, ଆଜ୍ମା କିମ୍ବା ଅନ୍ୟ ଶ୍ୱାସକ୍ରିୟା ସମସ୍ୟା ଥିଲେ ଏହି ଲକ୍ଷଣ ଅଧିକ ଦିନ ରହିପାରେ ।

ସାଧାରଣତଃ ଥଣ୍ଡାର ଲକ୍ଷଣ ୭ରୁ ୧୦ ଦିନ ମଧ୍ୟରେ କମିବାକୁ ଲାଗେ । କିନ୍ତୁ କାଶ ପ୍ରାୟ ୨ରୁ ୩ ସପ୍ତାହ ଯାଏଁ ରହିପାରେ । ତେଣୁ କାଶ ବଢ଼ିଲେ କିମ୍ବା ଦୀର୍ଘ ସମୟ ଧରି ନ କମିଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । ପର୍ଯ୍ୟାପ୍ତ ବିଶ୍ରାମ ନିଅନ୍ତୁ । ପାଣି ଓ ଉଷୁମ ପାନୀୟ ପିଅନ୍ତୁ । ଗଳାରେ ଖସଖସ ହେଉଥିଲେ ଉଷୁମ ପାଣିରେ ଲୁଣ ମିଶାଇ ଗର୍ଗଲିଂ କରିପାରିବେ । ଏକ ବର୍ଷରୁ ଅଧିକ ବୟସର ପିଲାଙ୍କ କାଶ ହେଉଥିଲେ ମହୁ ଦିଅନ୍ତୁ ତାହା କିଛି ଆରାମ ଦେଇପାରେ । ଧୂଳି, ଧୂଆଁ ଏବଂ ସିଗାରେଟ୍ ଧୂଆଁଠାରୁ ଦୂରେଇ ରୁହନ୍ତୁ । ମନେ ରଖନ୍ତୁ, ସାଧାରଣ ଥଣ୍ଡା ଭାଇରସ୍ ଯୋଗୁଁ ହୋଇଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶ ବିନା ଆଣ୍ଟିବାୟୋଟିକ୍ ଖାଆନ୍ତୁ ନାହିଁ ।