ଭୁବନେଶ୍ୱର: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର)ର ପାଠପଢ଼ା ଫି’ ବଢ଼ିବ। ପାଖାପାଖି ଦୁଇ ଗୁଣା ଫି’ ବୃଦ୍ଧି କରିବାକୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗକୁ ପ୍ରସ୍ତାବ ଦେଇଛି ବିଶ୍ବବିଦ୍ୟାଳୟ। ଓୟୁଟିଆର ରେଗୁଲାର ପାଠ୍ୟକ୍ରମରେ ସମସ୍ତ ଫି’କୁ ମିଶାଇ ମୋଟ ୪୫ ହଜାର ୪୨୦ ଟଙ୍କା ଥିବା ବେଳେ ଏହାକୁ ୭୧ ହଜାର ୨୦ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି।

ଅର୍ଥାତ୍‌ ୨୫ ହଜାର ୬୦୦ ଟଙ୍କା ବୃଦ୍ଧି ହେବ। ସେହିପରି ସେଲ୍ଫ ସସ୍ଟେନିଂ (ଏସ୍‌ଏସ୍‌ପି) ମୋଡ୍ ପ୍ରୋଗ୍ରାମରେ ଆଗରୁ ସମସ୍ତ ଫି ମିଶି ପଢ଼ିବା ପାଇଁ ପିଲାମାନେ ୯୦ ହଜାର ୨୦ଟଙ୍କା ଦେଉଥିବା ବେଳେ ଏହାକୁ ୧ ଲକ୍ଷ ୪୪ ହଜାର ୨୦ ଟଙ୍କା ବୃଦ୍ଧି କରିବାକୁ ବିଭାଗକୁ ପ୍ରସ୍ତାବ ଦେଇଛି ବିଶ୍ବବିଦ୍ୟାଳୟ । ଅର୍ଥାତ୍ ୫୪ ହଜାର ଟଙ୍କା ବଢ଼ିବ। ବିଭାଗ ଏହି ଚିଠି ଗ୍ରହଣ କରିଛି। ଏହା ବାବଦରେ ଆସନ୍ତା ବୈଠକରେ ଆଲୋଚନା କରାଯିବ ବୋଲି ବିଭାଗ କହିଛି। ଏନେଇ ବିଭାଗ ପକ୍ଷରୁ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟକୁ ପଠାଇଛି । ବିଶ୍ୱବିଦ୍ୟା ପକ୍ଷରୁ କୁହାଯାଇଛି, ୨୦୨୨- ୨୩ ଶିକ୍ଷାବର୍ଷରେ ୟୁଜି, ପିଜିରେ ମୋଟ ୩୯୪୮ଜଣ ଛାତ୍ରଛାତ୍ରୀ ପଢ଼ିଛନ୍ତି। ସେହିପରି ୨୦୨୩-୨୪ ଶିକ୍ଷାବର୍ଷରେ ୪୪୩୬ ଓ ୨୦୨୪-୨୫ରେ ୫୦୮୦ ଜଣ ପିଲା ନାମ ଲେଖାଇଛନ୍ତି।

Also Read: ମାତୃଭାଷାରେ ଜ୍ଞାନ ଆହରଣ ଅଧିକ ସରଳ ଓ ପ୍ରଭାବଶାଳୀ: ନୂଆଦିଲ୍ଲୀରେ ‘ଭାରତ ଶିକ୍ଷା ସମ୍ମିଳନୀ’କୁ ସମ୍ବୋଧିତ କରି କହିଲେ କେନ୍ଦ୍ରମନ୍ତ୍ରୀ

ବିଶ୍ୱବିଦ୍ୟାଳୟ ପାଇଁ ୧୮୪ ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ଥିବା ବେଳେ ମାତ୍ର ୮୮ଜଣ କାର୍ଯ୍ୟରତ ଅଛନ୍ତି। ଆହୁରି ୧୦୦ ଶିକ୍ଷକ ପଦବୀର ଅଭାବ ରହିଛି। ଏହି ଖାଲି ପଦବୀକୁ ବିଶ୍ବବିଦ୍ୟାଳୟ ଠିକା ତଥା ଅତିଥି ଅଧ୍ୟାପକ ନିଯୁକ୍ତି କରି ପରିଚାଳନା କରୁଛି। ଗୁଣାତ୍ମକ ପାଠପଢ଼ା ପାଇଁ ଏପରିକି ବାହାରୁ ନିମନ୍ତ୍ରିତ ଅଧ୍ୟାପକଙ୍କୁ ଆଣିବାକୁ ପଡୁ଼ଛି। ଫଳରେ ବିଶ୍ବବିଦ୍ୟାଳୟ ଉପରେ ଆର୍ଥିକ ବୋଝ ବଢ଼ୁଛି । ଫଳରେ ପୂର୍ବ ନିର୍ଦ୍ଧାରିତ ଫି’କୁ ପରିବର୍ତ୍ତନ କରିବାକୁ ଚାହୁଁଛୁ ବୋଲି ଓୟୁଟିଆର୍ ପକ୍ଷରୁ କୁହାଯାଇଛି। ଲାବୋରେଟୋରୀ ଉନ୍ନତି, ଉନ୍ନତି ଫି ଆଦି ବଢ଼ିବା ମଧ୍ୟ ନ୍ୟାୟ ସଂଗତ ବୋଲି ଓୟୁଟିଆର୍ ଯୁକ୍ତି ବାଢ଼ିଛି।

ରେଗୁଲାର କୋର୍ସରେ ବିଟେକ୍‌, ବି ଆର୍କ, ବି ପ୍ଲାନ୍, ଏମ୍‌ସିଏ, ଏମ୍‌ଟେକ୍‌, ଏମ୍ ପ୍ଲାନ୍‌, ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି, ଏମ୍‌ଏସ୍‌ସି, ବିଟେକ୍ (ଲାଟେରାଲ ଏଣ୍ଟ୍ରି)ର ଫି ବୃଦ୍ଧି କରିବାକୁ ପ୍ରସ୍ତାବ ଯାଇଛି। ଏଥିରେ ଟ୍ୟୁସନ୍‌ ଫି’ ଦୁଇ ଗୁଣା ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ଆଗରୁ ୧୨ ହଜାର ଟଙ୍କା ଥିବା ବେଳେ ଏହାକୁ ୨୫ ହଜାର ଟଙ୍କା କରିବାକୁ ପ୍ରସ୍ତାବ ଦିଆଯାଇଛି। ଉନ୍ନତି ଫି ମଧ୍ୟ ପୂର୍ବରୁ ୭ ହଜାର ଟଙ୍କା ଥିବା ବେଳେ ଏହାକୁ ୧୫ ହଜାର ଟଙ୍କା କରାଯିବ। ଲ୍ୟାବ୍ ପରିଚାଳନା ପାଇଁ ୧୫୦୦ ଟଙ୍କା ଥିବା ବେଳେ ଏହାକୁ ୩୦୦୦ ଟଙ୍କା, ଷ୍ଟୁଡେଣ୍ଟ ଆକ୍ଟିଭିଟି ଫି’ ୧୫୦୦ରୁ ୨୦୦୦ଟଙ୍କାକୁ ବୃଦ୍ଧି ହେବ। ସେହିପରି ଇଣ୍ଟରନାଲ ପରୀକ୍ଷା ଫି ୧୮୦୦ରୁ ୨୦୦୦ ଟଙ୍କା, ସାଇଟ୍ ଭିଜିଟ୍ ୬୦୦ରୁ ୧୦୦୦ ଟଙ୍କା, ବିଶ୍ୱବିଦ୍ୟାଳୟ ପଞ୍ଜିକରଣ, ପ୍ରଥମ ସେମିଷ୍ଟର, ଉନ୍ନୟନମୂଳକ, ପାଠ୍ୟକ୍ରମ, ଗବେଷଣା ବିକାଶ, କ୍ରୀଡ଼ା, ସାଂସ୍କୃତିକ ଓ ଇନ୍‌ସ୍ୟୁରାନ୍ସ ଫି’ ୫ହଜାରରୁ ୬୦୦୦ ଟଙ୍କା ଏବଂ ସମାବର୍ତ୍ତନ ଫି’ ୧୫୦୦ ଟଙ୍କାରୁ ୨୫୦୦କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଯାଇଛି ।

Also Read: ନୂଆ ଢାଞ୍ଚାରେ ଆରମ୍ଭ ହେବାକୁ ଯାଉଛି ଡିପ୍ଲୋମା ପାଠ୍ୟକ୍ରମ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ସୂଚନା

ସେହିପରି ଏସ୍‌ଏସ୍‌ପି ପ୍ରୋଗ୍ରାମରେ ବିଟେକ୍‌, ଏମ୍ ଟେକ୍‌, ବିଟେକ୍ (ଲାଟେରାଲ ଏଣ୍ଟ୍ରି), ଏମ୍‌ବିଏର ଫି’ ବୃଦ୍ଧି ହେବ। ଯେଉଁଥିରେ ଟ୍ୟୁସନ୍ ଫି ୪୫୦୦୦ ଟଙ୍କାରୁ ୮୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଉନ୍ନତି ଫି ମଧ୍ୟ ପୂର୍ବରୁ ୧୫ହଜାର ଟଙ୍କା ଥିବା ବେଳେ ଏହାକୁ ୩୦ ହଜାର ଟଙ୍କା କରାଯିବ। ଲ୍ୟାବ୍ ପରିଚାଳନା ପାଇଁ ୩୦୦୦ ଟଙ୍କା ଥିବା ବେଳେ ଏହାକୁ ୫୦୦୦ ଟଙ୍କା ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। ବିଶ୍ୱବିଦ୍ୟାଳୟ ପଞ୍ଜିକରଣ, ପ୍ରଥମ ସେମିଷ୍ଟର, ଉନ୍ନୟନ ମୂଳକ, ପାଠ୍ୟକ୍ରମ, ଗବେଷଣା ବିକାଶ, କ୍ରୀଡ଼ା, ସାଂସ୍କୃତିକ ଓ ଇନ୍‌ସ୍ୟୁରାନ୍ସ ଫି’ ୫ହଜାରରୁ ୬୦୦୦ ଟଙ୍କା ଏବଂ ସମାବର୍ତ୍ତନ ଫି ୧୫୦୦ ଟଙ୍କାରୁ ୨୫୦୦କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଯାଇଛି।