ଭୁବନେଶ୍ୱର : ଅଷ୍ଟିଓପୋରୋସିସ୍ ବା ହାଡ଼ ଦୁର୍ବଳ ହେବା ସମସ୍ୟା ସାଧାରଣତଃ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ। ବିଶେଷ କରି ମେନୋପୋଜ୍ ପରେ ଶରୀରରେ ଇଷ୍ଟ୍ରୋଜେନ୍ ହରମୋନ୍ କମିଯିବା କାରଣରୁ ହାଡ଼ର ଘନତ୍ୱ ହ୍ରାସ ପାଇଥାଏ। ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଶରୀରରେ କ୍ୟାଲସିୟମ୍ ଏବଂ ଭିଟାମିନ୍-Dର ସଠିକ୍ ମାତ୍ରା ରହିବା ଜରୁରୀ। ହାଡ଼କୁ ମଜବୁତ ରଖିବାକୁ ହେଉ କି ଦାନ୍ତର ସୁସ୍ଥତା ପାଇଁ ହେଉ ସବୁ ପାଇଁ କ୍ୟାଲସିୟମ୍ ଓ ଭିଟାମିନ୍-D ନିହାତି ଦରକାର ହୋଇଥାଏ । କାରଣ କ୍ୟାଲସିୟମ୍ ଆମ ହାଡ଼ ଓ ଦାନ୍ତକୁ ମଜବୁତ ରଖିବା ସହ ମାଂସପେଶୀ, ସ୍ନାୟୁ ଓ ହୃତ୍ପିଣ୍ଡର ସାଧାରଣ କାର୍ଯ୍ୟରେ ସହାୟତା କରେ। ଆମେ ଖାଦ୍ୟରୁ ଆବଶ୍ୟକ କ୍ୟାଲସିୟମ୍ ପାଇଥାଉ। କିନ୍ତୁ ଆପଣ ଜାଣନ୍ତି କି, ପ୍ରତିଦିନ ଶରୀରକୁ କେତେ ପରିମାଣରେ ଏହି ଦୁଇଟି ପୋଷକତତ୍ତ୍ୱ ଆବଶ୍ୟକ? ଏହାର ମାତ୍ର କମ୍ ହେଲେ ହାଡ଼ ଦୁର୍ବଳ ହୋଇପାରେ, ଆଉ ଆବଶ୍ୟକତାଠାରୁ ଅଧିକ ସପ୍ଲିମେଣ୍ଟ ନେଲେ ମଧ୍ୟ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିପାରେ।

ତେବେ ବୟସ ଅନୁସାରେ ଏହି ପୋଷକତତ୍ତ୍ୱର ଆବଶ୍ୟକତା ମଧ୍ୟ ରହିଥାଏ । ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ଅନୁସାରେ, ୧୯ରୁ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଦୈନିକ ପ୍ରାୟ ୧ ହଜାର ମିଲିଗ୍ରାମ୍ କ୍ୟାଲସିୟମ୍ ଆବଶ୍ୟକ। ୫୧ରୁ ୭୦ ବର୍ଷ ବୟସର ମହିଳାଙ୍କ ପାଇଁ ଏହି ପରିମାଣ ୧,୨୦୦ ମିଲିଗ୍ରାମ୍। ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ମଧ୍ୟ ଦୈନିକ ୧,୨୦୦ ମିଲିଗ୍ରାମ୍ କ୍ୟାଲସିୟମ୍ ଆବଶ୍ୟକ ହୋଇପାରେ। କ୍ଷୀର, ଦହି, ପନିର, ରାଗି ଓ କିଛି ସବୁଜ ପନିପରିବାରୁ କ୍ୟାଲସିୟମ୍ ମିଳିଥାଏ। ତେଣୁ ଦୈନିକ ଖାଦ୍ୟରେ ଏହି ସବୁ ଖାଦ୍ୟକୁ ସାମିଲ କରିବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ ।

ଆମ ଶରୀର ପାଇଁ ଭିଟାମିନ୍-D କେତେ ଓ କାହିଁକି ଜରୁରୀ ? ମନେ ରଖନ୍ତୁ, କେବଳ କ୍ୟାଲସିୟମ୍ ଖାଇଲେ ତାହା ଯଥେଷ୍ଟ ହେବ ନାହିଁ। ଶରୀର ଯେପରି କ୍ୟାଲସିୟମ୍କୁ ଠିକ୍ ଭାବରେ ଶୋଷଣ କରିପାରିବ, ସେଥିପାଇଁ ଭିଟାମିନ୍-D ମଧ୍ୟ ଆବଶ୍ୟକ। ଏହା ହାଡ଼ର ସୁସ୍ଥତା ସହ ମାଂସପେଶୀର କାର୍ଯ୍ୟରେ ମଧ୍ୟ ସହାୟତା କରେ। ୧ରୁ ୭୦ ବର୍ଷ ବୟସ୍କଙ୍କୁ ଦୈନିକ ପ୍ରାୟ ୬୦୦ IU ଭିଟାମିନ୍-D ଆବଶ୍ୟକ ହୋଇଥାଏ। ୭୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଏହା ୮୦୦ IU। ତେବେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଓ ଭିଟାମିନ୍ର ଅଭାବ ଅନୁସାରେ ଆବଶ୍ୟକତା ବଦଳିପାରେ। ଭିଟାମିନ୍-Dର ସବୁଠୁ ବଡ ଉତ୍ସ ହେଉଛି ସୂର୍ଯ୍ୟକିରଣ | ସୂର୍ଯ୍ୟକିରଣର ସଂସ୍ପର୍ଶରେ ଆସିଲେ ଶରୀର ଭିଟାମିନ୍-D ତିଆରି କରେ। ଏହା ସହ ଅଣ୍ଡାର କେଶର, କିଛି ମାଛ ଏବଂ ଭିଟାମିନ୍-D ମିଶାଯାଇଥିବା ଖାଦ୍ୟରୁ ମଧ୍ୟ ଏହା ମିଳିପାରେ।

କିନ୍ତୁ ଅଧିକ ସପ୍ଲିମେଣ୍ଟ ନେବା ଶରୀର ପାଇଁ କ୍ଷତିକାରକ ହୋଇଥାଇପାରେ | ଶରୀରରେ କ୍ୟାଲସିୟମ୍ କିମ୍ବା ଭିଟାମିନ୍-Dର ଅଭାବ ଥିଲେ ଡାକ୍ତର ସପ୍ଲିମେଣ୍ଟ ନେବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ନିଜ ଇଚ୍ଛାରେ ଅଧିକ ମାତ୍ରାରେ ଔଷଧ କିମ୍ବା ସପ୍ଲିମେଣ୍ଟ ଖାଇବା ଠିକ୍ ନୁହେଁ। ଅତ୍ୟଧିକ ଭିଟାମିନ୍-D ଶରୀରରେ କ୍ୟାଲସିୟମ୍ର ମାତ୍ରା ବଢ଼ାଇପାରେ ଏବଂ କିଡ୍ନୀ ସମସ୍ୟାର ଆଶଙ୍କା ବଢ଼ାଇପାରେ। ଏକ ଅଧ୍ୟୟନ ଅନୁଯାୟୀ, ଭିଟାମିନ୍ -Dର ମାତ୍ରାଧିକ ସେବନ ମୁଖ୍ୟତଃ କିଡ୍ନୀକୁ ପ୍ରଭାବିତ କରେ। ଭିଟାମିନ୍ -D ର ଅତ୍ୟଧିକ ମାତ୍ରା ରକ୍ତରେ କ୍ୟାଲସିୟମ୍ ସ୍ତର ବୃଦ୍ଧି କରିପାରେ, ଯାହାକୁ ହାଇପରକ୍ୟାଲସେମିଆ କୁହାଯାଏ। ଏହା ଭୋକ ନ ଲାଗିବା, ବାନ୍ତି ହେବା, ବାରମ୍ବାର ପରିସ୍ରା ହେବା ଏବଂ କିଡନୀ କ୍ଷତି ଭଳି ଲକ୍ଷଣ ସୃଷ୍ଟି କରିପାରେ। ଯଦି ଚିକିତ୍ସା ନ କରାଯାଏ, ତେବେ ଆଗକୁ ହୁଏତ ହୃଦରୋଗ ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ ।