କଟକ ୧୪/୦୫ : ନୂଆ ଢାଞ୍ଚାରେ ଆରମ୍ଭ ହେବାକୁ ଯାଉଛି ଡିପ୍ଲୋମା କୋର୍ସ । ନିଯୁକ୍ତିଭିତ୍ତିକ ଶିକ୍ଷାକୁ ଗୁରୁତ୍ବ ଦେଇଛି ବୈଷୟିକ ଶିକ୍ଷା ବିଭାଗ । ଡିପ୍ଲୋମା ପାଠ୍ୟକ୍ରମରେ କିଛିଟା ପରିବର୍ତ୍ତନ ହେବାକୁ ଯାଉଛି । ଏକାଧିକ କୋର୍ସ ବାଦ୍‌ ପଡିବାକୁ ଥିବାବେଳେ ଯୋଡି ହେବ କିଛି ନୂଆ । ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷରେ ସରକାରୀ ଓ ବେସରକାରୀ ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ଜାରି ରହିଛି। ଏହି ପ୍ରକ୍ରିୟା ଗତ ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୧୫ ତାରିଖରେ ସରିବାକୁ ଯାଉଛି। ଅନଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଇଂଜିନିୟରିଂ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଆବେଦନ କରୁଥିବା ବେଳେ ଚଳିତବର୍ଷ ଏଥିରେ ଅନେକ ପାଠ୍ୟକ୍ରମ ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି ।

ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା କହୁଛି ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତିଭିତ୍ତିକ ପାଠ୍ୟକ୍ରମକୁ ଗୁରୁତ୍ୱ ଦେଇ ଚଳିତବର୍ଷ ପାଠ୍ୟ ଖସଡ଼ା ପ୍ରସ୍ତୁତ ହେଉଛି । କିଛି କୋର୍ସ ଏଥିରୁ ବାଦ୍ ପଡିବ ।  ଭୁବନାନନ୍ଦ ସ୍କୁଲ ଅଫ୍ ଇଞ୍ଜିନିୟରିଂ(ବୋସ୍) ଭଳି ସରକାରୀ ଶିକ୍ଷାନୁଷ୍ଠାନରେ ସିଭିଲ୍, ଇଲେକ୍ଟ୍ରିକାଲ୍, ମେକାନିକାଲ୍, ଇଲେକଟ୍ରୋନିକ୍ସ, ଆପ୍ଲାଏଡ୍ ଇଲେକଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ଅଟୋମୋବାଇଲ୍, ମେକାଟ୍ରୋନିକ୍ସ, ଡିଜିଟାଲ୍ ମାନୁଫ୍ୟାଚୁରିଂ ଟେକ୍ନୋଲୋଜି, ଅଟୋମେସନ୍ ଏବଂ ରୋବୋଟିକ୍ସ ଭଳି ୧୧ଟି ଟ୍ରେଡ୍ ରହିଛି ।

ଏହାମଧ୍ୟରୁ ବୋସ୍ ଶିକ୍ଷାନୁଷ୍ଠାନରେ ଏବେ ସୂଚନା ଓ ପ୍ରଯୁକ୍ତିବିଦ୍ୟା(ଆଇଟି) ବିଭାଗ ବନ୍ଦ ରହିଛି । ତେବେ ପୂର୍ବରୁ ଅଣ ଇଞ୍ଜିନିୟରିଂ ଟ୍ରେଡରେ ଥିବା ବିୟୁଟି କଲଚର୍, ଫାର୍ମାସୀ, ଟୁରିଜିମ୍, ଅଫିସ୍ ମ୍ୟାନେଜମ୍ୟାଣ୍ଟ ଭଳି କୋର୍ସର ଅଲଗା ନାମଲେଖା ହେଉଥିଲା । କିନ୍ତୁ ଏହି ବିଷୟଗୁଡ଼ିକର ନିଜସ୍ୱ ସ୍ୱତନ୍ତ୍ର ପାଠ୍ୟକ୍ରମ ରହିଛି। ତେବେ ଇଞ୍ଜିନିୟରିଂ ପାଠ୍ୟକ୍ରମ ମଧ୍ୟରେ ଏହି ବିଷୟ ଆସୁ ନ ଥିବାରୁ ଚଳିତବର୍ଷ ଏହି କୋର୍ସକୁ ବାଦ୍ ଦେବାକୁ ନିଷ୍ପତ୍ତି ହୋଇଛି । ତେଣୁ ଏହି କୋର୍ସରେ ଆବେଦନ ପାଇଁ ପୋର୍ଟାଲ ବନ୍ଦ ରଖାଯାଇଛି । ଏ ସଂପର୍କରେ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନଥିବାରୁ ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ ପାଇଁ ଉଦ୍ୟମ କରି ନିରାଶ ହୋଇଛନ୍ତି ।

ଏନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାର ଜଣେ ବରିଷ୍ଠ ଅଧ୍ୟାପିକା କହିଛନ୍ତି, ଏହି ସବୁ କୋର୍ସ ଏକ ବୃତ୍ତିଗତ କୁଶଳୀ ଆଧାରିତ ପାଠ୍ୟକ୍ରମ । ଏହା ଦ୍ୱାରା ରୋଜଗାର କରିବାର ସୁଯୋଗ ରହିଛି । ତେଣୁ ଏହାକୁ ସରକାରୀ ଶିକ୍ଷାନୁଷ୍ଠାନରୁ ବନ୍ଦ କରିବା ନିଷ୍ପତ୍ତି ଉଚିତ୍ ନୁହେଁ । କାରଣ ବେସରକାରୀ ଶିକ୍ଷାନୁଷ୍ଠାନରେ ଗରିବ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏଥିରେ ଅଧିକ ଅର୍ଥ ଦେଇ ପଢ଼ିବା ସମ୍ଭବ ନୁହେଁ ।

ଅନ୍ୟପଟେ ଏନେଇ  ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଚକ୍ରୱର୍ତୀ ସିଂ ରାଠୋର କହିଛନ୍ତି, ଇଞ୍ଜିନିୟରିଂ ପାଠ୍ୟକ୍ରମର ସଫଳତା ନେଇ ଏକ ଆପେକ୍ସ କମିଟି ଦ୍ୱାରା ସମସ୍ତ ପାଠ୍ୟକ୍ରମର ଗତ ୫ ବର୍ଷର ସମସ୍ତ ତଥ୍ୟକୁ ଅନୁଧ୍ୟାନ କରାଯାଇଛି । ଏଥିରେ ନାମଲେଖା ସହ ଡ୍ରପ୍ଆଉଟ୍, ପାସ୍ ପ୍ରତିଶତ ଏବଂ ଭିତ୍ତିଭୂମିକୁ ଯାଞ୍ଚ୍ କରାଯାଇ ଯେଉଁ କୋର୍ସରେ ଅଧିକ ଡ୍ରପ୍ଆଉଟ୍, କମ୍ ପାସ୍ ପ୍ରତିଶତ ଏବଂ କମ୍ ନିଯୁକ୍ତି ଅଛି ସେହି କୋର୍ସକୁ ବନ୍ଦ କରାଯିବ । ଅନ୍ୟଯେଉଁ କୋର୍ସର ଚାହିଦା ଏବଂ ନିଯୁକ୍ତି ସୁଯୋଗ ରହିଛି ସେହି କୋର୍ସର ଭିତ୍ତିଭୂମି ବଢ଼ାଯିବା ସହ ସିଟ୍ ସଂଖ୍ୟା ବୃଦ୍ଧି କରାଯିବ । ଏହି ୪ଟି କୋର୍ସରେ ନିଯୁକ୍ତି ସୁଯୋଗ ନ ଥିବାରୁ ଏହାକୁ ବନ୍ଦ କରାଯିବ ବୋଲି କହିଛନ୍ତି । ଡିପ୍ଲୋମା ଇଞ୍ଜିନିୟରିଂରେ ଆଉ କିଛି ନୂଆ କୋର୍ସ ଅନ୍ତର୍ଭୁକ୍ତ କରାଯିବା ପାଇଁ ଏଆଇସିଟିଇର ଅନୁମୋଦନ ପାଇଁ ଆବେଦନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

​​​​​​​Also Read:Dhenkanal Mango : ଢେଙ୍କାନାଳରେ ଆମ୍ବର ଭାରି ଚାହିଦା, ବିଦେଶ ଗଲାଣି ୧୫ଟନ୍ ଆମ୍ବ