ନୂଆଦିଲ୍ଲୀ: ଶିକ୍ଷା ବ୍ୟବସ୍ଥାକୁ ମୂଳରୁ ସୁଦୃଢ଼ କରିବାକୁ ହିମାଚଳ ପ୍ରଦେଶ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଏଣିକି ପ୍ରଥମ ଶ୍ରେଣୀରୁ ପିଲାମାନେ ନୈତିକ ବିଜ୍ଞାନ ପଢ଼ିବେ ।  ଏନେଇ ସମୀକ୍ଷା କରି ପାଠ୍ୟ ପୁସ୍ତକ ଜାରି କରିବାକୁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି । ଛୋଟବେଳୁ ପିଲାମାନଙ୍କ ଭିତରେ ନୈତିକ ମୂଲ୍ୟବୋଧ, ଅନୁଶାସନ ଏବଂ ଦାୟିତ୍ୱବୋଧ ଜାଗ୍ରତ କରିବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଚରିତ୍ର ଗଠନ ଓ  ବିକାଶ ଉପରେ ଗୁରୁତ୍ୱ
ମୁଖ୍ୟମନ୍ତ୍ରୀ ସୁଖୁ ସ୍ପଷ୍ଟ କରିଛନ୍ତି ଯେ, ଶିକ୍ଷା କେବଳ ପାଠପଢ଼ା ଏବଂ ଏକାଡେମିକ୍ ସଫଳତା ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ । ଏହା ପିଲାମାନଙ୍କର ଚରିତ୍ର ଗଠନ ଏବଂ ସର୍ବାଙ୍ଗୀନ ବିକାଶ ସହ ଜଡ଼ିତ ହେବା ଆବଶ୍ୟକ। ପ୍ରଥମ ଶ୍ରେଣୀରୁ ନୈତିକ ବିଜ୍ଞାନ ପଢ଼ାଇବା ଦ୍ୱାରା ପିଲାମାନଙ୍କ ମଧ୍ୟରେ ଅନୁଶାସନ, ସହାନୁଭୂତି, ବଡ଼ମାନଙ୍କ ପ୍ରତି ସମ୍ମାନ ଏବଂ ସାମାଜିକ ଦାୟିତ୍ୱବୋଧର ଭାବନା ଦୃଢ଼ ହେବ।

୬୦୦ JBT ଶିକ୍ଷକଙ୍କ ନିଯୁକ୍ତି
ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ CBSE ପାଠ୍ୟକ୍ରମ ଲାଗୁ ହେବା ନେଇ ମଧ୍ୟ ସମୀକ୍ଷା କରାଯାଇଛି। ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଶୀଘ୍ର ୬୦୦ ଜୁନିୟର ବେସିକ୍ ଟିଚର୍ ପଦବୀ ପୂରଣ କରିବାକୁ  କହିଛନ୍ତି । ଏହା ସହ ୧୦୦ଟି ନୂତନ ସ୍କୁଲରେ ଶିକ୍ଷକଙ୍କ ଉପସ୍ଥିତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  CBSE ସ୍କୁଲଗୁଡ଼ିକରେ ଆବଶ୍ୟକୀୟ କର୍ମଚାରୀ, ଏବଂ ଶିକ୍ଷାଗତ ବାତାବରଣ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

'ନ୍ୟୁ ସ୍କିମ୍ ବେସଡ୍ ରିକ୍ରୁଟମେଣ୍ଟ' ଯୋଜନା ଅଧୀନରେ ୩,୯୦୦ ଶିକ୍ଷକ ଏବଂ ୯୦୦ ଅଣ-ଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାକୁ ମଧ୍ୟ ସମୀକ୍ଷା କରାଯାଇଛି। ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ ।  ସମସ୍ତ ନୀତିଗତ ନିଷ୍ପତ୍ତିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ।